ଭବାନୀପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ…

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ଦେଇ ଯାଇଥିବା କେସିଙ୍ଗା-ଜୁନାଗଡ଼ ବାଇପାସ ରାସ୍ତାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଘଟଣା ଅନୁଯାୟୀ, ଗତ ରାତିରେ HR 26 CB 5384 ନଂ ବିଶିଷ୍ଟ ଏକ ବି.ଏମ.ଡବ୍ଲୁ କାର ଅତି ଦ୍ରୁତ ବେଗରେ ଆସି ବାଇପାସ ରାସ୍ତା କଡରେ ଠିଆ ହୋଇଥିବା OD 18 G 4932 ନଂ ବିଶିଷ୍ଟ ଏକ ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା। ଯାହାଫଳରେ ବି.ଏମ.ଡବ୍ଲୁ କାରଟି ସମ୍ପୂର୍ଣ ଚୁରମାର ହୋଇ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା ଏବଂ ସେଥିରେ ସବାର ଥିବା ଦୁଇଜଣ ବ୍ୟକ୍ତି ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ଜୋରଦାର ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି କାର ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତିକିବେଳକୁ ଦୁଇଜଣ ଜାକ ମୃତ୍ୟୁବରଣ କରିସାରିଥିଲେ। ଏନେଇ ସ୍ଥାନୀୟ ଲୋକେ ଭବାନୀପାଟଣା ସଦର ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଥିଲା ଏବଂ ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିଲା ଯେ’ ମୃତକ ଦୁଇଜଣ ହେଲେ, ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ଼ ଅଞ୍ଚଳର ପିଣ୍ଟୁ ବାଗ ଓ କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ। ଏହି ଘଟଣା ନେଇ ସଦର ପୋଲିସ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିବାସହ, ଦୁଇ ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠାଇ ଦୁର୍ଘଟଣାର ପ୍ରକୃତ କାରଣ ଯାଞ୍ଚ ଆରମ୍ଭ କରିଦେଇଛି।
