ଆଦର୍ଶ ଶିକ୍ଷକ ଗୋପୀନାଥ ପ୍ରଧାନଙ୍କ ପରଲୋକ
ବରଗଡ,ତା୧୨/୯(ସୁରେନ୍ଦ୍ର କଠାର)
ବରଗଡ଼ ଜିଲ୍ଲାର ଜଣେ ଲୋକପ୍ରିୟ ଶିକ୍ଷକ ଗୋପୀନାଥ ପ୍ରଧାନଙ୍କର ଗତକାଲି ମଧ୍ୟରାତ୍ରୀରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ବିଜେପୁର, ଅତାବିରା ତଥା ବରଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଶିକ୍ଷାଗତ ଯୋଗ୍ୟତା ଏମ୍ଏ (ସଂସ୍କୃତ), ବି.ଇଡି ଥିବା ସ୍ୱର୍ଗତ ପ୍ରଧାନ ଯୋଖିପାଲି, ବ୍ଲକ- ବିଜେପୁର, ଜିଲ୍ଲା- ବରଗଡ଼ର ସ୍ଥାୟୀ ବାସିନ୍ଦା ଥିଲେ। ବର୍ତ୍ତମାନ ସେ ବରଗଡ଼ ପଞ୍ଚାୟତ କଲେଜ ରୋଡ଼ ସ୍ଥିତ ନିଜସ୍ୱ ବାସଭବନରେ ରହୁଥିଲେ।
ସ୍ୱର୍ଗତ ପ୍ରଧାନ ତା ୦୩/୧୨/୧୯୯୦ ରେ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ-ରେଙ୍ଗାଲିପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗଦାନ କରି ନିଜ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ୧୯୯୭ ମସିହାରେ ସେ ବାବେବିରା ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବରଗଡ଼ ଶିକ୍ଷା ଜିଲ୍ଲା ଅଧିନସ୍ଥ ସାଇନ୍ସ ପାର୍କର ପରିଚାଳନା ଦାୟିତ୍ୱରେ ଡେପୁଟେସନରେ କାର୍ଯ୍ୟରତ ଥିଲେ।
ସଂସ୍କୃତ ସହ ବିଜ୍ଞାନ, ଇଂରାଜୀ, ଗଣିତ, ଭୂଗୋଳ ବିଷୟରେ ମଧ୍ୟ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ସଙ୍ଗୀତ ଓ ମଞ୍ଚ ପରିଚାଳନାରେ ସେ ବେଶ ଦକ୍ଷ ଥିଲେ। ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ତାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମଡେଲ ବହୁ ପ୍ରଶଂସିତ ହୋଇଥିଲା। ଶାନ୍ତ, ସରଳ ଓ ମଧୁରଭାଷୀ ସ୍ୱଭାବ ଯୋଗୁଁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଜନସାଧାରଣଙ୍କ ମଧ୍ୟରେ ସେ ଅତ୍ୟନ୍ତ ଲୋକପ୍ରିୟ ଥିଲେ। ନିଜ ଗାଁ ତଥା ଅତାବିରା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହ ସେ ସକ୍ରିୟ ଭାବେ ଜଡିତ ଥିଲେ। ମୃତ୍ୟୁ ଶଯ୍ୟା ପାଖରେ ସେ ନିଜ ସ୍ତ୍ରୀ ଓ ଏକମାତ୍ର ଝିଅଙ୍କୁ ଛାଡିଯାଇଛନ୍ତି। ତାଙ୍କ ଶେଷକୃତ୍ୟ ଆଜି ତାଙ୍କ ନିଜ ଗ୍ରାମ ଯୋଖିପାଲିରେ ସମ୍ପନ୍ନ ହେବ।
