ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି
ବରପାଲି : ୭/୮(ସୁଦାମ ଦୀପଙ୍କ ରିପୋର୍ଟ) ବରପାଲି ରେଲୱେ ଷ୍ଟେସନ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଷ୍ଟେସନ ନିକଟସ୍ଥ ୬୨୪/୨୬ ନମ୍ବର ଖୁଣ୍ଟି ନିକଟରେ ସକାଳ ପ୍ରାୟ ୮ଟା ୪୫ ମିନିଟ ସମୟରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଲୱେ କର୍ତ୍ତୃପକ୍ଷ ଓ ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ଉଦ୍ଧାର କରିଥିଲେ। ପରିଚୟ ଯାଞ୍ଚ ସମୟରେ ମୃତକଙ୍କ ନାମ ପ୍ରକାଶ ଚନ୍ଦ୍ର ମାହାଣା ବୋଲି ଜଣାପଡ଼ିଛି। ତାଙ୍କ ଆଧାର କାର୍ଡ ଅନୁଯାୟୀ ସେ ବିଜେପୁର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି ମୃତକଙ୍କ ନିକଟରୁ ମିଳିଥିବା ରେଲୱେ ଟିକେଟରୁ ସେ ବରପାଲିରୁ ସମ୍ବଲପୁର ଯାତ୍ରା କରୁଥିବା ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାକୁ ନେଇ ରେଲୱେ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଏନେଇ ରେଲୱେ ପୁଲିସ ପକ୍ଷରୁ ଆବଶ୍ୟକ ଆଇନଗତ ପଦକ୍ଷେପ ଜାରି ରହିଛି।
