April 24, 2026

ସମ୍ବଲପୁର :ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ୧୨ ଯୋଡିଙ୍କ ଦାମ୍ପତ୍ୟ ଜୀବନ ଆରମ୍ଭ 

IMG-20260421-WA0068
Share

ସମ୍ବଲପୁର ୨୧/୦୪( ): ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧୀନରେ ଆଜି ସମ୍ବଲପୁର ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପଠାରେ ଏକ ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୟନ ହୋଇଥିବା ୨୨ ଯୋଡା ବରବଧୂ ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ନବବିବାହିତ ଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ। ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସରକାରଙ୍କ ଏହି ଅନୁକମ୍ପାମୂଳକ ଯୋଜନା ସାଧାରଣ ଲୋକଙ୍କ ଜୀବନରେ ଖୁସି ଆଣିଦେବା ସହିତ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରୁଛି। ୨୦୪୭ ମସିହାରେ ଏକ ବିକଶିତ ଭାରତ ଏବଂ ୨୦୩୬ ମସିହାରେ ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଅବସରକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପରିବାର ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସିଡିଓ କମ୍ ଇଓ ଶ୍ରୀ ପ୍ରସନ୍ନ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ପଟ୍ଟନାୟକ ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ କୁମୁଦିନୀ ନାୟକ ପ୍ରମୁଖ ଉପସ୍ଥିତ ରହି ବରବଧୂଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏବଂ ସ୍ଥାନୀୟ ବରିଷ୍ଠ ନାଗରିକ ସମାଜ ଓ ନାଗରିକ ପରିଷଦର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମଟି ବେଶ୍ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଅତିଥିମାନେ ନବବିବାହିତ ଦମ୍ପତିଙ୍କ ସୁଖମୟ ଭବିଷ୍ୟତ କାମନା କରିବା ସହ ସରକାରଙ୍କ ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବବିବାହିତ ଦମ୍ପତିମାନଙ୍କୁ କେବଳ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ସରୋଜା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ।

You may have missed