ଉମରକୋଟ ନିକଟସ୍ଥ ନାୟକଗୁଡ଼ାରେ ଜୈବସାର ପ୍ରସ୍ତୁତି ଓ ବ୍ୟବହାର ନେଇ ତାଲିମ ଶିବିର, ସନ୍ତୁଳିତ ଖତସାର ପ୍ରୟୋଗକୁ ଗୁରୁତ୍ୱ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ନାୟକଗୁଡ଼ା ଠାରେ ଆକ୍ସେସ୍ ଡେଭଲପମେଣ୍ଟ୍ ସର୍ଭିସେସ୍ ର ପେଣ୍ଡ୍ରାଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ CRRI ତରଫରୁ ସନ୍ତୁଳିତ ଖତସାର ପ୍ରୟୋଗ, ଜୈବସାରର ବ୍ୟବହାର ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତି ଉପରେ କୃଷକ ଉତ୍ପାଦକ କମ୍ପାନୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପେଣ୍ଡ୍ରାଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ ଅଧୀନରେ କାର୍ଯ୍ୟରତ ଗ୍ରାମର ୭୫ ଜଣ କୃଷକ ତାଲିମ୍ ଶିବିରରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସରକାରଙ୍କ ପାଣ୍ଠିରେ “ଧାନ ଆଧାରିତ ଫସଲ ଏବଂ କୃଷି ପ୍ରଣାଳୀରେ ଗୁଣାତ୍ମକ ବାୟୋଇନୋକୁଲାଣ୍ଟର ଉତ୍ପାଦନ, ଲୋକପ୍ରିୟତା ଓ ଯୋଗାଣ” ପ୍ରକଳ୍ପ ଅଧୀନରେ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା। ICAR ଏବଂ DAFE ନୂଆଦିଲ୍ଲୀର “ମେରା ଗାଁ ମେରା ଗୌରବ” କାର୍ଯ୍ୟକ୍ରମର ଅଂଶ ଭାବେ ଆୟୋଜିତ ଏହି ତାଲିମରେ ସାରର ସନ୍ତୁଳିତ ବ୍ୟବହାର ଓ ଜୈବସାରର ଗୁରୁତ୍ୱ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରମୁଖ ବୈଜ୍ଞାନିକ ଡକ୍ଟର ବିଶ୍ୱଜିତ ମଣ୍ଡଳ ସଂଯୋଜନା କରିଥିଲେ। ସେ ଜୈବସାରର ଆର୍ଥିକ ଲାଭ ସହ ପରିବେଶ ସୁରକ୍ଷାରେ ଏହାର ଭୂମିକା ବିଷୟରେ ଚାଷୀମାନଙ୍କୁ ସଚେତନ କରିଥିଲେ। ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୁଦୀପ୍ତ ପାଉଲ NRRR-Endo N ର ଗୁରୁତ୍ୱ ବିଷୟରେ କହିଥିଲେ। ଏହା ଫସଲର ନାଇଟ୍ରୋଜେନ ଆବଶ୍ୟକତାର ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ପୂରଣ କରିପାରିବ ବୋଲି ସେ ଉଲ୍ଲେଖ କରିଥିଲେ। ସେହିପରି ବୈଜ୍ଞାନିକ ଡକ୍ଟର ରାଘବେନ୍ଦ୍ର ଗୌଡ କ୍ଷତିକାରକ ରାସାୟନିକ ସାର ବଦଳରେ ପରିବେଶ ଅନୁକୂଳ ଜୈବସାର ବ୍ୟବହାର ଓ ବିଜ୍ଞାନ ଆଧାରିତ ପ୍ରାକୃତିକ କୃଷି ପଦ୍ଧତି ଅପନାଇବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। KVK ନବରଙ୍ଗପୁରର ମୁଖ୍ୟ ଡକ୍ଟର ଶଶାଙ୍କ ଲେଙ୍କା ଉମରକୋଟ ଅଞ୍ଚଳର କୃଷି ପଦ୍ଧତି ଓ ଜୈବସାର ବ୍ୟବହାରର ଆବଶ୍ୟକତା ଉପରେ ମତ ରଖିଥିଲେ। ଏଥିସହ ରିସର୍ଚ୍ଚ ଆସୋସିଏଟ୍ ଡକ୍ଟର ସାଇ କୃଷ୍ଣ ରେପାଲି ଧାନ ନଡ଼ା ପଚାଇବା ପାଇଁ ଟ୍ରାଇକୋଡର୍ମା ଏବଂ NRRI ଟେକ୍ ଡିକମ୍ପୋଜରର ପ୍ରୟୋଗର ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ADS ର ଶ୍ରୀମତୀ ଅଞ୍ଜଳି ସାହୁ ପରିଚାଳନା କରିଥିବା ବେଳେ ପ୍ରକଳ୍ପ କର୍ମଚାରୀ ଓ ଟେକ୍ନିସିଆନ୍ ଅମିତ କୁମାର ମାଇତି ସହଯୋଗ କରିଥିଲେ।
