October 28, 2026

କର୍ପୋରେଟ୍ ହାତରେ ପ୍ରାକୃତିକ ସଂପଦ, ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ

IMG-20261028-WA0112
Share

 

ଭୁବନେଶ୍ୱର,ତା ୨୮/୧୦/୨୬: କର୍ପୋରେଟ୍ ହାତରେ ଆମ ଜମି ଜଙ୍ଗଲ, ଖଣି, ପାଣି ଭଳି ପ୍ରାକୃତିକ ସଂପଦକୁ ଲୁଟ୍ ପାଇଁ ଟେକିଦେବା ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରାଯାଇଛି। ମା’ ମାଟି, ଜୀବନ- ଜୀବିକା ଓ ପ୍ରକୃତି ପରିବେଶର ସୁରକ୍ଷା ପାଇଁ ଗଣତାନ୍ତ୍ରିକ ତଥା ଶାନ୍ତିପୂର୍ଣ୍ଣ ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ସହିତ ଆନ୍ଦୋଳନର ନେତା କର୍ମୀ ମାନଙ୍କୁ ମିଥ୍ୟା ମକଦ୍ଦମାରେ ଗିରଫ ପ୍ରତିବାଦରେ ୨୭ ଅକ୍ଟୋବରରେ ବିଭିନ୍ନ ଜନ ଆନ୍ଦୋଳନ,ଜନ ସଂଗଠନ ଓ ନାଗରିକ ସମାଜ ପକ୍ଷରୁ ସାରା ଓଡ଼ିଶା ପ୍ରତିବାଦ ଦିବସ ପାଳିତ ହୋଇଯାଇଛି।

 

ଗତ ୩୦ ସେପ୍ଟେମ୍ବର ଦିନ ଲୋହିଆ ଏକାଡେମୀ ପରିସରରେ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ସହିତ ବିଭିନ୍ନ ଜନ ଆନ୍ଦୋଳନ ଓ ଗଣ ସଂଗଠନ ମାନଙ୍କ ସମ୍ମିଳନୀରେ ୨୭ ଅକ୍ଟୋବର ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ ପାଇଁ ଡାକରା ଦିଆଯାଇଥିବା ବେଳେ ୭ ଓ ୮ ଅକ୍ଟୋବର ଦିନ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (Campaign for Survival & Dignity- CSD)ର ଦୁଇଦିନିଆ ସମ୍ମିଳନୀରେ ଏହାକୁ ସମର୍ଥନ ଘୋଷଣା କରାଯାଇଥିଲା।

 

ସେମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ୱରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀ ତଥା କର୍ପୋରେଟ୍ ମାନଙ୍କ ଦ୍ଵାରା ଓଡ଼ିଶାର ସମସ୍ତ ପ୍ରାକୃତିକ ସଂପଦର ଅବାଧ ଲୁଣ୍ଠନ ପାଇଁ ସମସ୍ତ ବାଟ ଖୋଲିଦିଆ ଯାଇଛି । ରାଜ୍ୟର ଅନୁସୂଚିତ ଅଞ୍ଚଳ ରେ ଯେକୌଣସି ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବାକୁ ସଂପୃକ୍ତ ଗ୍ରାମସଭାର ରହିଥିବା ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରି ଅବିଚାରିତ ଭାବେ ବେଦାନ୍ତ, ଆଦାନୀ, ଜିନ୍ଦଲ, ପୋସ୍କୋ, ଡାଲମିଆ, ହିଣ୍ଡାଲକୋ, ଟାଟା, ବିର୍ଲା ଆଦି ବେସରକାରୀ କମ୍ପାନୀ, ନାଲକୋ , ଓଡ଼ିଶା ଖଣି ନିଗମ ଭଳି ସରକାରୀ ସଂସ୍ଥା ମାନଙ୍କୁ *ତଥାକଥିତ ବିକାଶ ନାମରେ ବିନାଶର ଏକତରଫା ଠିକା* ଦିଆ ଯାଇଛି। ଏହା ଫଳରେ *ତଥାକଥିତ ବିକଶିତ ଓଡ଼ିଶା ଅବା ଉତ୍କର୍ଷ ଓଡ଼ିଶା* ନାମରେ ସାରା ଓଡ଼ିଶା ସମ୍ବଳହୀନ ହେବାକୁ ଯାଉଛି। ଏହି ନୀତି ହଜାର ହଜାର ଆଦିବାସୀ, ଦଳିତ ତଥା ପଛୁଆ ବର୍ଗର ଲୋକମାନଙ୍କ ଭିଟାମାଟି, ଜୀବନ ଜୀବିକା ଓ ପ୍ରାକୃତିକ ପରିବେଶ ତଥା ସଂସ୍କୃତି ଉପରେ ଏକ ବୁଲଡୋଜର୍ ଆକ୍ରମଣ କହିଲେ ଭୁଲ୍ ହେବ ନାହିଁ।

