ପ୍ରାକ୍ତନ ବିଡ଼ିଓ ଭୂମି ପୂଜା କରିଥିଲେ,ବର୍ତ୍ତମାନର ବିଡ଼ିଓ କୋଠା ଛାଡିବାକୁ ନୋଟିସ ଦେଲେ, ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ
ବୁଗୁଡ଼ା : ତା ୨୩/୦୩/୨୬ : ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଦୀର୍ଘ ବର୍ଷ ଧରି ଚାଲିଥିବା ଶିକ୍ଷକ ଭବନ କୋଠା ଖାଲି କରିବାକୁ ଶିକ୍ଷକ ସଙ୍ଘକୁ ନୋଟିସ ଜାରି କରିଛନ୍ତି ବିଡ଼ିଓ l ନୋଟିସ ଜାରି ହେବା ପରେ ପ୍ରାଥମିକ ଶିକ୍ଷକ ସମେତ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ବ୍ଲକର ଶତାଧିକ ଶିକ୍ଷକ ମାନଙ୍କୁ ନେଇ ଗଠିତ ଶିକ୍ଷକ ସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକ ନିମନ୍ତେ ଏକ ଗୃହର ଆବଶ୍ୟକତାକୁ ଉପଲବ୍ଧି କରି ଦୀର୍ଘ ୨୭ ବର୍ଷ ତଳେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ଖୋଲା ସ୍ଥାନରେ ସଙ୍ଘ କାର୍ଯ୍ୟାଳୟ ନିମନ୍ତେ ତତ୍କାଳୀନ ବିଡ଼ିଓ ଶ୍ଯାମସୁନ୍ଦର ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ସହ ଶିକ୍ଷକମାନଙ୍କ ଆର୍ଥିକ ସହଯୋଗ ସହିତ ପ୍ରାକ୍ତନ ସାଂସଦ ନବୀନ ପଟ୍ଟନାୟକ ଏବଂ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅନୁଦାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ କୋଠା ନିର୍ମାଣ କରାଯାଇ ଶିକ୍ଷକ ଭବନ ଭାବେ ନାମିତ କରାଯାଇଛି l ସେଠାରେ ୨୦୦୨ ମସିହା ଠାରୁ ସର୍ବ ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ମଧ୍ୟ ବ୍ୟବହୃତ ହୋଇ ଆସୁଛି l ଉକ୍ତ ଭବନ କେବେବି ବ୍ୟକ୍ତିଗତ କି ଅଣଶିକ୍ଷକଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟବହାର ହେଉ ନଥିବା ବେଳେ କାର୍ଯ୍ୟାଳୟ ପରିସରରେ ନୂତନ ବିଭାଗ ଖୋଲିବା ଆଳଦେଖାଇ ଏହି ଶିକ୍ଷକ ଭବନ ୭ ଦିନ ମଧ୍ୟରେ ଛାଡିବା ପାଇଁ ଶିକ୍ଷକ ସଂଘକୁ ବିଡ଼ିଓ ନୋଟିସ କରିଥିବାରୁ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଆଜି ଶିକ୍ଷକ ସଙ୍ଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘ କର୍ମକର୍ତ୍ତା ଓ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ସ୍ଥିତିବସ୍ଥା ବଜାୟ ରଖିବାକୁ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କୁ ଲିଖିତ ଅନୁରୋଧ କରିଛନ୍ତି l
