ଜାତୀୟ ରାଜପଥ କଡ଼ ଗଦିଙ୍ଗିଆ ଗାଁ’କୁ ନାହିଁ ପକ୍କା ରାସ୍ତା..
(କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ନାରା ନାରାରେ ରହିଯାଇଛି)
କନ୍ଧମାଳ(ଗଣେଶ ବିଷୋୟୀ)କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଗାଁ ଅଛି ଯେଉଠିକି ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ରାସ୍ତା ନଥିବା ଯୋଗୁଁ ରୋଗୀଙ୍କୁ ଖଟିଆରେ ବୁହା ହେଉଛି।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ନାରା ନାରାରେ ରହିଯାଇଛି।କନ୍ଧମାଳ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବା ପରେ ସ୍ପଷ୍ଟ ବାରି ହେଉଛି ଏହି ଜିଲ୍ଲାର ବିକାଶ ଯେଭଳି ଆଣ୍ଠେଇ ଯାଇଛି।
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧ ନଂ ୱାର୍ଡର ଗଦିଙ୍ଗିଆ ଗାଁ ଯାହାକି କଳିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି ଦୂରରେ ଅବସ୍ଥିତ।ଏହି ଗାଁକୁ ଆଜିବି ପକ୍କା ରାସ୍ତାଟିଏ ନାହିଁ।ମୁଖ୍ୟ ସଡକ ଜାତୀୟ ରାଜପଥ ୧୫୭ ନମ୍ବର ଠାରୁ ୪ କିମି ଦୂର ଚାଲି ଚାଲି ଯିବାକୁ ପଡେ ଏହି ଗାଁକୁ।ବର୍ତ୍ତମାନ ଏହି ଗାଁ ବିକାଶ ଠାରୁ ବହୁ ଦୂରରେ।ଜଙ୍ଗଲ ପାହାଡ଼ ପର୍ବତ ଘେରା ଗଦିଙ୍ଗିଆ ଗାଁ।ଗ୍ରାମରେ ମୋଟ ୩ ଗୋଟି ସାହିରେ ୪୦ ପରିବାରର ୧୬୦ ଜନସଂଖ୍ୟା ବାସ କରନ୍ତି।ସମସ୍ତେ ଆଦିବାସୀ ହରିଜନ ସମ୍ପ୍ରଦାୟର।ଜଙ୍ଗଲ ପାହାଡ଼କୁ ଲାଗି ରହିଛି ଏହି ଗାଁ।ଗ୍ରାମର ସମସ୍ତ ବାସିନ୍ଦା ଚାଷ ଉପରେ ନିର୍ଭର କରୁଥିବା ବେଳେ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭରଶୀଳ।ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ପାଖ ବଜାରରେ ବିକ୍ରି କରି ନିଜ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି।ପ୍ରତ୍ୟକ ଦିନ ଭୋରରୁ ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରିବା ଏବଂ ତାକୁ ବିକ୍ରି କରିବା ନିତିଦିନିଆ ବ୍ୟବସାୟ ହୋଇ ଯାଇଛି।ଏହା ସହ ଜଙ୍ଗଲରୁ ଶାଳ ଏବଂ ଶିଆଳି ପତ୍ର ସଂଗ୍ରହ କରି ସେଥିରେ ଖଲି ଦନା ପ୍ରସ୍ତୁତ କରି ବିକ୍ରି କରିଥାନ୍ତି।ଋତୁ ଅନୁସାରେ ଜଙ୍ଗଲରୁ ମହୁଲ,ଶାଳ ମଞ୍ଜି,ଗରା,ତେନ୍ତୁଳି,ଆମ୍ବ ଓ ପଣସ ସଂଗ୍ରହ କରି ବଜାରରେ ବିକ୍ରି କରି ନିଜ ନିଜର ପରିବାର ଚଳେଇଥାନ୍ତି।କହିବାକୁ ଗଲେ ଏହି ଗାଁ’ର ଲୋକ ଏକ ପ୍ରକାର ଜଙ୍ଗଲୀ ମଣିଷଙ୍କ ଭଳି ଜୀବନ ବିତେଇଥାନ୍ତି।ଆଜିର ମଣିଷ ଚନ୍ଦ୍ର ପୃଷ୍ଠରେ ରହିବାକୁ ଯୋଜନା କଲେଣି ହେଲେ ଗଦିଙ୍ଗିଆ ଗାଁକୁ ରାସ୍ତାଟିଏ ନାହିଁ।