September 28, 2026

ସମ୍ବଲପୁର ହେବ ଏକ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର 

IMG-20260928-WA0068
Share

 

 

 

ସମ୍ବଲପୁର -୨୮/୯: ସମନ୍ୱିତ କାର୍ଯ୍ୟ ଯୋଜନା ମାଧ୍ୟମରେ ସମ୍ବଲପୁର କୁ ଏକ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ରୂପେ ପରିଣତ କରିହେବ । ଏ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ତ୍ବରାନ୍ବିତ କରିବାପାଇଁ ମତପ୍ରକାଶ ପାଇଛି ।

ଇନଟାକ, ସମ୍ବଲପୁର ଚାପ୍ଟର ପକ୍ଷରୁ ଆଜି ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟରେ ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ଏ ଅବସରରେ ଇନଟାକ, ସମ୍ବଲପୁର ଚାପ୍ଟର ପକ୍ଷରୁ ପ୍ରକାଶିତ ଏକ ମାଗାଜିନ୍ ର ଉନ୍ମୋଚନ କରାଯାଇଥିଲା । ଆଲୋଚନାରେ ଭାଗ ନେଇ ଚାପ୍ଟରର ଆବାହକ ଦୀପକ କୁମାର ପଣ୍ଡା, ସହ- ଆବାହକ ଡ. ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ଶ୍ରୀ ଧ୍ରୁବଚରଣ ପଣ୍ଡା, ଡା. ଗୁଣ ସାଗର ଦାଶ, ଡା. ବିନୋଦ ବିହାରୀ ନାଏକ, ଶାନ୍ତନୁ ପାଣିଗ୍ରାହୀ, ଡ଼. ଅଖିଳ ବିଶ୍ବାଳ, ସୁଭାଶିଷ ସରକାର ପ୍ରମୁଖ ସମ୍ବଲପୁରରେ ପର୍ଯ୍ୟଟନ ର ବିକାଶ ପାଇଁ ବହୁବିଧ ପଦକ୍ଷେପ ନିଆଯାଇଥିବା ହେତୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଡେବ୍ରିଗଡ ବନ୍ଯପ୍ରାଣୀ ଉଦ୍ଯାନ ପର୍ଯ୍ୟଟନ ର ବିକାଶରେ ବିଶେଷ ସହାୟକ ହୋଇଥିବାରୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓ ଶ୍ରୀମତୀ ଅଂଶୁପ୍ରଜ୍ଞା ଦାଶ ଏବଂ ଜଙ୍ଗଲ ବିଭାଗର ଅଧିକାରୀ – କର୍ମଚାରୀଙ୍କୁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ।

ସମଲେଶ୍ଵରୀ ମନ୍ଦିର ବିକାଶ ଯୋଜନା ର ଦ୍ବିତୀୟ ଚରଣ, ମହାନଦୀ ରିଭର ଭ୍ଯୁ ଫ୍ରଣ୍ଟ, ମହାନଦୀ ରେ ବ୍ଯାରେଜ, ହୀରାକୁଦ ବନ୍ଧ ପର୍ଯ୍ୟଟନ ଯୋଜନା, କୁଦୋପାଲି ସ୍ମାରକୀ ନିର୍ମାଣ ଆଦି ପ୍ରକଳ୍ପ କାର୍ଯ୍ୟ କୁ ତ୍ବରାନିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଖିଣ୍ଡା ଗ୍ରାମରେ ବୀର ସୁରେନ୍ଦ୍ର ସାଏ ସ୍ମାରକୀ କୁ ଭବ୍ଯ ରୂପ ଦେବା ତଥା ଏଠାରେ ବୀର ସୁରେନ୍ଦ୍ର ସାଏଙ୍କ ଜୀବନ ଆଧାରିତ ସଂଗ୍ରହାଳୟ ସ୍ଥାପନ ପାଇଁ ମତ ପ୍ରକାଶ ପାଇଛି । ବୁଦ୍ଧଧର୍ମରେ ବଜ୍ରଯାନ ର ପ୍ରବର୍ତ୍ତନ କରିଥିବା ରାଜା ଇନ୍ଦ୍ରଭୂତି ତଥା ଦ୍ବିତୀୟ ବୁଦ୍ଧ ରୂପେ ପୂଜିତ ହେଉଥିବା ତାଙ୍କ ପୁତ୍ର ପଦ୍ମସମ୍ଭବ ଏବଂ ସହଜଯାନ ବା ତନ୍ତ୍ରଯାନ ର ପ୍ରତିଷ୍ଠାତା, ଇନ୍ଦ୍ରଭୂତିଙ୍କ ଭଗିନୀ ଲକ୍ଷ୍ମୀକରା ସମ୍ବଲପୁର ର ହୋଇଥିବାରୁ ସେମାନଙ୍କ ସ୍ମୃତିରେ ସମ୍ବଲପୁର ରେ ଉଦ୍ଯାନ ନିର୍ମାଣ, ରଜା ବଖରୀର ଜୀର୍ଣ୍ଣୋଦ୍ଧାର, ଫାର୍ମ ରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଥିବା ପ୍ରେକ୍ଷାଗୃହ କାର୍ଯ୍ୟ କୁ ଶୀଘ୍ର ସମ୍ପୂର୍ଣ୍ଣ କରିବା, ବୀର ସୁରେନ୍ଦ୍ର ସାଏ ମ୍ଯୁଜିୟମକୁ ସ୍ବୟଂ ସମ୍ପୂର୍ଣ୍ଣ କରିବା ପାଇଁ ଏହାରି ପଛପଟେ ଆଉ ଏକ କୋଠାଘର ନିର୍ମାଣ କରିବା ପାଇଁ ମତପ୍ରକାଶ ପାଇଛି । ଏଠାରେ କେଫେଟେରିଆ ନିର୍ମାଣ ଦ୍ବାରା ସଂଗ୍ରହାଳୟ ପରିଚାଳନା ପାଇଁ ଅର୍ଥ ର ବ୍ୟବସ୍ଥା କରାଯିବାକୁ ମତ ଦିଆଯାଇଛି।

ଲୋକେ ଯେପରି କମ୍ ଖର୍ଚ୍ଚରେ ପର୍ଯ୍ୟଟନ ର ଆନନ୍ଦ ପାଇପାରିବେ ସେଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଡି଼ି ଓ ସଞ୍ଚାଳିତ ଭ୍ରମଣର ବ୍ଯବସ୍ଥା କରାଯିବାକୁ ଅନୁରୋଧ କରାଯାଇଛି ।

ସଂଯୋଗ ବଶତଃ ଆଜି ପର୍ଯ୍ୟଟନ ଦିବସ ଅବସରରେ ରେକର୍ଡ ସଂଖ୍ୟକ ଲୋକ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଦେଖିବାକୁ ଆସିଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ତଥା ଆଗାମୀ ଦିନରେ ପର୍ଯ୍ୟଟନ ର ବିକାଶ କ୍ଷେତ୍ରରେ ନୂତନ ଉପଲବ୍ଧି ହେବ ବୋଲି ଆଶା ପୋଷଣ କରାଯାଇଛି।

You may have missed