ବିପଦସଙ୍କୁଳ ଅବସ୍ଥାରେ ରାସ୍ତାକଡସ୍ଥ ଶୁଖିଲା ଗଛ, ସୃଷ୍ଟି କରିଛି ସମ୍ଭାବ୍ଯ ବିପଦ, ଜନ ଆଶଙ୍କାକୁ ସ୍ଥାନୀୟ ପ୍ରଶାସନର ଅଣଦେଖା, ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ବୁଗୁଡ଼ା : ତା ୧୪/୦୬/୨୬ : ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ ବାଘୁଆ ସେତୁ ନିକଟରେ ବିରାଟ ଶୁଖିଲା ଥୁଣ୍ଟା କାକପୋଇ ଗଛ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡକ ଦେଇ ଶହ ଶହ ଯାନବାହାନ ଚଳାଚଳ ସାଙ୍ଗକୁ ଲୋକେ ଯାତାୟାତ କରନ୍ତି । ରାସ୍ତା କଡରେ ଏତାଦୃଶ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ପ୍ରକାଶ ଥାଉ କି , ଗତ ଏପ୍ରିଲ ମାସରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ପୋଲସରାରୁ ନିଜ ଗାଁକୁ ଫେରୁଥିବା ବେଳେ ଉକ୍ତ ଥୁଣ୍ଟା କାକପୋଇ ଗଛରୁ ଶୁଖିଲା ଛୋଟ ଡାଳଟିଏ ଖସି ସେମାନଙ୍କ ଉପରେ ପଡିଯିବାରୁ ଭାରସାମ୍ଯ ହରାଇ ରାସ୍ତାକଡକୁ ଚାଲିଯାଇ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ହେଁ ସେ ଦୁହେଁ ସାମାନ୍ୟ ଆହତ ହୋଇଥିଲେ । ଅନ୍ୟପକ୍ଷରେ ଏଇ କିଛି ମାସ ତଳେ ବାଘୁଆ ସେତୁ ନିକଟସ୍ଥ ସେହି ବିପଦଜ୍ଜନକ ଶୁଖିଲା କାକପୋଇ ଗଛ ତଳେ ଜମାଥିବା ଆବର୍ଜନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳି ଉଠିଥିଲା ଏବଂ ଏନେଇ ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେବେଠାରୁ ସେହି ବକଳ ପୋଡା ଶୁଖିଲା ଗଛ ନିକଟ ଦେଇ ଯାତାୟାତ ବେଳେ ଲୋକେ ଆଶଙ୍କା ମଣୁଛନ୍ତି। ବିଶେଷକରି କାଳବୈଶାଖି ତାଣ୍ଡବ କାଳରେ ସେହି ଗଛ ଦ୍ବୟକୁ ଅତିକ୍ରମ ବେଳେ ଲୋକଙ୍କ ମନରେ ଜୀବନହାନୀର ଭୟ ଘାରୁଛି। ଆଗାମୀ ସମୟେ ସମ୍ଭାବ୍ଯ ବିପଦକୁ ଏଡାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କୌଣସି ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରି ହାତବାନ୍ଧି ବସିରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ, ଯଦି ଏହି ବିପଦ ଆହ୍ବାନକାରୀ ଗଛଟି ଯୋଗୁଁ କେବେବି କୌଣସି ଦୁଃଖଦାୟକ ଘଟଣା ଘଟେ ତେବେ ସେଥିପାଇଁ ସ୍ଥାନୀୟ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏଣୁ, ଲୋକଙ୍କ ମନରେ ରହିଥିବା ଜୀବନହାନୀର ଶଙ୍କା ଦୂରୀକରଣ ନିମନ୍ତେ ଏହି ଗଛଟିର ଉଚ୍ଛେଦ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
