April 26, 2026

ଖଣି ଭିତ୍ତିକ ବିକାଶ ନୀତି ପରିବର୍ତ୍ତନ ନହେଲେ ଆଗାମୀ ଦିନରେ କେଉଁଝରରୁ କୋରାପୁଟ ମରୁଭୂମି ପାଲଟି ଯିବ

IMG-20260421-WA0080
Share

 

*ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ସଂପର୍କରେ ଆଲୋଚନାରେ ମତପ୍ରକାଶ*

 

ଭୁବନେଶ୍ୱର,ତା୨୧/୦୪:ବେଦାନ୍ତ, ଆଦାନୀ, ଜିନ୍ଦଲ ସମେତ ବିଭିନ୍ନ ଦେଶୀ ଓ ବିଦେଶୀ କମ୍ପାନୀ ମାନଙ୍କ ସ୍ୱାର୍ଥ ପାଇଁ ପ୍ରାକୃତିକ ସଂପଦର ଅବିଚାରିତ ଲୁଣ୍ଠନ ଏବଂ ତାହା ବିରୋଧରେ ଆନ୍ଦୋଳନରତ ଜନସାଧାରଣଙ୍କ ଉପରେ ରାଷ୍ଟ୍ର ଦମନର ପ୍ରତିକାର ପାଇଁ ଆଜି ଲୋହିଆ ଏକାଡେମୀ ସଭାଗୃହରେ ଏକ ବିଚାର ବିମର୍ଷ ତଥା ଆଲୋଚନା ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଖଣି ଭିତ୍ତିକ ବିକାଶ ନୀତି ପରିବର୍ତ୍ତନ ନହେଲେ ଆଗାମୀ ଦିନରେ କେଉଁଝରରୁ କୋରାପୁଟ, ଲାଞ୍ଜିବେର୍ଣାରୁ ସିଜିମାଳି , ଗନ୍ଧମାର୍ଦ୍ଦନରୁ ଦେଓମାଳି ଅଞ୍ଚଳ ମରୁଭୂମି ପାଲଟି ଯିବ ବୋଲି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି।

ଲୋକଶକ୍ତି ଅଭିଯାନ ଏବଂ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ପକ୍ଷରୁ ଲୋହିଆ ଏକାଡେମୀ ସଭାଗୃହ, ଭୁବନେଶ୍ୱରରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ଆଲୋଚନା ସଭାରେ ସିଜିମାଳି ଅଞ୍ଚଳରେ ପୋଲିସ୍ ଦମନଲୀଳା, ଗିରଫ୍ ହୋଇଥିବା ଆନ୍ଦୋଳନକାରୀ ମାନଙ୍କୁ ଛାଡ଼ିବା ପାଇଁ କାଳକ୍ଷେପଣ ତଥା ମାରପେଞ୍ଚ ନୀତି, ସିଜିମାଳି ରେ ପୋଲିସ୍ ଦମନଲୀଳା ଚାଲିଥିବା ବେଳେ କୁଟ୍ରୁମାଳି ଖଣିକୁ ଆଦାନୀକୁ ଦେବା ପାଇଁ ଜନଶୁଣାଣି ପାଇଁ ବିଜ୍ଞପ୍ତି, କୋଡିଙ୍ଗାମାଳି ଏବଂ ଲାଞ୍ଜିଵେର୍ଣା ଅଞ୍ଚଳରେ ଖଣି ଖନନର ସଂପ୍ରସାରଣ ଯୋଗୁଁ ସ୍ଥାନୀୟ ବାସିନ୍ଦା ମାନଙ୍କର ଜୀବନ ଜୀବିକା ଓ ପ୍ରକୃତି ପରିବେଶର ବିନାଶ ଭଳି ସ୍ପର୍ଶକାତର ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ଜୀବନ ଜୀବିକାର ରକ୍ଷା, ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ସର୍ବୋପରି ଜଳ ଜମି ଓ ଜଙ୍ଗଲ ଉପରେ ସାଧାରଣ ମଣିଷର ଅଧିକାର ପାଇଁ ଦୀର୍ଘ ଏକମାସ ଧରି ଲୋକ ଅଧିକାର ଯାତ୍ରା ସମାପ୍ତ କରିବା ପରେ ୨୯ ମାର୍ଚ୍ଚରେ ଲୋକ ଅଧିକାର ସମାବେଶ ଆୟୋଜନ କରାଯାଇଥିଲା। ପୁଞ୍ଜିବାଦୀ ତଥା କର୍ପୋରେଟ ସ୍ୱାର୍ଥରେ ଚାଲିଥିବା ଜନ ବିରୋଧୀ ବିକାଶ ନୀତିର ପରିବର୍ତ୍ତନ କରି ଏକ ବିକଳ୍ପ ବିକାଶ ନୀତି ପାଇଁ ସେହି ସମାବେଶରେ ଗୃହିତ କରାଯାଇଥିବା ‘ଘୋଷଣାପତ୍ର’ ପୃଷ୍ଠଭୂମିରେ ଏହି ଆଲୋଚନା ଆୟୋଜନ କରାଯାଇଥିଲା।

