ହେଙ୍ଗୁଳାଯାତ୍ରା ମହୋତ୍ସବ ସଂସାରରୁ ଅଗ୍ନିଭୟ ଦୂରକରି ଶାନ୍ତି ସଂହତି ଭାଇଚାରା ସ୍ଥାପନ କରିବାରେ ସହାୟକ ହୁଏ।
ଜଗତ ଜନନୀ ପରମ ବୈଷ୍ଣବୀ ଅଗ୍ନି ସ୍ବରୂପା ସନ୍ତାନ ବତ୍ସଳା ମାଆ ହେଙ୍ଗୁଳାଙ୍କର ପବିତ୍ର ହେଙ୍ଗୁଳା ଯାତ୍ରା ମହୋତ୍ସବ ଆସନ୍ତା ମାର୍ଚ୍ଚ ୨୮ ତାରିଖ ପବିତ୍ର ବାସନ୍ତିକ ଦଶହରାରେ ଆରମ୍ଭ ହୋଇ ଅପ୍ରେଲ ୧ ପବିତ୍ର ଚୈତ୍ର ପୂର୍ଣିମାରେ ସମାହିତ ହେବ। ବ୍ରହ୍ମଗିରି ମାତଲାପୁରରେ ବିରାଜିତା ଆଦ୍ଯାଶକ୍ତି ସନାତନୀ ମାଆ ହେଙ୍ଗୁଳାଙ୍କର ମହାପର୍ବ ହେଙ୍ଗୁଳା ଯାତ୍ରା ମହୋତ୍ସବ। ବିଶ୍ବାସ ରହିଛି ମାଆ ଅଗ୍ନି ରୂପରେ ଆବିର୍ଭୁତ ହୋଇ ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନଙ୍କର କଲ୍ଯାଣ କରିଥାନ୍ତି। ମାଆ ହେଙ୍ଗୁଳା ହେଉଛନ୍ତି ପରମବୈଷ୍ଣବୀ ଶାକମ୍ବରି ଅନ୍ନପୂର୍ଣ୍ଣା। କୃଷି କୃଷକର ଦେବୀ ଭାବରେ ଉପାସିତା ହୋଇଥାନ୍ତି। ବିଶ୍ବାସ ରହିଛି ମାଆଙ୍କର ଆଶିଷ ହେଲେ କୃଷି କ୍ଷେତ୍ରରେ ଭଲ ଫସଲ ହୋଇଥାଏ। ଚାଷୀପୁଅର ଚୁଡାଘଷା, ପାଚିଲା କଦଳୀ ଭୋଗ ମାଆ ହେଙ୍ଗୁଳାଙ୍କର ପ୍ରିୟ।
ସଂସାରରୁ ଅଗ୍ନି ଭୟ ସହିତ ଆଧ୍ଯାତ୍ମିକ, ଆଧି ଦୈବିକ, ଆଦିଭୌତିକ ବିପଦ ଦୂର କରିବା ପାଇଁ ଆଜକୁ ୫୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା ହେଙ୍ଗୁଳା ଯାତ୍ରା ମହୋତ୍ସବ। ଏହା କାଳକ୍ରମେ ଐତିହ୍ଯ ସଂସ୍କୃତି ପରମ୍ପରାର ମହାପର୍ବ ଭାବରେ ପାଳିତ ହେଉଛି। ଚଳିତ ବର୍ଷ ଏହି ମହାପର୍ବ ହେଙ୍ଗୁଳା ଯାତ୍ରା ମହୋତ୍ସବ କିପରି ଶୃଙ୍ଖଳିତ ଭାବରେ ପାଳିତ ହେବ ସେଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଆୟୋଜିତ ହୋଇଥିଲା ଏକ ପ୍ରସ୍ତୁତି ବୈଠକ। ଏହି ବୈଠକରେ ବ୍ରହ୍ମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଯୋଗଦେଇ କିପରି ଶୃଙ୍ଖଳିତ ଭାବରେ ଶ୍ରଦ୍ଧାଳୁ ଦେବୀଙ୍କ ଦର୍ଶନ କରିବେ, ଟ୍ରାଫିକ ନିୟନ୍ତ୍ରଣ ହେବ ପରାମର୍ଶ ଦେଇଥିଲେ। ଆବଶ୍ଯକ ସଂଖ୍ଯକ ପୋଲିସ ମୃତୟନ କରି ଭିଡ ନିୟନ୍ତ୍ରଣ କରିବାକୁ ମତ ରଖିଥିଲେ। ବ୍ରହ୍ମଗିରି ଅତିରିକ୍ତ ତହସିଲଦାର ଭକ୍ତଙ୍କ ଶୃଙ୍ଖଳିତ , ପାନୀୟଜଳ, ଆଦିର ବ୍ଯବସ୍ଥା ସଂପର୍କିତ ମତ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନରେନ୍ଦ୍ର ପାନୀୟଜଳ ଯୋଗାଣ ର ସୁବନ୍ଦୋବସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବ୍ରହ୍ମଗିରି ବ୍ଳକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅଧିକାରୀ ନାୟକ, ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀ କୈଳାସ ଚନ୍ଦ୍ର ପରିଡା ମହୋତ୍ସବ ସୁପରିଚାଳନାରେ ସହଯୋଗ ପାଇଁ ପ୍ରଶାସନିକ ସ୍ତରରେ ସହଯୋଗର ଆବଶ୍ଯକତା ସଂପର୍କରେ କଥା ରଖିଥିଲେ। ହେଙ୍ଗୁଳାଙ୍କପୀଠକୁ ରାଜ୍ଯ ସରକାର ଏକ ପର୍ଯ୍ଯଟନସ୍ଥଳ ଭାବରେ ଘୋଷଣା କରିବାକୁ ଦାବୀ କରିଥିଲେ।
ମାତଲାପୁର ଗ୍ରାମ କମିଟିର ମୁଖ୍ଯ ଡାକ୍ତର ମନୋରଞ୍ଜନ ରାୟ ଉକ୍ତ ସଭାରେ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଥିଲେ ପ୍ରତିଦିନ ସୂର୍ଯ୍ଯ ପୂଜା, ଷୋଡଶୋପଚାର ପୂଜା, ଚଣ୍ଡିପାଠ, ନାମସଂକୀର୍ତ୍ତନ ସହିତ ବିଭିନ୍ନ ସଂଧ୍ଯାରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ ଅଞ୍ଚଳର ଲୋକକଳାର ପ୍ରଦର୍ଶନ ହେବ। ବାଲୁକା କଳାରେ ମାଆ ହେଙ୍ଗୁଳାଙ୍କର ଐତିହ୍ଯ ପ୍ରଦର୍ଶନ ହେବ।
ମନ୍ଦିର ପରିଚାଳନା କମିଟି ସଦସ୍ଯ ଶ୍ରୀ କାଶୀନାଥ ନାୟକ କହିଥିଲେ ଏହି ଧାର୍ମିକ ସାସ୍କୃତିକ ଲୋକ ଉତ୍ସବ ଅଞ୍ଚଳରେ ଶାନ୍ତି ଭାଇଚାରା ସ୍ଥାପନରେ ସହାୟକ ହୋଇଆସୁଅଛି। ମାଆ ଅନଳ ସ୍ବରୂପା। ତାଙ୍କର ତେଜ ପ୍ରଭାବରେ ଶ୍ରଦ୍ଧାଳୁଙ୍କ ଦୁଃଖ ଶୋକ କ୍ଳେଶ ଯାତନାକୁ ଦଗ୍ଧୀଭୂତ କରି ଅଖଣ୍ଡ ସୁଖ ପ୍ରଦ୍ୟୁମ୍ନ କରନ୍ତି। ଶାନ୍ତି ମୈତ୍ରୀ ସମୃଦ୍ଧି ବୁଣି ଦିଅନ୍ତି। କଳି ଯୁଗରେ ଯିଏ ମାଆଙ୍କର ଶରଣରେ ଆସିଯାଏ ଶ୍ରଦ୍ଧାଳୁଙ୍କ ଗୁଣ,ଧର୍ମ,ଧନ, ଯଶ କୀର୍ତ୍ତି , ଆୟୁଷ ପ୍ରଦାନ କରିଥାନ୍ତି। ଆସନ୍ତା ହେଙ୍ଗୁଳା ଯାତ୍ରା ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ପାଳନ ପାଇଁ ନିବେଦନ ରଖିଥିଲେ। ବିଭିନ୍ନ ମିଡିଆର ସମ୍ବାଦିକମାନେ ଉପସ୍ଥିତ ରହି ହେଙ୍ଗୁଳା ଯାତ୍ରାର ସଫଳ ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ।
ଅନ୍ଯମାନଙ୍କ ମଧ୍ଯରେ ଓାର୍ଡ ସଭ୍ଯ ଦୁଖିଶ୍ଯାମ ସାହୁ, ଶ୍ରୀ ରାଜେନ୍ଦ୍ର କୁମାର ପଲାଇ, ଶ୍ରୀ ପ୍ରଶାନ୍ତ ପଲାଇ, କମିଟି ସଭ୍ଯ ଶ୍ରୀଭରତ ନାୟକ,ଶ୍ରୀ ନୀଳକଣ୍ଠ ସାହୁ, ଶ୍ରୀଧନେଶ୍ଵର ଜେନା, ଶ୍ରୀ ପୂର୍ଣଚନ୍ଦ୍ର ଜେନା, ଶ୍ରୀଭାସ୍କର ସାହୁ, ଶ୍ରୀ ଲକ୍ଷ୍ମୀଧର ପଲାଇ, ଶ୍ରୀ ଶତୃଘନ ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ।
