August 31, 2026

ବୁଗୁଡ଼ାରେ ଫିକା ପଡିଲା ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯକ୍ରମ, ଚର୍ଚ୍ଚାରେ କାଉନସିଲରଙ୍କ ବର୍ଜନ ଘଟଣା , କଳଙ୍କିତ ଅଧ୍ୟାୟ ସୃଷ୍ଟି, ସାଧାରଣରେ ତୀବ୍ର ସମାଲୋଚନା 

IMG-20260831-WA0080
Share

 

ବୁଗୁଡା : ବୁଗୁଡ଼ା ଏନଏସିର ଉପାଧ୍ୟକ୍ଷାଙ୍କ ସମେତ ୧୩ରୁ ୧୨ ଜଣ କାଉନସିଲରଙ୍କ ଅନୁପସ୍ଥିତିରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବପରିସରରେ ନିରାଡମ୍ବର ଭାବେ ଚଉବନତମ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବୁଗୁଡା ନଗରପାଳ ଚିତ୍ରସେନ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ସମେତ କର୍ମଚାରୀଗଣ ଏବଂ ବିଜେପିର ଜଣେ ମାତ୍ର କାଉନସିଲର ଉପସ୍ଥିତ ରହିଥିଲେ। ବିଗତ ବର୍ଷଗୁଡିକରେ ସ୍ବାୟତ୍ତ ଶାସନ ଦିବସ ଧୂମଧାମରେ ଉତ୍ସାହର ସହ ପାଳିତ ହୋଇଆସୁଥିବା ବେଳେ ଏଥର ବିନା ଯଥୋଚିତ ପ୍ରସ୍ତୁତିରେ ନିରୁତ୍ସାହିତ ଭାବେ ପାଳିତ ହୋଇଥିବାରୁ ସାଧାରଣରେ ତୀବ୍ର ସମାଲୋଚନା ହେଉଥିବା ଦେଖିବାକୁ ମିଳିଛି। ପୂର୍ବ ବର୍ଷଗୁଡିକ ଭଳି ଏ ବର୍ଷ ସ୍କୁଲ ପିଲାଙ୍କୁ ନେଇ କୌଣସି ପ୍ରତିଯୋଗିତା ଆୟୋଜନ ସହ ପୁରସ୍କୃତ କରାଯାଇନଥିଲା କି ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇନଥିଲା। ଅନ୍ୟପକ୍ଷରେ ଏହି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବକୁ ଅଞ୍ଚଳର ମାନ୍ଯଗଣ୍ଯ ବ୍ଯକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇନଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଅଣଦେଖା କରାଯାଇଥିବା ଦେଖାଯାଇଥିଲା। ତେବେ ଚଳିତ ବର୍ଷ ଏନ୍ଏସି ପକ୍ଷରୁ କାମଚଳା ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯକ୍ରମ ଏବଂ ଏହାକୁ କାଉନସିଲରମାନଙ୍କ ବର୍ଜନ ଭଳି ଲଜ୍ଜାଜନକ ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁର୍ଭାଗ୍ୟ ବୋଲି ବିବେଚନା କହିଥିବା ବେଳେ ଅନ୍ୟ କେତେକ ଏହାକୁ ବୁଗୁଡା ନଗରବାସୀଙ୍କ ପ୍ରତି ପରିହାସ ବୋଲି ମତବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ସ୍ବାୟତ୍ତ ଶାସନ ଦିବସ ପାଳନ କାର୍ଯକ୍ରମକୁ ବର୍ଜନ କରିଥିବା କେତେକ କାଉନସିଲର ସେମାନଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଯେ, କୌଣସି ବୈଠକ କିମ୍ବା ପୂର୍ବ ପ୍ରସ୍ତୁତି ନଥାଇ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ସେମାନଙ୍କୁ ଗୁରୁତ୍ୱ ନଦେଇ ଅଣଦେଖା କରାଯାଇଛି। ଏଥି ସହ କାଉନସିଲରମାନଙ୍କୁ ଏକତ୍ରୀତ କରାଇ ଅନେକ ଥର ଭଳି ଏଥର ମଧ୍ୟ ଖୋସାମତ କିମ୍ବା ଚାପ ପ୍ରୟୋଗ ମାଧ୍ୟମରେ ନିର୍ଦ୍ଦାରଣ ପୁସ୍ତିକାର ଖାଲି ଫର୍ଦ୍ଦରେ ଦସ୍ତଖତ କରାଇ ନେଇ ସେମାନଙ୍କ ଅଗୋଚରରେ ସତମିଛ ନିର୍ଦ୍ଧାରଣମାନ ଲିପିବଦ୍ଧ କରାଯିବାର ଚକ୍ରାନ୍ତ ଥାଇପାରେ ବୋଲି ମନରେ ସନ୍ଦେହ ରହିଛି। ତେବେ ଅଞ୍ଚଳର ଚର୍ଚ୍ଚିତ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବ କାଉନସିଲରମାନଙ୍କ ବର୍ଜନ କାରଣରୁ ଫିକା ପଡିବା ସହ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଥିବା ବେଳେ ଜନସାଧାରଣରେ ଏହାକୁ ନିନ୍ଦା କରାଯିବା ସହ ଏହା ଏକ ଐତିହାସିକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଛି।

You may have missed