ଖଇରପୁଟରେ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ସଂଘକୁ ସୁଦୃଢ କରିବା ସହ ସାମାଜିକ ସେବାକୁ ଗୁରୁତ୍ୱ
କୋରୁକୋଣ୍ଡା, ୨୦।୫: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ସ୍ଥିତ ଡାରଉଇନ ମେମୋରିଆଲ ଡିଗ୍ରୀ କଲେଜ ପରିସରରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଇରପୁଟ ବ୍ଲକ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକମାନେ ଯୋଗଦେଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଡାରଉଇନ ମେମୋରିଆଲ କଲେଜର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସାମ୍ବାଦିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମତ ପ୍ରକାଶ କରି ସମାଜ ଗଠନରେ ଗଣମାଧ୍ୟମର ଭୂମିକାକୁ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ସମ୍ପାଦକ ବି. ଶ୍ରୀନିବାସ ପାତ୍ର, କୋଷାଧ୍ୟକ୍ଷ ହୃଷୀକେଶ ଶେଠୀ ଓ ଖଇରପୁଟ ବ୍ଲକ ସଭାପତି ପ୍ରଭାକର ସୁନା ମଞ୍ଚାସୀନ ଥିଲେ। ବୈଠକରେ ସଂଘର ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ, ଅନ୍ୟାନ୍ୟ ବ୍ଲକରେ ବ୍ଲକ ସ୍ତରୀୟ କାର୍ଯ୍ୟାଳୟ ସ୍ଥାପନ, ସଂଘକୁ ଅଧିକ ସୁଦୃଢ କରିବା ଓ ସାମାଜିକ ସେବାମୂଳକ କାର୍ଯ୍ୟକୁ ଆଗେଇ ନେବା ଭଳି ବିଭିନ୍ନ ମୁଦ୍ଦା ଉପରେ ଆଲୋଚନା ହୋଇଥିଲା। ଏହା ସଂଘର କେବଳ ସଂଗଠନାତ୍ମକ ବିକାଶ ନୁହେଁ, ସମାଜ ପ୍ରତି ଦାୟିତ୍ୱବୋଧକୁ ମଧ୍ୟ ପ୍ରତିଫଳିତ କରୁଥିବା ଦେଖାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୭ଟି ବ୍ଲକରୁ ୫୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଂଘର କାର୍ଯ୍ୟାଳୟ ସମ୍ପାଦକ ଭଗବାନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଓ ଉପଦେଷ୍ଟା ବାଳକୃଷ୍ଣ ପ୍ରଧାନ ଧନ୍ୟବାଦ ଜଣାଇଥିଲେ। ବରିଷ୍ଠ ସଦସ୍ୟ ଜଗନ୍ନାଥ ଦଳେଇଙ୍କ ସହ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
