ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ସୂଚନା
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଅର୍ଣ୍ଣବ ବାତ୍ୟାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଥିବାବେଳେ ଆଜି ୨୮ ତାରିଖ ପାଇଁ ପବନ ଯୋଗୁଁ ଜାରି ହୋଇଛି ରେଡ ୱାର୍ଣ୍ଣିଙ୍ଗ। ଏହି ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବାତ୍ୟାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ସୂଚନା ଦେଇ କହିଛନ୍ତି ଯେ’, କଳାହାଣ୍ଡି ଜିଲ୍ଲା ପାଇଁ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଥିବାବେଳେ, ୨୮ ତାରିଖ ଦିନ ପବନର ବେଗ ୬O ରୁ ୮O କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହେବାର ସମ୍ଭାବନା ଥିବାରୁ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ତେଣୁ ଏଇଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ ପ୍ରସ୍ତୁତି ହୋଇସାରିଛି। ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ’ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରିଙ୍କ ଛୁଟି ବାତିଲ କରାଯାଇଥିବା ସହ ଭବାନୀପାଟଣା ଓ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ଉଚ୍ଚ ପଦାଧିକାରି ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ୨୮ ତାରିଖ ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଆଙ୍ଗନବାଡି କେନ୍ଦ୍ର ଗୁଡିକୁ ଜିଲ୍ଲା ପ୍ରଶାସନ ତରଫରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ଜିଲ୍ଲାର ୧୩ ଟି ବ୍ଲକରେ ଥିବା ଫାୟାର ଟିମ ଗୁଡିକୁ ପ୍ରସ୍ତୁତ ରଖାଯାଇଥିବା ବେଳେ, କର୍ଲାମୁଣ୍ଡା, କେସିଙ୍ଗା, ଥୁ. ରାମପୁର ଓ ଧର୍ମଗଡ଼ ଠାରେ ଅତିରିକ୍ତ ୪ ଟି ଅତିରିକ୍ତ ଫାୟାର ଟିମର ଷ୍ଟେସନ କରାଯାଇଛି। ଦୁଇଟି ଓଡ୍ରାଫ ଟିମରୁ ଗୋଟିଏ କଳମପୁରରେ ଓ ଗୋଟିଏ ଭବାନୀପାଟଣାରେ ଷ୍ଟେସନ କରାଯାଇଛି। ଭବାନୀପାଟଣା ସମେତ ସମସ୍ତ ବ୍ଲକ ହେଡ଼କ୍ୱାର୍ଟର ଗୁଡିକରେ ୨୪×୭ କଣ୍ଟ୍ରୋଲ ରୁମ କରାଯାଇଛି। ଏଥିସହ ଯଥେଷ୍ଟ ମାତ୍ରାରେ ଔଷଧ, ଖାଦ୍ୟ, ପଲିଥିନ ଆଦି ଅତି ଆବଶ୍ୟକୀୟ ଜିନିଷ ଗୁଡିକର ଷ୍ଟକ ଥିବାନେଇ ସୂଚନା ଦେଇଛନ୍ତି।ଏଥିସହ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ବିଶେଷ ଅନୁରୋଧ ଜଣାଇଛନ୍ତି ଯେ’, ଯେହେତୁ କଳାହାଣ୍ଡି ଜିଲ୍ଲା ପବନର ବେଗ ଯୋଗୁଁ ରେଡ ୱାର୍ଣ୍ଣିଙ୍ଗରେ ଅଛି, ସେଇଥିପାଇଁ ଅତି ଆବଶ୍ୟକ ନପଡିଲେ ଘରୁ ନବାହାରନ୍ତୁ ଓ ସତର୍କ ରୁହନ୍ତୁ।