ଆଲୋଚକ ମାନେ ମତଦେଇଥିଲେ ଯେ ଓଡ଼ିଶା ସରକାର ଅତ୍ୟନ୍ତ ଲଗାମହୀନ ତଥା ଅବିଚାରିତ ଭାବେ ଖଣି ଲିଜ ପ୍ରଦାନକୁ ଦ୍ରୁତ ବେଗରେ ଆଗେଇ ନେଇ ଚାଲିଛନ୍ତି । ଏହାଦ୍ୱାରା ଖଣିଜ ସମ୍ପଦ ସହିତ ଜଙ୍ଗଲ ,ଜମି ଓ ଜଳ ସ୍ରୋତ ଭଳି ପ୍ରାକୃତିକ ସଂପଦ ଗୁଡିକ ବିଲୁପ୍ତ ହୋଇଯିବ ଏବଂ ସାଧାରଣ ଲୋକଙ୍କର ଜୀବନ ଜୀବିକା ଉଚ୍ଛନ୍ନ ହୋଇଯିବ। ଏହି ସବୁ କାରଣରୁ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଜନତା ବିଶେଷକରି ଆଦିବାସୀ ସମାଜ ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଆଇନ ଓ ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଜମି ବା ଜଙ୍ଗଲ ଅଧିଗ୍ରହଣ ନକରି ଜୋର୍ ଜବରଦସ୍ତ ବଳ ପ୍ରୟୋଗ କରୁଛନ୍ତି । ଯାହା ଫଳରେ ରାଷ୍ଟ୍ର ଶକ୍ତି ପ୍ରାୟୋଜିତ କମ୍ପାନୀ ଆତଙ୍କରାଜ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାକୁ ବିପର୍ଯ୍ୟସ୍ତ କରୁଛି। ନିକଟରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ଗତ ୬ ଅପ୍ରେଲ ମଧ୍ୟ ରାତିରୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ପୋଲିସ ବାହିନୀ ଦ୍ୱାରା ଗ୍ରାମବାସୀ ମାନଙ୍କ ଉପରେ ଯେପରି ଅମାନୁଷିକ ଆକ୍ରମଣ କରାଯାଇଛି, ତାହା ଏବେ ସ୍ପଷ୍ଟ ଭାବେ ଲୋକ ଲୋଚନକୁ ଆସିଛି । ରାଜ୍ୟର ବାମପନ୍ଥୀ ଦଳ ଗୁଡ଼ିକ ସମେତ ବିଜେଡି , କଂଗ୍ରେସ ଆମ୍ ଆଦମୀ ପାର୍ଟି ଓ ବିଭିନ୍ନ ଜନ ସଂଗଠନ ମାନଙ୍କର ପ୍ରତିନିଧିମାନେ ଘଟଣା ସ୍ଥଳକୁ ଯାଇ ଆଦିବାସୀ ଓ ଦଳିତ ଗ୍ରାମବାସୀମାନଙ୍କ ଉପରେ ହୋଇଥିବା ଅନ୍ୟାୟ ବିରୋଧରେ ପ୍ରତିକ୍ରିୟା ରଖିଛନ୍ତି। ଏପରିକି ଜନମତ ଚାପରେ ଶାସକ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ସେହି ଅଞ୍ଚଳକୁ ଯିବାକୁ ବାଧ୍ୟ ହୋଇଛନ୍ତି। ଏହା ପୂର୍ବରୁ ଗତ ଡିସେମ୍ବର ୧୩ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣାରେ ଲୋକଙ୍କ ବିନା ସମ୍ମତିରେ ସେମାନଙ୍କ ଚାଷ ଜମିକୁ ନଷ୍ଟ କରିଦିଆଯାଇଛି । ସିଜିମାଳି ଅଞ୍ଚଳରେ ଲୋକମାନେ ଦମନର ଶୀକାର ହେଉଥିବା ବେଳେ ସେହି ଅଞ୍ଚଳକୁ ଲାଗି ରହିଥିବା କୁଟ୍ରୁମାଳି ରେ ଆଦାନୀ ନିମନ୍ତେ ଖଣି ଖନନ ପାଇଁ ଏବେ ପୁଣି ଜନଶୁଣାଣି କରିବାକୁ ବିଜ୍ଞାପନ ପ୍ରକାଶିତ ହୋଇଛି ।‌ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳି ପର୍ବତ, ସେରୁବନ୍ଧ, ବାଲଦା, କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଓ ସଦର ବ୍ଲକ ଅଞ୍ଚଳ, ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣା, ଅନଗୁଳ ଓ ଛେଣ୍ଡିପଦା ଅଞ୍ଚଳରେ କୋଲ୍ ମାଇନ୍ସ ଯେପରି ଦୃତ ଗତିରେ ଚାଲିଛି, ଆଉ କେତେ ଦିନ ପରେ ତାହା ଏକ ଭୟଙ୍କର ବିପର୍ଯ୍ୟୟର ପରିବେଶ ସୃଷ୍ଟି କରିବାକୁ ଯାଉଛି । ଯଦିଓ ପ୍ରକୃତି ଓ ପରିବେଶର ଧ୍ୱଂସ କରିବାକୁ କାହାରି ଅଧିକାର ନାହିଁ, ତଥାପି ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ମାନଙ୍କ ଦ୍ୱାରା ଆଜି ଆମର ପ୍ରାକୃତିକ ସଂପଦର ଲୁଣ୍ଠନ ଚାଲିଛି। ଏହି ଲୁଣ୍ଠନ ତଥା ଜନବିରୋଧୀ ବିକାଶ ନୀତି ତଥା କର୍ପୋରେଟରାଜ ବିରୋଧରେ ସମସ୍ତ ସମ- ମନୋଭାବାପନ୍ନ ଶକ୍ତି ଏକାଠି ହେବାର ଆବଶ୍ୟକତା ଅଛି ବୋଲି ସଭାରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବାମପନ୍ଥୀ ଦଳର ନେତୃବୃନ୍ଦଙ୍କ ବିଭିନ୍ନ ବର୍ଗର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମତାମତ ଆଧାରରେ ମା’ ମାଟି ଓ ପ୍ରକୃତି ପରିବେଶର ସୁରକ୍ଷା ପାଇଁ ଆଗାମୀ ଦିନରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସିଦ୍ଧାନ୍ତ ନିଆଯାଇଛି।

ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ (ଏନ୍ ଏ ପି ଏମ୍) ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଆଲୋଚନା ସଭାର ପୃଷ୍ଠଭୂମି ତଥା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାକୃତିକ ସଂସାଧନ ଗୁଡ଼ିକର କର୍ପୋରେଟ ଲୁଟ୍ ପାଇଁ କିପରି ସୁପରିକଳ୍ପିତ ନକ୍ସା ପ୍ରସ୍ତୁତ କରାଯାଇଛି, ସେ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଆଲୋଚନା ସଭାରେ ପୂର୍ବତନ ପୋଲିସ୍ ଡିଜି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା, ବରିଷ୍ଠ ପତ୍ରକାର ରାଜେଶ୍ ମହାପାତ୍ର, ପ୍ରଫେସର ବିଜୟ ବହିଦାର, ସୁଦର୍ଶନ ଦାସ, ପ୍ରଫେସର ଗୋଲଖ ବିହାରୀ ନାଥ, ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ପ୍ରସାନ୍ତ ପାଇକରାୟ, ସ୍ୱାଧୀନ ପଟ୍ଟନାୟକ, ବିଶ୍ଵପ୍ରିୟ କାନୁନଗୋ, ମିହିର ପ୍ରତାପ ଦାସ ପ୍ରମୁଖ ଏକ ବିକଳ୍ପ ବିକାଶ ନୀତି ସଂପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ଦେଇଥିଲେ।

ସେହିପରି ବିଭିନ୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ସ୍ୱୟଂପ୍ରଭା ନାୟକ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ପୂର୍ଣଚନ୍ଦ୍ର ପାଢ଼ୀ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ସିପିଆଇ (ଏମ୍) ପକ୍ଷରୁ ରମେଶ ଜେନା, ସିପିଆଇ (ଏମ୍.ଏଲ୍)- ଲିବରେସନ ପକ୍ଷରୁ ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍.ଏଲ୍)- ରେଡଷ୍ଟାର ପକ୍ଷରୁ ହେନାରାଣୀ, ଆମ୍ ଆଦମୀ ପାର୍ଟି ପକ୍ଷରୁ ଜନ୍ମେଜୟ ପ୍ରମୁଖ ସେମାନଙ୍କ ମତାମତ ଦେଇଥିଲେ ଏବଂ ଜଳ ଜମି ଓ ଜଙ୍ଗଲ ତଥା ଜୀବନ ଜୀବିକାର ଅଧିକାର ପାଇଁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଲଢ଼େଇ ପ୍ରତି ସେମାନଙ୍କର ସଂହତି ଓ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋହିଆ ଏକାଡେମୀର ସଂପାଦକ ଦେବ ପ୍ରସାଦ ରାୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଡଃ ବିଶ୍ୱଜିତ୍, ମାନବାଧିକାର କର୍ମୀ ପ୍ରମୋଦିନୀ, ପ୍ରଫେସର ସୁମିତ୍ରା ପଟେଲ୍, ଜିନ୍ଦଲ ବିରୋଧୀ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁ, ବିସ୍ମୟ ମହାପାତ୍ର, ଜନସ୍ୱାସ୍ଥ୍ୟ ଅଭିଯାନର ଗୌରାଙ୍ଗ ମହାପାତ୍ର, ପ୍ରଫେସର ନୀଳମଣି ସାହୁ, ଅରୁଣ ଜେନା, ରୁମିତା କୁଣୂ, ଲେନିନ କୁମାର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।