July 30, 2026

ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରେ ୬ ଶ୍ରମିକ ମୃତ ଜଣେ ଗୁରୁତର

IMG-20260526-WA0032
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ମ. ରାମପୁର ଅଞ୍ଚଳରୁ ଏକ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ମ.ରାମପୁର ଥାନା ଅନ୍ତର୍ଗତ ଗୌଡ଼କର୍ଲାଖୁଣ୍ଟା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ନୂତନ ଭାବରେ ନିର୍ମିତ ହେଉଥିବା ଏକ ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ କାଢିବା ପାଇଁ ଆଜି ସକାଳେ ୭ ଜଣ ଶ୍ରମିକ ଟାଙ୍କି ମଧ୍ୟରେ ପ୍ରବେଶ କରିଥିଲେ ଏବଂ ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଆଶ୍ଚର୍ଯ୍ୟ ଜନକ ଭାବରେ ଶ୍ଵାସରୁଦ୍ଧ ହୋଇ ଜଣକ ପରେ ଜଣେ ସେଠାରେ ହିଁ ମୃତ୍ୟୁ ବରଣ କରିଥିବାବେଳେ, କେବଳ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ପଡିଥିବାବେଳେ, ସ୍ଥାନୀୟ ଲୋକଙ୍କ ସାହାୟତାରେ ସମସ୍ତଙ୍କୁ ଟାଙ୍କି ମଧ୍ୟରୁ ଉଦ୍ଧାର କରାଯାଇ ସମସ୍ତଙ୍କୁ ଆମ୍ବୁଲେନ୍ସ ଯୋଗେ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ୬ ଜଣଙ୍କୁ ମୃତ ଘୋଷିତ କରାଯାଇଥିବାବେଳେ,ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ବାପ ଏବଂ ପୁଅ ମଧ୍ୟ ଥିଲେ। ଗୁରୁତର ଅବସ୍ଥାରେ ଥିବା ହାତୀଖୋଜ ଗ୍ରାମର ପଙ୍କଜ ଭୋଇ ବର୍ତ୍ତମାନ ଚିକିତ୍ସା ଧୀନ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ସ୍ପଷ୍ଟ କାରଣ ଜଣା ପଡ଼ିନଥିବାବେଳେ, ଅନୁମାନ କରାଯାଉଛି ଯେ’ ଟାଙ୍କି ମଧ୍ୟରେ ବିଷାକ୍ତ ଗେସ ଜମି ରହିଥିବା ଯୋଗୁଁ ଏଭଳି ଘଟଣା ଘଟି ଥାଇପାରେ। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୬ ଜଣ ମୃତକ ହେଲେ ନିମାଇଁ ଚରଣ ପାଲ, ଆକାଶ ପାଲ, ଆଦଲ ମାଝୀ, ବୈକୁଣ୍ଠ ଜାଲ, ମନୋରଞ୍ଜନ ହାତୀ ଓ ଛାନ୍ଦ ଜାଲ। ଏହି ଦୁଃଖଦ ଘଟଣା ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାଣିବାପରେ, ମୃତକଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସାହାୟତା ରାଶୀ ଘୋଷଣା କରିଛନ୍ତି।