ମେ ୨0 ରୁ କଳାହାଣ୍ଡିରେ ରବି ଧାନ ସଂଗ୍ରହ ନେଇ ନିଷ୍ପତ୍ତି।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାରେ ରବି ଧାନ ନିମନ୍ତେ ଗତକାଲି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ,ଭବାନୀପାଟଣା ଉପଜିଲ୍ଲାପାଳ ଶ୍ରୀ ପ୍ରଭାତ କୁମାର ପରିଡା, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ, ଡ଼ି.ଆର.ସି.ଏସ ଶ୍ରୀ ସ୍ୱରୂପ କୁମାର କର, ଡ଼ି.ଏମ.ଏଫ.ସି. ଆଇ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି, ପ୍ୟାକ୍ସ ଆର.ଏମ.ସି ର କର୍ମକର୍ତ୍ତା, ମିଲର୍ସ ତଥା ଚାଷୀଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ରବି ଧାନ ସଂଗ୍ରହ ପ୍ରକ୍ରିୟା କିପରି ସୂଚାରୁରୂପେ ହୋଇପାରିବ ତଥା ଚାଷୀ ଓ ମିଲର୍ସଙ୍କ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ସହ ରବି ଧାନ ସଂଗ୍ରହରେ, ଚାଷୀ ଓ ମିଲର୍ସଙ୍କ ସମ୍ପୂର୍ଣ ସହଯୋଗ ରହିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଏବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ମୋଟ ୫୬, ୬୩୯ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ, ସୂଚନା ଅନୁଯାୟୀ ଗତ ବର୍ଷ ଠାରୁ ଏବର୍ଷ ଅଧିକ ୭୮୨୧ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ମୋଟ ୯୩ ଟି ଧାନ କ୍ରୟ କେନ୍ଦ୍ର କରାଯାଇଥିବାବେଳେ, ଏଥର ଧାନ ଉଠାଣ ପାଇଁ ଜିଲ୍ଲାର ୯୭ ଟି ରାଇସ ମିଲ ମାନଙ୍କୁ ନିୟୋଜିତ କରାଯିବା ସହ, ୨୬ ଟି ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ଏବଂ ପ୍ୟାକ୍ସ ଓ ଲ୍ୟାମ୍ପସ ଦ୍ୱାରା ଆସନ୍ତା ମେ’ ମାସ ୨0 ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି।
