May 24, 2026

କଳାହାଣ୍ଡିର ବାଲିପଡା ଗ୍ରାମରେ ବିଜୁଳି ଘଡଘଡିର ତାଣ୍ଡବ

IMG-20260523-WA0036
Share

*ଟ୍ରାନ୍ସଫର୍ମର ପୋଡ଼ିଗଲା, ଘରୋଇ ବିଦ୍ୟୁତ୍ ସାମଗ୍ରୀ ଜଳି ନଷ୍ଟ, ଭୟଭୀତ ଗ୍ରାମବାସୀ*

 

ଲାଞ୍ଜିଗଡ ତା-୨୩/୦୫/୨୬ (ପୁରନ୍ଦର ଦଣ୍ଡସେନା)

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବାତେଳିମା ପଂଚାୟତ ଅନ୍ତର୍ଗତ କପାଗୁଡ଼ା ପାଖରେ ଥିବା ବାଲିପଡା ଗ୍ରାମରେ ଘଟିଛି ଏକ ଭୟାବହ ଘଟଣା। ହଠାତ୍ ଆକାଶ ରକ୍ତ ଭଳି ଲାଲ୍ ହୋଇଯିବା ସହ ବିଜୁଳି ଘଡଘଡି ଆଘାତ ହେବାରୁ ଗ୍ରାମର ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ବେଳେ ଅନେକ ଘରେ ବ୍ୟବହୃତ ନିତ୍ୟ ପ୍ରୟୋଜନୀୟ ବିଦ୍ୟୁତ୍ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ଏହି ଘଟଣା ଶୁକ୍ରବାର ସନ୍ଧ୍ୟାରେ ଘଟିଛି। ଘଟଣା ପରେ ସମଗ୍ର ଗ୍ରାମରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସନ୍ଧ୍ୟା ସମୟରେ ହଠାତ୍ ଭୟଙ୍କର ଶବ୍ଦରେ ବିଜୁଳି ଘଡଘଡି ହୋଇଥିଲା। ଏହାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଗ୍ରାମର ଟ୍ରାନ୍ସଫର୍ମର ହଠାତ୍ ଜଳିଉଠିଥିଲା। ଟ୍ରାନ୍ସଫର୍ମର ପୋଡ଼ିଯିବା ସହିତ ବିଦ୍ୟୁତ୍ ଲାଇନରେ ଉଚ୍ଚ ଭୋଲ୍ଟେଜ୍ ପ୍ରବାହିତ ହୋଇ ଗ୍ରାମବାସୀଙ୍କ ଘରେ ଥିବା ପାଣି ମୋଟର, ଟିଭି, କୁଲର, ଫ୍ରିଜ୍ ସହ ବିଭିନ୍ନ ବିଦ୍ୟୁତ୍ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି।

ଏଥିସହ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ନଡ଼ିଆ ଗଛ ମଧ୍ୟ ଜଳି ଯାଇଥିବା ଦେଖାଯାଇଛି। ଘଟଣା ସମୟରେ ଗ୍ରାମବାସୀ ଭୟରେ ଘରୁ ବାହାରି ପଡ଼ିଥିଲେ। ସୌଭାଗ୍ୟବଶତଃ କୌଣସି ଜୀବନହାନି ଘଟିନଥିଲେ ମଧ୍ୟ ଆର୍ଥିକ କ୍ଷତି ଗୁରୁତର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବାଲିପଡା ଗ୍ରାମରେ ପାଖାପାଖି ୭ଟି ପରିବାର ବସବାସ କରୁଥିବା ବେଳେ ସମସ୍ତ ପରିବାର ଏହି ଘଟଣାରେ ପ୍ରଭାବିତ ହୋଇଛନ୍ତି। ଦିନମଜୁରିଆ ଓ ଗରିବ ଶ୍ରେଣୀର ଲୋକମାନେ ବହୁ କଷ୍ଟରେ ଏହି ସାମଗ୍ରୀ କିଣିଥିବା ବେଳେ ହଠାତ୍ ଏପରି କ୍ଷତି ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇପଡ଼ିଛି।

ଗ୍ରାମବାସୀମାନେ ତୁରନ୍ତ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହା ସହ ଆଗାମୀ ଦିନରେ ଏପରି ଘଟଣା ରୋକିବା ପାଇଁ ବିଦ୍ୟୁତ୍ ବିଭାଗ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

ଘଟଣା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି। ଗ୍ରାମରେ ବର୍ତ୍ତମାନ ବିଦ୍ୟୁତ୍ ସେବା ବନ୍ଦ ରହିଥିବାରୁ ଲୋକମାନେ ଅନ୍ଧାର ଓ ଅସୁବିଧା ମଧ୍ୟରେ ଦିନ କାଟୁଛନ୍ତି।

 

*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉ ଜ ଉପାନ୍ତ ଖବର*

You may have missed