ପ୍ରତ୍ୟକ ବର୍ଷ ଏମଜିଏନଆରଜିଏସ ଯୋଜନାରେ ଲକ୍ଷଧିକ ଟଙ୍କା ଅନୁଦାନ ଆସୁଛି ଏହି ଗାଁ ରାସ୍ତା କାମ ପାଇଁ ରାସ୍ତା କଡ଼ରୁ ମାଟି କାଢି ରାସ୍ତା ଉପରେ ପକେଇ ଦିଆଯାଉଛି ଗୋଟିଏ ଦୁଇଟି ମାସ ପରେ ବର୍ଷା ହେଲେ ସେଇ ମାଟି ପୁଣି ଭାସି ଯାଉଛି ପୂର୍ବରୁ ଯେମିତି ରାସ୍ତା ଥିଲା ପୁଣି ସେଇ ଅବସ୍ଥା।ଗ୍ରାମର ପୁରୁଷ ମହିଳା ମାନେ ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମେ ଏହି ଜଙ୍ଗଲ ପାହାଡ଼ ଭିତରେ ରହୁଛୁ ବାରମ୍ବାର ଲିଖିତ ଭାବେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆମ ଗାଁ ରାସ୍ତା ନିର୍ମାଣ ନିମନ୍ତେ ଜଣାଉଛୁ ହେଲେ କେହି ଆମ କଥା ଶୁଣୁନାହାନ୍ତି।ଆମ ଗାଁର କୌଣସି ବ୍ୟକ୍ତି ରୋଗ ଗ୍ରସ୍ତ ହେଲେ ଆମ୍ବୁଲାନ୍ସ ଡାକିଲେ ଆସୁନି ୪ କିମି ଦୂର ମୁଖ୍ୟ ସଡ଼କରେ ଆମ୍ବୁଲାନ୍ସ ରହିଯାଉଛି ଆମେ ଖଟିଆରେ ରୋଗୀଙ୍କୁ ବୋହି ବୋହି ନେବାକୁ ପଡୁଛି।ସେହି ଭଳି ଗର୍ଭବତୀ ମାଆ ମାନଙ୍କୁ ମଧ୍ୟ ସେମିତି ନେବାକୁ ପଡୁଛି।ଏହି ଦୁର୍ଗମ ଗାଁର ବିକାଶ ପାଇଁ ଏବଂ କିଛି ପରିବର୍ତ୍ତନ ପାଇଁ ପ୍ରଶାସନ ପକ୍ଷରୁ ତିନି ବର୍ଷ ପୂର୍ବେ ପରିବର୍ତ୍ତନ ମେଳା ନାଁରେ ଏକ ମେଳା ଆୟୋଜନ କରାଯାଇଥିଲା ଯେଉଁଠି ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ଗ୍ରାମବାସୀ ଆଶା ରଖିଥିଲେ ଏହି ପରିବର୍ତ୍ତନ ମେଳା ପରେ କିଛି ପରିବର୍ତ୍ତନ ହେବ ହେଲେ ଯଥା ପୂର୍ବ ତଥା ପର ଏହି ଗ୍ରାମର ଅବସ୍ଥା।ଗ୍ରାମବାସୀଙ୍କ କହିବା ପ୍ରକାରେ ଆମେ ମାନେ ଏକ ଅଭିଶପ୍ତ ଜୀବନ ଯାପନ କରୁଛୁ।ନିର୍ବାଚନ ଆସିଲେ ନେତା ମାଳ ମାଳ ଆସୁଛନ୍ତି ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି ନିର୍ବାଚନ ସରିଗଲେ ଆଉ ଦେଖା ଦେଉ ନାହାନ୍ତି।ସାଧାରଣ ନିର୍ବାଚନରେ ଗ୍ରାମବାସି ଭୋଟ ବର୍ଜନ କରିଥିଲେ।ଆମେ ଚାଷ ବାସ କରୁଛୁ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ନିମନ୍ତେ ଆମକୁ ଚାରି କିମି ରାସ୍ତା ଚାଲି ଚାଲି ବିଭିନ୍ନ ସାମଗ୍ରୀ ବୋହି ନେବାକୁ ପଡୁଛି।ଚାଷ ପରିଶ୍ରମ ଠାରୁ ଉତ୍ପାଦିତ ସାମଗ୍ରୀ ବୋହି ନେବା କଷ୍ଟ ବଳି ପଡୁଛି।ଗୁପ୍ତେଶ୍ଵର ନାୟକ, ନାରାୟଣଲକ୍ଷ୍ମୀ ପ୍ରଧାନ,ଉତ୍ସବ ପ୍ରଧାନ ଦାବି କରିଛନ୍ତି ଗଦିଙ୍ଗିଆ ଛକ ଜାତୀୟ ରାଜପଥ ନଂ୧୫୭ ଠାରୁ ଗଦିଙ୍ଗିଆ ଦେଇ ଚକାପାଦ ବ୍ଲକର ମୁଣ୍ଡାଗାଁ ପର୍ଯ୍ୟନ୍ତ୮କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ପକ୍କା ରାସ୍ତା ନିର୍ମାଣ କରାଯାଉ।ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି।
