April 25, 2026

ସିଜିମାଳିରେ ପ୍ରସ୍ତାବିତ ଖଣି ଖନନର ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ଆଦିବାସୀ ଓ ଦଳିତଙ୍କ ଉପରେ ପୋଲିସ ଓ ପ୍ରଶାସନର ଦମନଲୀଳାକୁ ନିନ୍ଦା

IMG-20260408-WA0058
Share

 

ଓଡ଼ିଶାର ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ସିଜିମାଳି ପର୍ବତର ଆଖପାଖରେ ବସବାସ କରୁଥିବା ଗ୍ରାମବାସୀଙ୍କ ଉପରେ ଓଡିଶା ସରକାରଙ୍କ ପୋଲିସ ଓ ପ୍ରଶାସନର ପକ୍ଷରୁ ଚାଲିଥିବା ଦମନଲୀଳାକୁ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା AIKMS)ର ରାଜ୍ୟ କମିଟି ଦୣଢ ନିନ୍ଦା କରୁଛି । ଗତ ସାତ ତାରିଖରେ ରାତି ଅଧରେ ଶହ ଶହ ସଶସ୍ତ୍ର ପୋଲିସ ପ୍ରଥମେ ଗାଁର ବିଦ୍ୟୁତ ସଂଯୋଗ କାଟି ଦେଇ କଣ୍ଟାମାଳରେ ପଶିଥିଲେ । ଘର ପଶି ଜିନିଷପତ୍ର ଭଙ୍ଗାରୁଜ୍ଜା କରିବା ସହ ଲୋକଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇ ଯେଉଁଭଳି ଭାବେ ଆକ୍ରମଣ କରି ସେମାନଙ୍କୁ କ୍ଷତ ବିକ୍ଷତ କଲେ ଏବଂ ଆତଙ୍କିତ କରିବାକୁ ଲୁହବୁହା ଗ୍ୟାସର ପ୍ରୟୋଗ ଓ ଫାଙ୍କା ଗୁଳିଚାଳନା କଲେ, ତାହା ବର୍ବରତାର ସମସ୍ତ ସୀମାକୁ ଟପି ଯାଇଛି । ଏହି ଘଟଣା ରାଜ୍ୟର ଆରଏସଏସ ଓ ବିଜେପି ସରକାରର କର୍ପୋରେଟ୍ ସପକ୍ଷବାଦୀ ତଥା ଦମନକାରୀ ନୀତିକୁ ଉନ୍ମୋଚିତ କରୁଛି ।

ନିଜର ଭିଟାମାଟି ଓ ଜମି ଜଙ୍ଗଲର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବେଦାନ୍ତ କମ୍ପାନୀର ପ୍ରସ୍ତାବିତ ଖଣି ଖନନକୁ ଗତ ତିନି ବର୍ଷ ଧରି ବିରୋଧ କରୁଥିବା ବେଳେ ରାୟଗଡା ପ୍ରଶାସନ ଓ ପୋଲିସ କମ୍ପାନୀର କର୍ମଚାରୀ ଭଳି କାମ କରୁଛନ୍ତି । କମ୍ପାନୀ ସ୍ଵାର୍ଥରେ ଜାଲିଆତି କରି ପଲ୍ଲୀସଭା କରିବା ଠାରୁ ଆରମ୍ଭ କରି ଜନଶୁଣାଣୀର ମତାମତକୁ ଅଣଦେଖା ପର୍ଯ୍ୟନ୍ତ ସମସ୍ତ ପ୍ରକାର ବେଆଇନ କାର୍ଯ୍ୟରେ ଲିପ୍ତ ଅଛନ୍ତି । ବିଜେପିର ରାଜ୍ୟ ଓ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କ ସମ୍ମତି ବିନା କମ୍ପାନୀଙ୍କୁ ବେଆଇନ ଭାବେ ଖଣିଖନନ ପାଇଁ ଆବଶ୍ୟକୀୟ ଅନୁମତି ଦେଇଛନ୍ତି । ଗତ ତିନି ବର୍ଷ ମଧ୍ୟରେ ବିଭିନ୍ନ ମିଥ୍ୟା ମକଦମାରେ ସ୍ଥାନୀୟ ଲୋକଙ୍କୁ ଛନ୍ଦିବା ସହ ଅନେକଙ୍କୁ ଗିରଫ କରି ଜେଲରେ ଭର୍ତି କରିଛନ୍ତି । ନିକଟରେ ଆନ୍ଦୋଳନକୁ ସହଯୋଗ କରୁଥିବା ଦୁଇ ଜଣ ନେତା ଲିଙ୍ଗରାଜ ଆଜାଦ ଓ ସୁରେଶ ସଂଗ୍ରାମଙ୍କୁ ମଧ୍ୟ ମିଛ କେଶରେ ଗିରଫ କରାଯାଇଛି ।

