July 26, 2026

କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା

IMG-20260726-WA0010
Share

 

 

ସମ୍ବଲପୁର, ୨୮. ୦୭:ବିଗତ ୯ ବର୍ଷ ଧରି ଧାର୍ମିକ ପରମ୍ପରାର ପ୍ରତୀକ ପାଲଟିଥିବା କୁସୁମୀ ଗୁଦଗୁଦା ରାସ୍ତାସ୍ଥିତ ରାମଲୀଳା ପଡ଼ିଆରେ ଶ୍ରୀରାମଙ୍କ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଦିନ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଏହି ପଡ଼ିଆରେ ମନ୍ଦିର ନିର୍ମାଣ ପୂର୍ବରୁ ବାସ୍ତୁ ଦୋଷ ନିରାକରଣ ହେତୁ ଭୂମୀ ପରୀକ୍ଷା କରାଯାଇଛି।

ପ୍ରତିବର୍ଷ ଚୈତ୍ର ମାସରେ ଏଠାରେ ସାତ ଦିନ ବ୍ୟାପୀ ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ଦ୍ୱାରା ରାମାୟଣର ସାତ କାଣ୍ଡ ଆଧାରିତ ରାମଲୀଳା ଅନୁଷ୍ଠିତ ହୋଇଆସୁଛି। ଶ୍ରଦ୍ଧାଳୁଙ୍କ ଆଗ୍ରହ ଯୋଗୁଁ ଏହି ସ୍ଥାନଟି ବର୍ତ୍ତମାନ “ରାମଲୀଳା ପଡ଼ିଆ” ନାମରେ ଗୁଗଲ୍ ମ୍ୟାପ୍ ରେ ମଧ୍ୟ ଚିହ୍ନଟ ହୋଇସାରିଛି।

ମନ୍ଦିର ନିର୍ମାଣ ପାଇଁ ଆୟୋଜିତ ଏହି ଭୂମୀ ପରୀକ୍ଷା ତିଗିରିଆ ନିବାସୀ ତଥା ପଞ୍ଚଗାଁର ପଣ୍ଡିତ ନିରୋଦ କୁମାର ଦାସଙ୍କ ଦ୍ୱାରା ବୈଦିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସର୍ବ ଦେବାଦେବୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା ସହ ଶାନ୍ତି ପାଠ ଓ ହୋମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବିଭୂତି କଲ୍ୟାଣ ପଟେଲ ଦାୟିତ୍ୱ ଗ୍ରହଣ କରିଥିଲେ। ଏଥିରେ ଆଦିତ୍ୟ ପଟେଲ, ସତ୍ୟ ନାରାୟଣ ହୋତା,ମିତ୍ରଭାନୁ ନାଏକ, ଚନ୍ଦ୍ରଭାନୁ ନାଏକ, ସୁରୀ ମହାକୁଲ, ଚନ୍ଦ୍ରହାସ କର୍ଣ୍ଣ,ମାନସ ମହାନ୍ତି, ସୁଲୋଚନା ଦାସ, ଜ୍ୟୋତି ପଟେଲ, ଲିଲିମା ପଟେଲ, ଅରୁଣ ନାଏକ, ଦୀପକ ସାହୁ, ସୁବାସ ପଟେଲ, ଅନୁପ ପଧାନ, ସଞ୍ଜୀବ ପଟେଲ, ତାପସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆୟୋଜକମାନଙ୍କ ସୂଚନା ଅନୁସାରେ, ଆଗାମୀ ଦିନରେ ଏକ ଶୁଭ ଦିନ ଦେଖି ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏହି ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି।

ରାମଲୀଳା ପଡ଼ିଆରେ ମନ୍ଦିର ନିର୍ମାଣ ହେଲେ କୁସୁମୀ ଓ ଆଖପାଖ ଅଞ୍ଚଳର ଧାର୍ମିକ ପରମ୍ପରା ଆହୁରି ସମୃଦ୍ଧ ହେବ ବୋଲି ଭକ୍ତମାନେ ଆଶା ପ୍ରକାଶ କରିଛନ୍ତି।