August 31, 2026

ଢୁର୍ରୋକୁସୁମ ର ମହିଳା ମୈଥିଲି କୁ ପ୍ରଶଂସା କଲେ ନରେନ୍ଦ୍ର ମୋଦି 

IMG-20260831-WA0078
Share

 

 

ସୁରେନ୍ଦ୍ର କଠାର,ବରଗଡ,ତା ୩୧/୮

 

ଜଙ୍ଗଲ ଦିନେ ପେଟର ଭୋକ ମେଣ୍ଟାଉଥିଲା, ସେହି ଜଙ୍ଗଲ ଆଜି ସେମାନଙ୍କର ପରିଚୟ । ଯେଉଁ ହାତ ଦିନେ କେବଳ ଶୁଖିଲା କାଠ ଓ ମହୁଲ ସଉଦା କରୁଥିଲା, ଆଜି ସାଜିଛି ବିଶାଳ ଅରଣ୍ୟର ପ୍ରହରୀ । ଜଙ୍ଗଲରୁ ଜୀବିକା…ଆଉ ଜୀବିକାରୁ ଜଙ୍ଗଲ ସଂରକ୍ଷଣର ନେତୃତ୍ୱ ନେଉଥିବା ସାଧାରଣ ଆଦିବାସୀ ମହିଳା ମୈଥିଲୀ ଭୁଏ। ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟ ପାଦଦେଶର ଢୁଡୁରକୁସୁମ ଗାଁର ୪୦ ବର୍ଷୀୟ ଏହି ମହିଳାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରଧାନମନ୍ତ୍ରୀ। ମନ୍ କି ବାତରେ ତାଙ୍କ କାର୍ଯ୍ୟକୁ ତାରିଫ କରିଛନ୍ତି । ସାରା ଦୁନିଆକୁ ପିଏମ୍ ମୋଦି ଜଣାଇଛନ୍ତି। ଦିନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ମୈଥିଲୀ ଏବେ ଇକୋ-ଟୁରିଜିମ୍ ସହ ଯୋଡ଼ି ହୋଇଛନ୍ତି। ଜଙ୍ଗଲରୁ ମିଳୁଥିବା ଉତ୍ପାଦ ବିକ୍ରି କରି ଜୀବିକା ନିର୍ବାହ କରୁଥିବା ବେଳେ ତାଙ୍କ ଜୀବନରେ ନୂଆ ସୁଯୋଗ ଆଣିଛି ଇକୋ-ଟୁରିଜିମ୍ । ତାଙ୍କ ସଫଳତା ଡେବ୍ରିଗଡ଼ ଅଞ୍ଚଳର ଅନ୍ୟ ମହିଳାଙ୍କୁ ଜଙ୍ଗଲ ସଂରକ୍ଷଣ ସହ ଯୋଡ଼ି ହେବାକୁ ଦେଇଛି ପ୍ରେରଣା। ମୈଥିଲୀ ଭୁଏଙ୍କୁ ବି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

ଜଙ୍ଗଲ ଉପରେ ନିର୍ଭରଶୀଳତାରୁ ଜଙ୍ଗଲ ସଂରକ୍ଷଣର ନେତୃତ୍ୱ। ୨୦୨୩ରୁ ଡେବ୍ରିଗଡ଼ରେ ସଂରକ୍ଷଣ ଓ ଇକୋଟୁରିଜମ୍ କାର୍ଯ୍ୟକ୍ରମ ସହ ଜଡ଼ିତ ଅଛନ୍ତି ମୈଥିଲୀ। ସେବେଠାରୁ ବଦଳିଗଲା ତାଙ୍କର ଜଙ୍ଗଲ ସହ ଥିବା ସମ୍ପର୍କ। ମୈଥିଲୀଙ୍କ ଏହି ପରିବର୍ତ୍ତନ ଗାଁର ଅନ୍ୟ ମହିଳାମାନଙ୍କ ମନରେ ବି ଆଶାର ନୂଆ କିରଣ ଆଣିଛି। ୬୦ରୁ ଅଧିକ ମହିଳା ଏହି ମହତ କାର୍ଯ୍ୟରେ ସାମିଲ ହୋଇଛନ୍ତି। କିଏ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଛି, ତ କିଏ ଜଙ୍ଗଲର ଘାସପଡ଼ିଆର ବିକାଶ ପାଇଁ ଦିନରାତି ଏକ କରିଦେଉଛି। ଆଉ କିଛି ମହିଳା ପର୍ଯ୍ୟଟକଙ୍କୁ ସେବା ଯୋଗାଇ ଇକୋ-ଟୁରିଜିମକୁ ନୂଆ ଶିଖରକୁୁ ନେଇଛନ୍ତି ମେଥିଲୀ ଓ ତାଙ୍କ ସହଯୋଗୀ। ପ୍ରକୃତିର ସୁରକ୍ଷା ଓ ନିଜ ସଂସାରର ସମୃଦ୍ଧି ଏକାଠି ହୋଇପାରେ, ପ୍ରମାଣିତ କରି ଦେଖାଇଛନ୍ତି ଡେବ୍ରିଗଡ଼ର ଏହି ବୀର ମହିଳାମାନେ। ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବାରୁ ଖୁସି ପ୍ରକାଶ କରିଛନ୍ତି ମେଥିଲୀ।

 

ମୈଥିଲୀ କେବଳ ନିଜେ ବଦଳିନାହାନ୍ତି, ବଦଳାଇଛନ୍ତି ନିଜ ଗାଁକୁ। ନୂଆ ଗଛ କାଟିବାକୁ ବାରଣ କରୁଛନ୍ତି। ଜଙ୍ଗଲରୁ ଅବିଚାରିତ ଭାବେ ସମ୍ପଦ ନେବାକୁ ରୋକୁଛନ୍ତି। ମୈଥିଲୀଙ୍କ ଉଦ୍ୟମରେ ଢୁଡୁରକୁସୁମ ଏବେ ପାଲଟୁଛି ଗ୍ରୀନ୍ ଭିଲେଜ୍ । ସେ ପ୍ରମାଣ କରିଦେଇଛନ୍ତି, ନାରୀଟିଏ ସଙ୍କଳ୍ପ ନେଲେ କେବଳ ନିଜ ଜୀବନ ନୁହେଁ, ବରଂ ସମ୍ପୂର୍ଣ୍ଣ ସମାଜ ଓ ପ୍ରକୃତିର ଭାଗ୍ୟ ବଦଳାଇପାରେ।

You may have missed