 

ଗତ କିଛି ଦିନ ହେଲା ସିଜିମାଳି ପାହାଡ ଉପରକୁ ଯେଉଁଭଳି ବଳପୂର୍ବକ ରାସ୍ତା ନିର୍ମାଣ କରିବାକୁ ପ୍ରଶାସନ ଉଦ୍ୟମ କରୁଛି, ତା’ରି ଫଳରେ ସେ ଅଞ୍ଚଳରେ ଉତ୍ତେଜନା ସୣଷ୍ଟି ହୋଇଛି । ଖଣି ପାଇଁ ରାସ୍ତା ନିର୍ମାଣର ଷଡଯନ୍ତ୍ରକୁ ଲୋକେ ବୁଝିପାରି ତାକୁ ବିରୋଧ କରୁଛନ୍ତି । ଅତଏବ ଲୋକଙ୍କ ଏହି ବିରୋଧକୁ ଦବେଇ ଦେବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସେ ଅଞ୍ଚଳରେ ଅନାବଶ୍ୟକ ଭାବେ ଧାରା 144 (ବିଏନଏସ 163) ଜାରି କରି ଚାରି ଜଣରୁ ଅଧିକ ଲୋକଙ୍କ ଚଳପ୍ରଚଳକୁ ନିଷିଦ୍ଧ କରାଯାଇଛି । ପରନ୍ତୁ ସରକାରର ଏଭଳି ଅନ୍ୟାୟ ପ୍ରତିବନ୍ଧକକୁ ଲୋକମାନେ ନମାନିବା କାରଣରୁ ସେମାନଙ୍କୁ ଆତଙ୍କିତ କରିବାକୁ ଦିନବେଳା ରାୟଗଡା ଜିଲ୍ଲାପାଳଙ୍କ ନେତୂତ୍ଵରେ ସଶସ୍ତ୍ଧ ପୋଲିସ ଯାଇ ବିଫଳ ହୋଇ ଫେରିବା ପରେ ଶେଷରେ ରାତିଅଧିଆ ଚଢାଊ ଓ ଗିରଫଦାରୀ ଆରମ୍ଭ ହୋଇଛି । ଅତଏବ ସେଦିନର ଘଟଣା ପାଇଁ ନିଜେ ପୋଲିସ ଓ ପ୍ରଶାସନ ସମ୍ପୂର୍ଣ ଭାବେ ଦାୟୀ ଅଟନ୍ତି । ଅନ୍ୟପଟେ ପୋଲିସ ପ୍ରଥମେ ନିଜେ ଆକ୍ରମଣକାରୀ ହୋଇଥିବା ବେଳେ ଏବଂ ସେମାନଙ୍କ ଆକ୍ରମଣରେ ଅନେକ ଗ୍ରାମବାସୀ ଗୁରୁତ୍ତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ହିଁ ଏକପାଖିଆ ଭାବେ କେସ ଦାୟର ହୋଇଛି .

 

କାଶୀପୁର ପରି ଏକ ଅନୁସୂଚିତ ଅଞ୍ଚଳରେ ସମସ୍ତ ପ୍ରକାରର ଆଇନ କାନୁନକୁ ଉଲଂଘନ କରି ସାଧାରଣ ଜନତା ବିଶେଷ କରି ଆଦିବାସୀଙ୍କ ଉପରେ ଓଡିଶା ସରକାରଙ୍କ କମ୍ପାନୀ ପ୍ରାୟୋଜିତ ଏହି ଆତଙ୍କରାଜକୁ ଆମେ ଦୣଢ ବିରୋଧ କରୁଛୁ । ଅବିଳମ୍ଵେ ସେ ଅଞ୍ଚଳରେ ପ୍ରସ୍ତାବିତ ଖଣି ଖନନକୁ ବାତିଲ କରିବାକୁ , ଲୋକଙ୍କ ବିରୁଦ୍ଧରେ ଦାୟର ସମସ୍ତ ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରିବାକୁ ତଥା ଅଞ୍ଚଳରେ ପୋଲିସ ଆତଙ୍କରାଜକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଖିଳ ଭାରତ କିଶାନ ମଜଦୁର ସଭା ଦାବି କରୁଛି ।