ପୁରୀରେ “ଇଣ୍ଡିଆ ଟ୍ରେଡ୍ ଏକ୍ସପୋ ୨୦୨୬” ତୃତୀୟ ସଂସ୍କରଣର ଭବ୍ୟ ଶୁଭାରମ୍ଭ ଉଦଘାଟିତ
ପୁରୀରେ ଆଜି ସନ୍ଧ୍ୟା ୫:୩୦ ମିନିଟ୍ରେ “ଇଣ୍ଡିଆ ଟ୍ରେଡ୍ ଏକ୍ସପୋ ୨୦୨୬” ତୃତୀୟ ସଂସ୍କରଣ ଭବ୍ୟ ଓ ଆକର୍ଷଣୀୟ ପରିବେଶ ମଧ୍ୟରେ ସଫଳତାର ସହ ଉଦ୍ଘାଟିତ ହୋଇଛି। ଏହି ବିଶାଳ ବ୍ୟାପାର ମେଳାର ଉଦ୍ଘାଟନ କରିଥିଲେ ଅବସରପ୍ରାପ୍ତ ପିଡବ୍ଲ୍ୟୁଡି ଇଞ୍ଜିନିୟର ଶ୍ରୀ ଜଳଧର ପ୍ରଧାନ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ଓ ବ୍ୟବସାୟୀ Er. ସୁବିମଳ ଭଦ୍ର, ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ Er. ସୁବ୍ରତ ମହାନ୍ତି ଏବଂ Shadow Advertising and Communications Pvt. Ltd. ର ସଂସ୍ଥାପକ ଶ୍ରୀ ତାପସ ମହାନ୍ତି ମଞ୍ଚାସୀନ ରହି କାର୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଏକ୍ସପୋରେ ୮ଟି ଦେଶର ବ୍ୟବସାୟୀ ଓ ପ୍ରଦର୍ଶକମାନେ ଯୋଗଦେଇଥିବା ବେଳେ ଭାରତର ୨୦ଟି ରାଜ୍ୟର ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରଦର୍ଶିତ ହେଉଛି। ୧୦୦ରୁ ଅଧିକ ଷ୍ଟଲ୍ରେ ଦେଶୀ ଓ ବିଦେଶୀ ଉତ୍ପାଦର ବିଶେଷ ପ୍ରଦର୍ଶନୀ ଦର୍ଶକମାନଙ୍କୁ ବହୁତ ଆକର୍ଷିତ କରୁଛି। ଏହି ବ୍ୟାପାର ମେଳାର ପ୍ରମୁଖ ଆକର୍ଷଣ ଭିତରେ ରହିଛି ଆର୍ଟିଫିସିଆଲ୍ ଜୁଏଲେରୀ, ରୋୟାଲ୍ ଡ୍ରାଇ ଫ୍ରୁଟ୍ସ, ଥାଇଲ୍ୟାଣ୍ଡ ଫୁଟୱେର୍, ହୋମ୍ ଡେକର୍ ସାମଗ୍ରୀ, ହାଇଦ୍ରାବାଦୀ ଫର୍ନିଚର୍, ଆଣ୍ଟିକ୍ ଫର୍ନିଚର୍, ବନାରସୀ ସାଡ଼ୀ, ସାଉଥ୍ ଇଣ୍ଡିଆନ୍ ସାଡ଼ୀ, ପଞ୍ଜାବୀ ସୁଟ୍, ବଡି ମାସାଜର୍ ସହ ବହୁ ପ୍ରକାରର ଘରୋଇ ଓ ଲାଇଫ୍ଷ୍ଟାଇଲ୍ ଉତ୍ପାଦ।
ପରିବାର ସହ ଶପିଂ, ବିନୋଦନ ଓ ନୂତନ ବ୍ୟବସାୟିକ ସଂଯୋଗ ସୃଷ୍ଟି ପାଇଁ ଏହି ଏକ୍ସପୋ ଏକ ଅଦ୍ଭୁତ ସୁଯୋଗ ହୋଇଥିବା ବେଳେ ପ୍ରଥମ ଦିନରୁ ଦର୍ଶକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଏକ୍ସପୋ ୨୨ ମେ ଠାରୁ ୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ମୋଟ ୧୧ ଦିନ ଧରି ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟକ୍ରମ ଓ ଅନେକ ଆକର୍ଷଣୀୟ କାର୍ୟକ୍ରମ ଆୟୋଜିତ ହେବାର ସୂଚନା ମିଳିଛି। ସାଧାରଣ ଜନସାଧାରଣଙ୍କୁ ଏହି ବିଶାଳ ଏକ୍ସପୋକୁ ପରିବାର ସହ ଆସି ଉପଭୋଗ କରିବା ପାଇଁ ଆୟୋଜକମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
