ଚର୍ଚ୍ଚାରେ ପ୍ରଶାସନିକ ଉଦାସୀନତା ଓ ନେତାଙ୍କ ଅପାରଗତା, ଗୋଲିଆଠୁ ତାଳସର ରାସ୍ତାର ଅବସ୍ଥା ଅତି ଶୋଚନୀୟ , ତେଜୁଛି ତୀବ୍ର ଅସନ୍ତୋଷ, ତୁରନ୍ତ ପ୍ରତିକାର ଦାବି

ବୁଗୁଡ଼ା : ତା ୨୮/୦୬/୨୬ : ସରକାରଙ୍କ ନାରା “ବିକଶିତ ଓଡିଶା, ବିକଶିତ ଗାଁ” ଏବଂ “ବିକାଶର ଧାରା, ଓଡିଶା ସାରା” ସମ୍ପ୍ରତି ବୁଗୁଡା ଅଞ୍ଚଳବାସୀଙ୍କ ପାଇଁ ପରିହାସର ବାଣୀ ପାଲଟିଛି। ଦେଶ ସ୍ବାଧୀନତାର ଦୀର୍ଘ ୭୮ ବର୍ଷ ବିତିଯାଇଥିଲେ ବି ନିଜ ଗାଁକୁ ଭଲ ରାସ୍ତାଟିଏ ଗ୍ରାମବାସୀ ପାଇପାରି ନାହାନ୍ତି । ଖରା ଓ ଶୀତ ଦିନରେ ଖାଲଢେପରେ ପଡି ଲୋକେ ଗାଁକୁ ଯାଉଥିବା ବେଳେ ବର୍ଷା ଦିନେ ଯମଯନ୍ତ୍ରଣା ଭୋଗୁଛନ୍ତି । ପ୍ରାଶାସନିକ ଉଦାସୀନତା ଓ ନେତାଙ୍କ ଅପାରଗତା ଯୋଗୁଁ ତିନିଖଣ୍ଡ ଗାଁର ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଏଭଳି ଅତ୍ଯନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାର ଦୃଶ୍ୟ ବୁଗୁଡା ବ୍ଲକ ଉପାଧ୍ୟକ୍ଷଙ୍କ ଗୋଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଗୋଲିଆ ଗ୍ରାମ ଉପକଣ୍ଠସ୍ଥ କୋଇଲୁଣ୍ଡି ଛକଠାରୁ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀ ଗାଁ ଦେଇ ତାଳସର ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଅତୀବ ଦୟନୀୟ ହୋଇପଡିଛି। ଏ ନେଇ ଏହି ତିନିଗୋଟି ଗାଁରେ ଲୋକେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଉଛି। ଗତ ୨୦୨୩ ଅଗଷ୍ଟ ୨୮ ତାରିଖ ଦିନ ଏହି ରାସ୍ତା ଯୋଗୁଁ ହିନସ୍ଥା ହେଉଥିବା ଗ୍ରାମବାସୀମାନେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରି ରାସ୍ତା ତିଆରି ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ତତ୍କାଳୀନ ବିଡିଓ ବାବୁ ରାସ୍ତା ନିର୍ମାଣର ଆଶ୍ବାସନା ଦେଇ ଲୋକଙ୍କୁ ଫେରାଇ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ନେତାଗଣଙ୍କ ମିଥ୍ଯା ପ୍ରତିଶ୍ରୁତିରେ ଫସିଯାଇ ଲୋକେ ଭୋଟ ମଧ୍ୟ ଦେଇଥିଲେ । ଭୋଟ ସରିଯାଇ ସରକାର ବଦଳି ଯାଇ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି କଦର୍ଯ୍ୟ ରାସ୍ତାର ଅବସ୍ଥା ବଦଳିଲା ନାହିଁ କି ଗାଁ ଲୋକଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ। ବର୍ଷା ଦିନେ ସେହି ପାଣିଭରା ଖାଲଖମା ରାସ୍ତାରେ ଯାନବାହାନ ଚଳାଚଳ କଷ୍ଟକର ହେଉଥିବା ବେଳେ ଗୋଲିଆ ଗ୍ରାମସ୍ଥ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରଛାତ୍ରୀ ଏବଂ ଭତ୍ତା ଓ ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଅନ୍ଯପକ୍ଷରେ ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ୟ ଦୁଇ ଗାଁକୁ ଯାଇ ନପାରି ବାଟରେ ଅଟକି ଯାଉଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି। ଏଥି ପାଇଁ ସ୍ଥାନୀୟ ପ୍ରଶାସନର ନିନ୍ଦନୀୟ ଉଦାସୀନତା ଓ ନେତାଙ୍କ ଅକ୍ଷମଣୀୟ ଅପାରଗତାକୁ ଦାୟୀ କରି ଦୁର୍ଦ୍ଦଶାଗ୍ରସ୍ତ ଗ୍ରାମବାସୀମାନେ ଏକ ବଡ ଧରଣର ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ମିଥ୍ଯା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବୋକା ବନାଉଥିବା ନେତା ଓ ବାବୁଙ୍କୁ ସେହି ଦୁର୍ଗମ ପଥରେ ଚଲାଇ ନେବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାଯାଇଛି। ତେଣୁ, ଉକ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଯେକୌଣସି ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଥିବାଯୋଗୁଁ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ସାଧାରଣରେ ଦୃଢ ଦାବି ହେଉଛି।
