କଳା ଜଗତର ସର୍ବ ଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ
ବରପାଲି – (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗାଁ କୁମ୍ଭାରୀ ଲକ୍ଷ୍ମୀନଗରରେ ଅନୁଷ୍ଠିତ ହୋଇଯାଇଛି ଗଜଲକ୍ଷ୍ମୀ ପୂଜା ମହୋତ୍ସବ। ଏହି ମହୋତ୍ସବରେ ଆକର୍ଷଣ ସାଜିଥିଲା ଝିଅ ପାଲା।ନାଗଡିହିର ପ୍ରସିଦ୍ଧ ଶିବାନୀ ଝିଅ ପାଲା ଦଳ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ
କରିଦେଇଥିଲା। ଏହି ଅବସରରେ ପାଲା ଗୁରୁ ପାର୍ବତୀ ଭୋଇ କହିଛନ୍ତି, “କଳା ଜଗତର ସର୍ବ ଶ୍ରେଷ୍ଠ କଳା ହେଉଛି ପାଲା”। ପାଲା କେବଳ ମନୋରଞ୍ଜନ ନୁହେଁ, ଏହା ଶାସ୍ତ୍ର, ପୁରାଣ, ନୀତି ଓ ସଂସ୍କୃତିର ସମନ୍ୱୟ।ଗତ ରାତିରେ ଅନୁଷ୍ଠିତ ଏହି ପାଲା ପରିବେଷଣରେ ଶାସ୍ତ୍ରୀୟତା ସହ ସମସ୍ତ ବୃତ୍ତ, ଅଳଙ୍କାର ଆଦି ଶୈଳୀରେ ଗାୟନ କରାଯାଇଥିଲା। ଷୋଳହ ପ୍ରହର ପାଲା ଗାୟନ ସହ ଭରପୂର କମେଡି ଦର୍ଶକଙ୍କୁ ବେଶ ଉପଭୋଗ୍ୟ ହୋଇଥିଲା। ଅଗଣିତ ଦର୍ଶକ ଶେଷ ପର୍ଯ୍ୟନ୍ତ ବସି ପାଲା ଉପଭୋଗ କରିଥିଲେ। ଆଧୁନିକତା ବଳୟରେ ଆମ ପୁରୁଣା ସଂସ୍କୃତି ଯେତେ ଛନ୍ଦି ହୋଇଥିଲେ ମଧ୍ୟ ପାଲାର ଚାହିଦା ଏବେବି ଅତୁଟ ରହିଛି। ମହାବାତ୍ୟା ଅର୍ଣ୍ଣବର ତାଣ୍ଡବ ମଧ୍ୟ ପାଲା ଦର୍ଶକଙ୍କୁ ରୋକି ପାରିନାହିଁ ବୋଲି ପୂଜା କମିଟିର ଡମ୍ବରୁଧର ନାୟକ ପ୍ରକାଶ କରିଛନ୍ତି। ଗଜଲକ୍ଷ୍ମୀ ପୂଜା ମହୋତ୍ସବରେ ପାଲା ପରି ଲୋକକଳାକୁ ସ୍ଥାନ ଦେବା ଦ୍ୱାରା ଆମ ସଂସ୍କୃତି ବଞ୍ଚି ରହିବ ବୋଲି ସେ କହିଛନ୍ତି।
