ରାସ୍ତା ଓ ଡ୍ରେନ ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଶୀଘ୍ର ତିଆରି ନେଇ ସ୍ଥାନୀୟ ବାସିନ୍ଦାଙ୍କ ଚେତାବନି

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସହରର ୧ ନଂ, ୨ ନଂ ଓ ୩ ନଂ ୱାର୍ଡର ରାସ୍ତା ଗୁଡିକ ବର୍ଷ ବର୍ଷ ହେଲା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି। ଏହି ୱାର୍ଡ ଗୁଡିକ ମଧ୍ୟରେ କେବଳ ୨ ନଂ ୱାର୍ଡ ଅନ୍ତର୍ଭୁକ୍ତ ଇରିଗେସନ କଲୋନୀର ପ୍ରାୟ ୧.୫ କି. ମି ଲମ୍ବ ବିଶିଷ୍ଠ ମୁଖ୍ୟ ରାସ୍ତାଟି ଭଲ ଭାବରେ ପିଚୁ କରାଯାଇଥିବା ବେଳେ,ଅବଶିଷ୍ଟ ମୁଖ୍ୟ ରାସ୍ତା ଗୁଡିକ ତଥା ଏହି ୱାର୍ଡ ଗୁଡିକର ଶତାଧିକ ଗଳି ରାସ୍ତା ଗୁଡିକର ଅବସ୍ଥା ସାଂଘାତିକ ଅଟେ। ଏହି ରାସ୍ତା ଗୁଡିକ ଦୀର୍ଘ ପ୍ରାୟ ଦଶ ବର୍ଷ ତଳେ ସମ୍ପୂର୍ଣ ଭାବରେ କଂକ୍ରିଟ କରାଯାଇଥିଲା। କିନ୍ତୁ ଏହାର କିଛି ଦିନ ପରେ ଏୟାରଟେଲ ଓ ଜିଓ ଭଳି ଟେଲିକମ କମ୍ପାନୀ ମାନଙ୍କ ଦ୍ୱାରା ସମସ୍ତ ମୁଖ୍ୟ ରାସ୍ତା ଗୁଡିକର ମଝିରେ କଂକ୍ରିଟ ଫଟାଇ ରାସ୍ତା ତଳେ କେବୁଲ ବିଛା ଯାଇଥିଲା ଏବଂ ଏହାଉପରେ କଂକ୍ରିଟ ନକରି ମାଟି ପକାଯାଇଥିଲା। ଏହାପରେ ରାସ୍ତା ଗୁଡିକର ଦୁର୍ଗତି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ଦାବି ପରେ ରାସ୍ତା ମରାମତି ନାମରେ ସମ୍ପୂର୍ଣ ଠୂକପାଲିସ କାମ କରାଯାଇଥିଲା ଏବଂ ଏହାର ଅଳ୍ପ ଦିନ ମଧ୍ୟରେ ସମସ୍ତ ରାସ୍ତା ଖାଲଢିପରେ ପରିପୂର୍ଣ୍ଣ ହୋଇଗଲା। ଏହାଛଡା ଏହି ୱାର୍ଡ ଗୁଡିକରେ ଥିବା ଡ୍ରେନ ଗୁଡିକ ମଧ୍ୟ ପୌରପରିଷଦ ପକ୍ଷରୁ ଠିକ ଭାବରେ ସଫା କରାଯାଉନାହିଁ। ଏହି କାରଣ ଗୁଡିକ ଯୋଗୁଁ ବର୍ଷା ଦିନରେ ଅଳ୍ପ ବର୍ଷା ହେଲେ ମଧ୍ୟ ଡ୍ରେନ ଗୁଡିକ ଉଛୁଳି ଖାଲଢିପ ରାସ୍ତା ଗୁଡିକ ଉପରେ ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ପାଣି ଜମା ହୋଇ ରହିବା କାରଣରୁ ଏହି ଅଞ୍ଚଳର ବାସିନ୍ଦାମାନେ ଯାତାୟତ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ବର୍ଷା ଦିନରେ ଛୋଟ ବଡ଼ ଦୁର୍ଘଟଣାମାନ ସାଧାରଣ କଥା ପାଲଟିଯାଇଛି।ଏହି ଗୁରୁତର ଅବସ୍ଥା ନିଜ ଆଖିରେ ସର୍ବଦା ଦେଖି ଆସୁଥିବା ୱାର୍ଡ ମେମ୍ବର ମାନଙ୍କ ବେପରୁଆ ମନୋଭାବ ଓ ଅପାରଗତା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ଗୁଡିକ ଆଜିପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ। ଏନେଇ ୱାର୍ଡ ମେମ୍ବର ମାନଙ୍କୁ ପଚାରିଲେ, ସେମାନେ କେବଳ ଗୋଟିଏ କଥା କହି ଆସୁଛନ୍ତି ଯେ’ ଏହି ରାସ୍ତା ଗୁଡିକର ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ ଆକଳନ ହୋଇ ସାରିଥିବାବେଳେ,ପୌରପରିଷଦ ଠାରେ ପାଣ୍ଠି ଅଭାବ ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଏନେଇ ଏହି ୱାର୍ଡ ଗୁଡିକର ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଘନେଇ ଚାଲିଥିବାବେଳେ, ବର୍ତ୍ତମାନ ରାସ୍ତା ଗୁଡିକର ପରିସ୍ଥିତି ଆହୁରି ଅସମ୍ଭାଳ ହେଉଥିବାବେଳେ, ୱାର୍ଡ ବାସିନ୍ଦା ଚେତାବନି ଦେଇଛନ୍ତି ଯେ’ ବଡ ଧରଣର ଜନ ଅସନ୍ତୋଷ ସୃଷ୍ଟି ହେବା ଆଗରୁ ଭବାନୀପାଟଣା ପୌରପରିଷଦ ଏହି ୱାର୍ଡ ଗୁଡିକର ସମସ୍ତ ମୁଖ୍ୟ ରାସ୍ତା ଓ ଗଳି ରାସ୍ତା ଗୁଡିକୁ ସମ୍ପୂର୍ଣ ଭାବରେ ନିର୍ମାଣ କରି ସମସ୍ତ ଡ୍ରେନ ଗୁଡିକର ସଫେଇ ମଧ୍ୟ କରିଦିଅନ୍ତୁ ନଚେତ ଆଗକୁ ଆନ୍ଦୋଳଣାତ୍ମକ ପନ୍ଥା ଗ୍ରହଣ କରାଯିବ।
