ବିଧାନସଭା ସ୍ଥାୟୀ କମିଟି ବୈଠକରେ ଗଜପତିର ବିଭିନ୍ନ ଉନ୍ନୟନ ଓ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ

ପାରଳାଖେମୁଣ୍ଡି: ଓଡ଼ିଶା ବିଧାନସଭାର **”କମିଟି ଅନ୍ ପେପର୍ସ ଲେଡ୍ ଅନ୍ ଦ ଟେବୁଲ୍”**ର ଦ୍ୱିତୀୟ ବୈଠକ ସୋମବାର (୨୭ ଜୁଲାଇ) ସକାଳ ୧୧ଟା ୩୦ ମିନିଟ୍ରେ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୫ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କମିଟି ସଦସ୍ୟ ଭାବେ ଯୋଗଦେଇ ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଐତିହ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇଥିଲେ।
ବୈଠକରେ ଜଳ ସମ୍ପଦ ବିଭାଗ ଅଧୀନସ୍ଥ **ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଲିମିଟେଡ୍ (OLIC)**ର ବାର୍ଷିକ ରିପୋର୍ଟ ଉପସ୍ଥାପନରେ ବିଳମ୍ବ, ୨୦୨୧–୨୨ ବର୍ଷର ବାର୍ଷିକ ରିପୋର୍ଟ ଏବଂ ୨୦୨୨–୨୩ରୁ ୨୦୨୫–୨୬ ପର୍ଯ୍ୟନ୍ତ ବକେୟା ହିସାବର ଚୂଡ଼ାନ୍ତକରଣ ସମ୍ପର୍କିତ ସ୍ଥିତି ଓ ବିଳମ୍ବର କାରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରୀ ବିଭାଗଗୁଡ଼ିକର ରିପୋର୍ଟ ଉପସ୍ଥାପନ ପ୍ରକ୍ରିୟାର ସମୀକ୍ଷା ମଧ୍ୟ କମିଟି ପକ୍ଷରୁ କରାଯାଇଥିଲା।
ବୈଠକ ଅବସରରେ OBCCର ପରିଚାଳନା ନିର୍ଦ୍ଦେଶକ ତଥା ଗଜପତିର ପୂର୍ବତନ ଜିଲ୍ଲାପାଳ ଅନୁପମ ସାହାଙ୍କ ସହ ବିଧାୟକ ରୂପେଶ ପାଣିଗ୍ରାହୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କେଉଁଝର ମା’ ତାରିଣୀ ପୀଠ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ OBCC ମାଧ୍ୟମରେ କାର୍ଯ୍ୟକରୀ ହେଉଥିବା ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ମଧ୍ୟ ସର୍ବାଙ୍ଗୀଣ ଉନ୍ନତି ଓ ଆଧୁନିକୀକରଣ ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।
ଏହାସହ ପାରଳାଖେମୁଣ୍ଡି–ବରଗଡ଼ ସଡ଼କର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଓ ଗଜପତି ଜିଲ୍ଲାର ଐତିହ୍ୟବାହୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ‘ଐତିହ୍ୟ ବିଦ୍ୟାଳୟ’ ତାଲିକାରେ ସାମିଲ କରିବାକୁ ବିଧାୟକ ଦାବି ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ପାରଳା ଏମ୍.ଆର୍.ବି. ହାଇସ୍କୁଲ ଓ ଗୁରାଣ୍ଡିର ଏସ୍.କେ.ସି.ଜି. ହାଇସ୍କୁଲକୁ ଐତିହ୍ୟ ବିଦ୍ୟାଳୟରେ ପରିଣତ କରିବା ସହ ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟାନ୍ୟ ପୁରାତନ ବିଦ୍ୟାଳୟକୁ ମଧ୍ୟ ଏହି ତାଲିକାରେ ସାମିଲ କରିବା ପାଇଁ ସେ ଅନୁରୋଧ କରିଥିଲେ।
ଏହି ସ୍ଥାୟୀ କମିଟି ବୈଠକରେ ବିଧାୟକ ପ୍ରଶାନ୍ତ ବେହେରା, ଉମାଚରଣ ମଲ୍ଲିକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ଶେଖର ସାହୁ, ଫକିର ମୋହନ ନାୟକ, ସତ୍ୟଜିତ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।
