ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଉତ୍ତର ବନଖଣ୍ଡ ଅଧିନସ୍ଥ କେସିଙ୍ଗା ବନବିଭାଗ ଅଧୀନରେ ଆସୁଥିବା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ପଞ୍ଚାୟତ ଅଧିନସ୍ଥ ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣ ଯୋଗୁଁ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ପୋଢ଼ଖମ ଗ୍ରାମର ପଚାସ ବର୍ଷୀୟ ଅକ୍ରୁର ହେର୍ନା ନାମକ ଜଣେ ବ୍ୟକ୍ତି ଗତ ରାତିରେ ରାତ୍ର ଭୋଜନ ପରେ ପ୍ରବଳ ବର୍ଷା ସତ୍ତ୍ୱେ ରାତି ପ୍ରାୟ ନଅ ଟା ସମୟରେ ନିକଟସ୍ଥ ନିଜ ଚାଷ ଜମି ଆଡ଼େ ଯାଇଥିଲେ। ଜମି ମଧ୍ୟରେ ବୁଲୁଥିବା ସମୟରେ, ଜମିକୁ ଲାଗି ରହିଥିବା ଜଙ୍ଗଲ ମଧ୍ୟରେ ଥିବା ଏକ ହାତୀ ହଠାତ ଦୌଡ଼ି ଆସି ଅକ୍ରୁରଙ୍କୁ ଆକ୍ରମଣ କରିଥିଲା ତଥା ତାଙ୍କୁ ପାଦରେ ଦଳି ଦେବାରୁ ଅକ୍ରୁରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ଅକ୍ରୁରଙ୍କ ପରିବାର ଲୋକେ ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ବନବିଭାଗ ଓ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲେ ମଧ୍ୟ ମୃତ ଅକ୍ରୁରଙ୍କ ଶବକୁ ଘଟଣା ସ୍ଥଳରୁ ଉଦ୍ଧାର କରି ରାତି ପ୍ରାୟ ୧ ଟା ସମୟରେ କେସିଙ୍ଗା ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ। ଏଥିସହ ବନବିଭାଗ ପକ୍ଷରୁ ହାତୀ ଆକ୍ରମଣରେ ମୃତ୍ୟୁ ଜନିତ ସରକାରୀ ସହାୟତା ନିୟମ ଅନୁଯାୟୀ ଦଶ ଲକ୍ଷ ଟଙ୍କା କ୍ଷତିପୁରଣ ମୃତକଙ୍କ ପାରିବାରକୁ ଦିଆଯିବ ବୋଲି ଜଣାଇଥିବା ବେଳେ, ଆଜି କେସିଙ୍ଗା ତହସିଲଦାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରେଡ଼କ୍ରସ ତରଫରୁ ମୃତ ଅକ୍ରୁରଙ୍କ ପାରିବାରକୁ ତତ୍କାଳିନ ସହାୟତା ଭାବରେ ତିରିଶ ହଜାର ଟଙ୍କା ପ୍ରଦାନ କରାଯାଇଛି।
