June 19, 2026

ଯୁଯୁମୁରା ବ୍ଲକ ସରପଞ୍ଚ ସଙ୍ଘର ରାଜ୍ୟପାଳଙ୍କୁ ଦାବି ପତ୍ର  ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ମିଳୁ 

IMG-20260619-WA0018
Share

 

 

ସମ୍ବଲପୁର, ୧୯. ୦୬():ନିଜ ତିଖିରି ପଞ୍ଚାୟତର ସରପଞ୍ଚ ଚେମେଲୀ ମାଝୀ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଗତ ୧୧ତାରିଖରେ ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରକୁ ଆସି ଅଞ୍ଚଳବାସୀ ତଥା ଅଞ୍ଚଳର ଉନ୍ନତିକଳ୍ପେ ଆଲୋଚନା କରୁଥିବା ବେଳେ, ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟ କେତେକ ବ୍ୟକ୍ତିବିଶେଷ ତାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରେ କୁଭାଷା ପ୍ରୟୋଗ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତରଫରୁ ପୋଲିସକୁ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ପ୍ରଦାନ କରାଯାଇଥିଲା । ଫଳସ୍ବରୂପ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରିବା ପରିବର୍ଭେ, ଘଟଣାଟିକୁ ଆହୁରି ସଙ୍ଗିନ କରିଥିଲେ ଏବଂ ଚାମେଲି ଓଝା, ସରପଞ୍ଚଙ୍କୁ ଜୋର-ଜବରଦସ୍ତ ପୋଲିସ ଗାଡିରେ ବସାଇ ଥାନାକୁ ନେଇ ଯାଇଥିଲେ । ପୋଲିସ ଗାଡିରେ ନେବା ବେଳେ, ସୁରକ୍ଷା ଦାୟିତ୍ବରେ ଥ‌ିବା ପୋଲିସ କର୍ମଚାରୀ ଚାମେଲି ଓଝାଙ୍କ ମୋବାଇଲ ଫୋନ୍ ଛଡାଇନେବା ସହ ତାଙ୍କୁ ମରଣାନ୍ତକ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି । ଏପରିକି, ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରି, ତାଙ୍କୁ ଗିରଫ କରି କାରାଗାରକୁ ପ୍ରେରଣ କରାଯାଇଛି । ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅନ୍ୟ କର୍ମଚାରୀଙ୍କ ମାନସିକ ନିର୍ଯ୍ୟାତନା ଓ ପୋଲିସର ଶାରୀରିକ ନିର୍ଯ୍ୟାତନାରେ ଗଭୀର ଭାବେ ଅସୁସ୍ଥ ହୋଇପଡିଥିବା ସମ୍ପୃକ୍ତ ସରପଞ୍ଚ ଚାମେଲି ଓଝା କାରାଗାର କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ଆଜି ଡାକ୍ତରଖାନାରେ ଶଯ୍ୟାଶାୟୀ । ଜଣେ କାର୍ଯ୍ୟରତ ଲୋକପ୍ରତିନିଧି (ସରପଞ୍ଚ)ଙ୍କ ପ୍ରତି ପୋଲିସର ଅମାନୁଷିକତା ଅଧୁନା ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କ ଓଡ଼ିଶା ଆଇନ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିବାକୁ ବସିଲାଣି । ଏପରିସ୍ଥଳେ ଉଚିତ ପଦକ୍ଷେପ ନେବାକୁ ଆଜି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଯୁଯୁମୁରା ବ୍ଲକ ବିଡ଼ିଓ ରାଜେଶ ଏକ୍କାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ସରପଞ୍ଚ ଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଓ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରାଯାଇଛି।

 

ଏଥିରେ ଉଲ୍ଲେଖ କରାଯାଇଛିଯେ, ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତର ଓ ମହାକାଳପଡ଼ା ଥାନାର ସିସି ଟିଭିରେ ଏବଂ ଚାମେଲି ଓଝାଙ୍କ ମୋବାଇଲରେ ରେକର୍ଡ ହୋଇଥିବା ସମସ୍ତ ବିଷୟକୁ ବିଧିବଦ୍ଧ ଭାବେ ଅନୁଧ୍ୟାନ ଓ ତଦନ୍ତ କରାଯାଉ।

ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାକାଳପଡ଼ା ପୋଲିସର ଅଭିଯୋଗ କ୍ରମେ ଚାମେଲି ଓଝାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ମୋକଦ୍ଦମାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ସସମ୍ମାନେ ନିର୍ଦୋଷରେ ଖଲାସ କରାଯାଉ । ଜନପ୍ରତିନିଧିମାନଙ୍କ ପ୍ରତି ଅମଲାତନ୍ତ୍ର ଦ୍ବାରା ହେଉଥିବା ବିବିଧ ଅନ୍ୟାୟ ତଥା ନିର୍ଯ୍ୟାତନାର ମୂଳୋତ୍ପାଟନ ନିମନ୍ତେ ଅଙ୍କୁଶ ଲଗାଯାଇ ସମ୍ପୃକ୍ତ ବିଡ଼ିଓ ଓ ଥାନା ଅଧିକାରୀଙ୍କୁ ଚାରିରୀରୁ ବହିଷ୍କାର କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।ସଙ୍ଘ ସଭାପତି ଦିବାକର ବେହେରା, ଜିଲ୍ଲା ସରପଞ୍ଚ ସଂଘ ସଭାପତି ପ୍ରଫୁଲ୍ଲ ମିର୍ଦ୍ଧା,ସରପଞ୍ଚ ମମତା ପ୍ରଧାନ, ରିତାଞ୍ଜଳୀ ନାଏକ,ରିଙ୍କି ଭାଇଁସାଲ,ବନିତା ଭୋଇ, ଖୁଲଣା ବେହେରା,ଜେନାମଣୀ ପ୍ରଧାନ, ବାସନ୍ତୀ ପ୍ରଧାନ ପ୍ରମୁଖ ଏହି ଦାବିପତ୍ରରେ ଦସ୍ତଖତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

You may have missed