ନୂଆ ସରକାର ଙ୍କ ନୂଆ ସଂକଳ୍ପ, ପୁଣି ହସିବ ଶାରଳା ସୂତାକଳ,କଥା ଦେଇ କଥା ରଖିଲେ ମୋହନ ସରକାର..
କଥା ଦେଇ କଥା ରଖିଲେ ସରକାର। ୨୬ ବର୍ଷ ଧରି ନିର୍ଜିବ ହୋଇପଡ଼ିରହିଥିବାତିର୍ତ୍ତୋଲ ସାରଳା ବୁଣାକାର ସମବାୟ ସୂତାକଳ ପୁଣି ଫେରିବ ଟ୍ରାକକୁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବା ପାଇଁ ଆଗକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଦୀର୍ଘ ଦୁଇ ଦଶକରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା ଏହି ଐତିହାସିକ ସୂତାକଳ ପୁଣିଥରେ ଜୀବନ ପାଇବାକୁ ଯାଉଛି।”
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଗର୍ବ ଥିବା ସାରଳା ବୁଣାକାର ସମବାୟ ସୂତାକଳ ୨୬ ବର୍ଷ ଧରି ଅଚଳ ହୋଇ ପଡ଼ିଥିଲା। ୧୯୯୯ ମସିହାର ମହାବାତ୍ୟା ପରେ ଉତ୍ପାଦନ ବନ୍ଦ ହୋଇଯାଇଥିଲା ଏବଂ ଧୀରେ ଧୀରେ ଏହି ଶିଳ୍ପ ପ୍ରତିଷ୍ଠାନ କେବଳ ସ୍ମୃତିରେ ସୀମିତ ହୋଇ ରହିଥିଲା।କିନ୍ତୁ ଏବେ ବଦଳିବ ଚିତ୍ର।ଜିଲ୍ଲା ମହୋତ୍ସବ କଲ୍ଲୋଳ ମଞ୍ଚରୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ସାକାର କରିବାକୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବ୍ୟକ୍ତିଗତ ଭାବେ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସୂତାକଳକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଶିଳ୍ପମନ୍ତ୍ରୀଙ୍କ ଉଦ୍ୟମରେ ହସ୍ତତନ୍ତ ବିଭାଗ ପାଇଁ ୨୩ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛି। ୨୫ ଏକର ପରିମିତ ଜମିରେ ନିର୍ମିତ ଏହି ସୂତାକଳ ପୁଣି କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଯୁବକଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବ।
୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ସୂତାକଳ ଏକଦା ଓଡ଼ିଶାର ବସ୍ତ୍ର ଶିଳ୍ପର ପ୍ରମୁଖ କେନ୍ଦ୍ର ଥିଲା। ଏଠାରୁ ଉତ୍ପାଦିତ ସୂତା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନି ହେଉଥିଲା। ଏବେ ଏହାର ପୁନରୁଦ୍ଧାର କେବଳ ଗୋଟିଏ କାରଖାନାର ପୁନଃଜନ୍ମ ନୁହେଁ, ବରଂ ତିର୍ତ୍ତୋଲ ଓ ଜଗତସିଂହପୁରର ଶିଳ୍ପ ଐତିହ୍ୟର ପୁନର୍ଜାଗରଣ।
“ଦୀର୍ଘ ୨୬ ବର୍ଷର ଅପେକ୍ଷା ପରେ ପୁଣି ଘୂରିବ ସୂତାକଳର ଚକ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ବାସ୍ତବ ରୂପ ଦେବାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଭୂମିକାକୁ ସାଧାରଣ ଲୋକ ପ୍ରଶଂସା କରୁଛନ୍ତି। ବନ୍ଦ ହୋଇଥିବା ଶିଳ୍ପକୁ ପୁଣି ଜୀବନ ଦେବାର ଏହି ପଦକ୍ଷେପ ଜଗତସିଂହପୁରର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।”। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )
