ଶୋଷଣମୁକ୍ତ ସମାଜ ଗଠନ ପାଇଁ ଛାତ୍ରଶକ୍ତି ଏକଜୁଟ ହେବାକୁ ଆହ୍ୱାନ: ଏସ. ଏଫ୍. ଆଇ
ପୁରୀ, ମହାନ ବିପ୍ଳବୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କ ଶହୀଦ ଦିବସ ଅବସରରେ ଆଜି ପୁରୀ ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷଠାରେ “ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ର ସମାଜର ଭବିଷ୍ୟତ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏସ.ଏଫ୍.ଆଇ (SFI) ପୁରୀ ସହର କମିଟି ପକ୍ଷରୁ ଆୟୋଜିତ ଏହି ସଭାରେ ବହୁ ବିଶିଷ୍ଟ ଶିକ୍ଷାବିତ ଓ ଛାତ୍ର ନେତୃବୃନ୍ଦ ଯୋଗଦେଇ ବର୍ତ୍ତମାନର ସାମାଜିକ ଓ ରାଜନୈତିକ ସଂକଟ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ପ୍ରଫେସର ସୁରେନ୍ଦ୍ର କୁମାର ଜେନା ନିଜର ଶାଣିତ ବକ୍ତବ୍ୟ ରଖି କହିଥିଲେ ଯେ, “ଉଦାରବାଦ ଅର୍ଥନୀତି ଯୋଗୁ ବେକାର ହାର ବଢିଛି, ଆୟର ଅସମାନତା ବଢ଼ିଛି, ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି,ଶୋଷଣ ଓ ଆୟର ଅସମାନତା ଚରମ ସୀମାରେ ପହଞ୍ଚିଛି, ଯାହା ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି। ସେହିପରି ସାମ୍ପ୍ରଦାୟିକ ରାଜନୀତିର ଯେଉଁ କରାଳ ରୂପ ଦେଖାଦେଇଛି, ସେଥିରେ ଆମେ କେହି ବି ସୁରକ୍ଷିତ ନୁହନ୍ତି।” ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଜାତିଗତ ଉତ୍ପୀଡ଼ନ ଓ ସାମ୍ପ୍ରଦାୟିକ ବିଭାଜନ,ବିରୁଦ୍ଧରେ ଲଢ଼େଇ କରି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ହିଁ ଶହୀଦମାନଙ୍କ ସ୍ୱପ୍ନର ଶୋଷଣମୁକ୍ତ ଭାରତ ଗଢ଼ିବାର ପ୍ରକୃତ ପଥ। ବିନାଶକାରୀ ବିକାଶ ବଦଳରେ ଆମେ ଏକ ପରିବେଶ ସନ୍ତୁଳିତ ଉନ୍ନୟନ ଚାହୁଁ ବୋଲି ସେ ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ। ଛାତ୍ର ଓ ଯୁବ ସମାଜ ଏକଜୁଟ ହୋଇ ଏହି ପୁଞ୍ଜିବାଦୀ ଶୋଷଣ ଓ ସାମ୍ପ୍ରଦାୟିକ ରାଜନୀତି ବିରୁଦ୍ଧରେ ସଂଗ୍ରାମକୁ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ପତି ସଭାପତିତ୍ୱ କରିଥିବା ବେଳେ ଅନିଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପକ ବିମଳ ମାନସିଂହ ଓ ଅଧ୍ୟାପକ ରଞ୍ଜିତ ସାମଲ ସ୍ୱତନ୍ତ୍ର ନିମନ୍ତ୍ରିତ ବକ୍ତା ଭାବେ ଯୋଗଦେଇ ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବୈଜ୍ଞାନିକ ଓ ପ୍ରଗତିଶୀଳ ଚିନ୍ତାଧାରାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ”ଆଜିର ଶିକ୍ଷା ବ୍ୟବସ୍ଥାକୁ ଯେଉଁଭଳି ଭାବେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମୁନାଫା ପାଇଁ ଏକ ବ୍ୟବସାୟିକ ପଣ୍ୟରେ ପରିଣତ କରାଯାଉଛି, ତାହା ସାଧାରଣ ଓ ନିଷ୍ପେଷିତ ବର୍ଗର ଛାତ୍ରଙ୍କ ଭବିଷ୍ୟତକୁ ସଂକଟାପନ୍ନ କରିଛି। ସମାଜରେ ବୃଦ୍ଧି ପାଉଥିବା ଜାତିଗତ ବିଦ୍ୱେଷ ଓ ସଂକୀର୍ଣ୍ଣ ବିଭାଜନକାରୀ ଚିନ୍ତାଧାରା ଯୁବ ପିଢ଼ିର ସୃଜନଶୀଳତାକୁ ନଷ୍ଟ କରିବା ସହ ସେମାନଙ୍କୁ କେବଳ ବ୍ୟବସ୍ଥାର ଅନ୍ଧ ଅନୁଗାମୀ କରିବାକୁ ଚେଷ୍ଟା କରାଯାଉଛି।”ଉଭୟ ବକ୍ତା ଏହି ଅବସରରେ ଛାତ୍ର ସମାଜକୁ ଆହ୍ୱାନ ଦେଇ କହିଥିଲେ ଯେ, ଶିକ୍ଷାର ସାର୍ବଜନୀନତା ଓ ଗଣତାନ୍ତ୍ରିକ ଅଧିକାରକୁ ରକ୍ଷା କରିବା ପାଇଁ ବ୍ୟବସ୍ଥାଗତ ଶୋଷଣ ବିରୁଦ୍ଧରେ ସଂଗଠିତ ହେବା ଜରୁରୀ। ଶହୀଦମାନଙ୍କ ସ୍ୱପ୍ନର ସେହି ଶୋଷଣମୁକ୍ତ ସମାଜ ଗଢ଼ିବା ପାଇଁ ଛାତ୍ରମାନେ ନିଜର ବୌଦ୍ଧିକ ଶକ୍ତିକୁ ସାମାଜିକ ନ୍ୟାୟ ଓ ସମାନତା ପ୍ରତିଷ୍ଠା ଦିଗରେ ବିନିଯୋଗ କରିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏସ.ଏଫ୍.ଆଇ ରାଜ୍ୟ ସମ୍ପାଦକ ଚନ୍ଦନ ସାହୁ, ଏବଂ ଶୁଭସ୍ମିତା ପଣ୍ଡା ନିଜର ବକ୍ତବ୍ୟ ମାଧ୍ୟମରେ ସାମ୍ପ୍ରତିକ ଶୈକ୍ଷିକ ସଂକଟ ଉପରେ ନିଜର ମତ ରଖିଥିଲେ। ରାଜେଶ ମହାନ୍ତି, ନିରଞ୍ଜନ ବେହେରା ଓ ସିଦ୍ଧାନ୍ତ ରାଉତରାୟଙ୍କ, ହିର୍ତିକ ସାହୁ, ନେତ୍ରମୋହନ, ଭିକି ବେହେରା, ପ୍ରିତି ପ୍ରଜ୍ଞା ବେହେରା ସମେତ ସହର କମିଟିର ବହୁ ସଂଗ୍ରାମୀ ସାଥି ଏହି ଆଲୋଚନାରେ ଭାଗ ନେଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
