ମାତୃଭାଷାରେ ପ୍ରେସ୍କ୍ରିପସନ୍ ଲେଖି ରୋଗୀଙ୍କ ମନ ଜିତୁଛନ୍ତି ଡାକ୍ତର ଶିବ ପ୍ରସାଦ ସେନାପତି
କୋରାପୁଟ, ୨୭ ସେପ୍ଟେମ୍ବର: କୋରାପୁଟ ଏସ୍.ଏଲ୍.ଏନ୍. ମେଡିକାଲ କଲେଜର ସର୍ଜରୀ ବିଭାଗର ଡାକ୍ତର ଶିବ ପ୍ରସାଦ ସେନାପତି ରୋଗୀ ସେବାରେ ଏକ ଅଭିନବ ପଦକ୍ଷେପ ନେଇ ସମସ୍ତଙ୍କ ପ୍ରଶଂସା ସାଉଁଟୁଛନ୍ତି। ସେ ନିଜ ରୋଗୀମାନଙ୍କୁ ଔଷଧ ସେବନର ନିୟମ ସହଜରେ ବୁଝାଇବା ପାଇଁ ମାତୃଭାଷା ଓଡ଼ିଆରେ ସ୍ପଷ୍ଟ ଓ ସୁନ୍ଦର ହସ୍ତାକ୍ଷରରେ ପ୍ରେସ୍କ୍ରିପସନ୍ ଲେଖୁଛନ୍ତି। ଅନେକ ସମୟରେ ଇଂରାଜୀରେ ଲେଖାଯାଇଥିବା ପ୍ରେସ୍କ୍ରିପସନ୍ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ବୁଝିବା କଷ୍ଟକର ହୋଇଥାଏ। ଫଳରେ ଔଷଧ ଖାଇବାର ସମୟ ଓ ପ୍ରକ୍ରିୟା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। କିନ୍ତୁ ଡାକ୍ତର ସେନାପତିଙ୍କ ଓଡ଼ିଆ ପ୍ରେସ୍କ୍ରିପସନ୍ ଯୋଗୁଁ ରୋଗୀମାନେ ସହଜରେ ନିର୍ଦ୍ଦେଶାବଳୀ ବୁଝିପାରୁଛନ୍ତି ଏବଂ ଠିକ୍ ଭାବେ ଔଷଧ ସେବନ କରିପାରୁଛନ୍ତି। ତାଙ୍କର ଏହି ବ୍ୟବହାରିକ ଓ ଜନମୁଖୀ ପଦକ୍ଷେପ ରୋଗୀ ସେବାରେ ମାତୃଭାଷାର ଗୁରୁତ୍ୱକୁ ଆହୁରି ସ୍ପଷ୍ଟ କରିଛି। ସାଧାରଣ ଲୋକଙ୍କ ସେବା ପ୍ରତି ତାଙ୍କର ନିଷ୍ଠା ଓ ଭାଷା ପ୍ରତି ସମ୍ମାନ ଅନ୍ୟ ଡାକ୍ତରମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟୀ ଉଦାହରଣ ପାଲଟିଛି।(ଗୁପ୍ତେଶ୍ଵର ରଥ କୋରାପୁଟ)
