ହୃଦଘାତରେ ଗାଁ ସାଥି ଦୁଷ୍ମନ୍ତ ବିଶ୍ୱାଳଙ୍କ ପରଲୋକ
ଅସ୍ତରଙ୍ଗ,ତା ୨୯/୫,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜିଉନ୍ତି ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନର ଜଣେ ଜଣାଶୁଣା ଉଦୀୟମାନ ସଭ୍ୟ ତଥା ସ୍ଥାନୀୟ ଗାଁ ସାଥି ଦୁଷ୍ମନ୍ତ ବିଶ୍ୱାଳଙ୍କର ହୃଦଘାତରେ ଆକସ୍ମିକ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିବା ବେଳେ ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।
ସୂଚନା ଅନୁଯାୟୀ ଦୁଷ୍ମନ୍ତ ଜଣେ କର୍ତ୍ତବ୍ୟନିଷ୍ଠ ଗାଁ ସାଥି ଭାବେ ପଞ୍ଚାୟତରେ ବେଶ୍ ପରିଚିତ ଥିଲେ। ସେ ସଦା ସର୍ବଦା ଗ୍ରାମର ଉନ୍ନତିମୂଳକ କାର୍ଯ୍ୟରେ ଆଗଭର ରହୁଥିଲେ। ତାଙ୍କର ମେଳାପୀ ଓ ପରୋପକାରୀ ଗୁଣ ଯୋଗୁଁ ସେ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣା ସାଜିଥିଲେ। ଶୁକ୍ରବାର ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା ସହ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବାପା ରାଜକିଶୋର ବିଶ୍ୱାଳ ଙ୍କ ସମେତ ପରିବାର ର ପ୍ରମୁଖ ଦଦସ୍ୟ ମନେ ଉପସ୍ଥିତ ଥିଲେ l ଦୁଷ୍ମନ୍ତଙ୍କ ଏଭଳି ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ର ସଭାପତି ନିରଞ୍ଜନ ବିଶ୍ୱାଳ, ସମେତ ସମସ୍ତ ସଭ୍ୟ,କେନ୍ଦ୍ରାପଟି ପଞ୍ଚାୟତ ଏବଂ ଆଖପାଖ ଗ୍ରାମର ଶତାଧିକ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ତାଙ୍କର ମୃତ୍ୟୁରେ ଅଞ୍ଚଳ ଏକ ଅମାୟିକ ଓ ପ୍ରତିଭାବାନ ଯୁବକଙ୍କୁ ହରାଇଲା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ସାଧାରଣ ପ୍ରକାଶ କରିଛନ୍ତି।
