September 7, 2026

ବିଜେପିର ଜନବିରୋଧୀ ନୀତି ପାଇଁ ଉପେକ୍ଷିତ ହେଉଛି ଓଡ଼ିଶା ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ବୈମାତୃକ ମନୋଭାବ ଜାରି ରହିଛି: ବିଜେଡି

IMG-20260907-WA0087
Share

ଭୁବନେଶ୍ୱର ( ଦେବାଶିଷ ଦାଶ )

ଏମ୍ଏମ୍ଡିଆର ଆକ୍ଟ ବଳରେ ରାଜ୍ୟର ହକ୍ ଛଡ଼ାଇ ନେଇଛନ୍ତି କେନ୍ଦ୍ର ସରକାର

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନୀତି ପାଇଁ ରାଜ୍ୟର ଋଣ ଭାର କମିବା ସହ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିଲା

ରାଜ୍ୟର ସ୍ୱାର୍ଥ ପାଇଁ ବିଜେପି ଦଳଗତ ସ୍ୱାର୍ଥରୁ ଊଦ୍ଧ୍ୱର୍ରେ ରହି କାର୍ଯ୍ୟ କରୁ

ବିଜେପି ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଓଡିଶା ଉପେକ୍ଷିତ ହେବାରେ ଲାଗିଛି । ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ହେଉନଥିବା ବେଳେ ଋଣ ଭାର ବୃଦ୍ଧି ପାଉଛି । ଏମଏମଡିଆର ଆକ୍ଟ ବଳରେ ରାଜ୍ୟର ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଉଥିବାରୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସଦାସର୍ବଦା ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ କରିଆସିଛି । ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା ଓ ପୂର୍ବର ଦାରିଦ୍ର୍ୟତା ରାଜ୍ୟ ଓଡ଼ିଶାର ରୂପରେଖକୁ ପରିବର୍ତ୍ତନ କରିଥିଲେ । ତାଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଜରିଆରେ ଚାଷୀ କୂଳ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ମାନଙ୍କ ଉପାର୍ଜନକୁ ଦୁଇ ଗୁଣ କରିଥିଲା । ଅର୍ଥନୈତିକ ବିନିଯୋଗରେ ଓଡ଼ିଶା ଏକ ନମ୍ୱର ରାଜ୍ୟ ହୋଇ ନୀତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଥିଲା । ପୂର୍ବରୁ ରାଜ୍ୟର ବଜେଟ୍ ପରିମାଣ ୧୧,୦୦୦ ହଜାର କୋଟି ଟଙ୍କା ଥିବାବେଳେ ବିଜେଡି ଶାସନ ସମୟରେ ତାହା ବୃଦ୍ଧି ପାଇ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନୀତି ପାଇଁ ରାଜ୍ୟର ଋଣ ଭାର କମିବା ସହ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିଲା । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ କମିବାରେ ଲାଗିଛି । ଓଡିଶାର ସ୍ୱାର୍ଥ କେନ୍ଦ୍ରିକ ବିଭିନ୍ନ ଯୋଜନା ଅଟକି ରହିଛି । ଯାହା ଦ୍ୱାରା ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ ବାରମ୍ୱାର ଉପେକ୍ଷିତ ହେଉଛନ୍ତି । ଡବଲ ଇଞ୍ଜିନ ସରକାର ପାଇଁ ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ନଷ୍ଟ ହେଉଛି । ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ବିଜେପି ଦଳଗତ ସ୍ୱାର୍ଥରୁ ଊଦ୍ଧ୍ୱର୍ରେ ରହି କାର୍ଯ୍ୟ କରୁ । ବିଜେପି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ଅର୍ଥନୀତିକୁ ନଷ୍ଟ କରୁଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ତାହାର ଲଢେଇ ଜାରି ରଖିବ ।

ଶ୍ରୀମତୀ ସୁଲତା ଦେଓ କହିଥିଲେ ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ସ୍ୱାର୍ଥ ପୂରଣ ହେଉନାହିଁ । କିଛି ଦିନ ପୂର୍ବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ନିଜ ବକ୍ତବ୍ୟ ଜରିଆରେ କେନ୍ଦ୍ର ସରକାର ଓଡ଼ିଶାକୁ ଅଣଦେଖା କରୁଥିବା କହିଥିଲେ । ଏଫସିଆଇ ଚାଉଳ ଉଠାଉ ନଥିବା ବେଳେ ବାରମ୍ବାର କହିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କଥା କେନ୍ଦ୍ର ସରକାର ଶୁଣୁ ନାହାନ୍ତି ବୋଲି କହିଥିଲେ । ଉକ୍ତ ବକ୍ତବ୍ୟ ହିଁ ବିଜେପି ସରକାରରେ ରାଜ୍ୟର ସ୍ୱାର୍ଥ କିପରି ପୂରଣ ହେଉଛି ବୋଲି ସ୍ପଷ୍ଟ ହୋଇଛି । ରାଜ୍ୟ ଖଣିଜ ସମ୍ପଦର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏମଏମଡିଆର ଆକ୍ଟ ଜରିଆରେ ଉକ୍ତ ଅଧିକାରକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି । ଏ ବାବଦରେ ସଂସଦରେ ବିଜେପି ସାଂସଦମାନେ କୌଣସି ପ୍ରଶ୍ନ କରିଲେ ନାହିଁ । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ରାଜ୍ୟର ଉନ୍ନତିରେ ଉକ୍ତ ରାଜସ୍ୱ ଟଙ୍କା ବିନିଯୋଗ ହୋଇଥାଏ । କିନ୍ତୁ ଡବଲ ଇଞ୍ଜିନ ସରକାର ଓଡ଼ିଶାର ହକ୍କୁ ଛଡ଼ାଇ ନେଇ ଓଡ଼ିଶାର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛନ୍ତି । ଓଡ଼ିଶାର ଖଣିଜ ସମ୍ପଦର ରାଜସ୍ୱ ରାଜ୍ୟ ପାଇଁ ଅନେକ ଗୁରୁତ୍ୱ ବହନ କରିଥାଏ । କେନ୍ଦ୍ର ସରକାରଙ୍କ ଅଧିନକୁ ଖଣିଜ ସମ୍ପଦ ଯିବା ପରେ ଆମକୁ ବଜେଟ ଆଗତ କରିବା ପାଇଁ ଅଧିକ ଋଣ ଆବଶ୍ୟକ ହେବ, ଯାହା ଫଳରେ ରାଜ୍ୟର ଋଣ ଭାର ବୃଦ୍ଧି ପାଇବ । ଚକ୍ରାନ୍ତ କରି ରାଜ୍ୟର ହକ୍କୁ କେନ୍ଦ୍ର ସରକାର ଛଡାଇ ନେଉଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଜଳ, ଜଙ୍ଗଲ, ଖଣି ଆଦି ଲୁଟ୍

ହେଉଛି । ରାଜ୍ୟର ହକ୍ ହାସଲ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ଲଢ଼େଇ ଜାରି ରହିବ ।

You may have missed