ରିଏଲ୍ ଟ୍ୟୁନ୍ ପକ୍ଷରୁ ୩ୟ ତମ ‘ବର୍ଷା ଉତ୍ସବ’ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ଅସ୍ତରଙ୍ଗ , ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରିଏଲ୍ ଟ୍ୟୁନ୍’ (Real Tune Socio Cultural Organisation) ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ୩ୟ ତମ ‘ବର୍ଷା ଉତ୍ସବ – ମେଘ ବରଷିଲା ଟୁପୁରୁ ଟୁପୁରୁ’ ସଙ୍ଗୀତ ସନ୍ଧ୍ୟା ଓ ସମ୍ବର୍ଦ୍ଧନା ସମାରୋହ ମହାସମାରୋହରେ ଆୟୋଜିତ ହୋଇଯାଇଛି।
ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବରେଣ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ପବିତ୍ର ମୋହନ ଦାସ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ସାଂସ୍କୃତିକ ସନ୍ଧ୍ୟାରେ ରାଜ୍ୟର ବହୁ ନାମକରା କଣ୍ଠଶିଳ୍ପୀ ଓ ବାଦ୍ୟଯନ୍ତ୍ର ଶିଳ୍ପୀମାନେ ଯୋଗଦେଇ ବର୍ଷା ଆଧାରିତ ମନମୁଗ୍ଧକର ସଙ୍ଗୀତ ଓ ବାଦନ ପରିବେଷଣ କରିଥିଲେ। ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ‘ରିଏଲ୍ ଟ୍ୟୁନ୍’ ର ମୁଖ୍ୟ ପରିଚାଳକ ତଥା ବିଶିଷ୍ଟ ତବଲା ବାଦକ ଶ୍ରୀ ଜଗନ୍ନାଥ ଦାଶ ସମସ୍ତ ଅତିଥି, କଳାକାର, ଶ୍ରୋତା ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