ସରକାରଙ୍କ ଏହି ଜନବିରୋଧୀ ନୀତି ଓ ନିଷ୍ପତ୍ତି ବିରୋଧରେ ଯେଉଁମାନେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ସରକାରୀ ପ୍ରଶାସନ ଓ ପୋଲିସର ଦମନଲୀଳା ତୀବ୍ରତର ହେଉଛି। ବିଭିନ୍ନ ଜନ ଆନ୍ଦୋଳନର ଶହ ଶହ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ମିଥ୍ୟା ମକଦ୍ଦମା ରେ ଗିରଫ୍ କରି ଜେଲ୍ ରେ ରଖାଯାଉଛି। ସେମାନେ ଗୋଟିଏ ମକଦ୍ଦମାରୁ ଖଲାସ୍ ହେଲେ ସେମାନଙ୍କୁ ଅନ୍ୟାନ୍ୟ ମିଥ୍ୟା ମକଦ୍ଦମାରେ ଛନ୍ଦି ଦିଆଯାଉଛି।

 

ନିୟମଗିରି ସୁରକ୍ଷା ସମିତି ତଥା ମା ମାଟି ମାଳି ସୁରକ୍ଷା ମଞ୍ଚର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍, ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ସିଜିମାଳି ଆନ୍ଦୋଳନର ଲଢ଼ୁଆ ନେତା ହୀରାମଲ ନାୟକ ଓ ଲକ୍ଷ୍ମଣ ନାୟକଙ୍କୁ ବିଭିନ୍ନ ମିଛ ମକଦ୍ଦମାରେ ଗିରଫ୍ କରାଯାଇଛି। ସେହିପରି ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟରତ ତଥା ଉତ୍ସର୍ଗୀକୃତ ଜଣେ ଡାକ୍ତର ରାଣ୍ଡେଲ୍ ସେକ୍ୟୁରା ଏକ ମିଥ୍ୟା ମକଦ୍ଦମାରେ ଗିରଫ କରିଛି। ଶହ ଆନ୍ଦୋଳନକାରୀ ମାନଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଛି। ବିଭିନ୍ନ କମ୍ପାନୀ ଓ ରାଜ୍ୟ ସରକାରଙ୍କ ସଲାସୁତୁରା ରେ ନିଜ ଗାଁ ରେ ଗାଁ ଲୋକ ମାନଙ୍କୁ ଘେରା ବନ୍ଦୀ କରି ରଖାଯାଉଛି।

ଆଜି ଓଡ଼ିଶାର ଆରାବଳୀ ଗନ୍ଧମାର୍ଦନ ଠାରୁ ଦେଓମାଳୀ ପର୍ଯ୍ୟନ୍ତ, କେଉଁଝର ଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ, ଓଡ଼ିଶାର ପୂର୍ବାଞ୍ଚଳ ଠାରୁ ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ, ଉତ୍ତରାଞ୍ଚଳ ଠାରୁ ଦକ୍ଷିଣାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ କର୍ପୋରେଟ ମାନଙ୍କ ଲୁଟ୍ ପାଇଁ ସାହାଣମେଲା କରିଦିଆଯାଇଛି।

 

ପେସା ଆଇନ୍ ପ୍ରଣୟନ ହେବା (୧୯୯୬)ର ଦୀର୍ଘ ୩୦ ବର୍ଷ ପରେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଉ ନାହିଁ। ଜଙ୍ଗଲ ଅଧିକାର ଆଇନ -୨୦୦୬କୁ ଦୀର୍ଘ ଦିନ ଧରି ଅଚଳ କରି ଦିଆଯାଇଛି। ପେସା ଓ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଯେକୌଣସି ବିକାଶ ମୂଳକ କାର୍ଯ୍ୟ ପାଇଁ ଗ୍ରାମସଭାର ଅନୁମୋଦନ ଜରୁରୀ ହୋଇଥିବା ବେଳେ କମ୍ପାନୀ ମାନଙ୍କ ସ୍ୱାର୍ଥରେ ଗ୍ରାମସଭାର ଅଧିକାର ତଥା କ୍ଷମତାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ଏବେ ଖଣି ଓ ଖଣିଜ ସମ୍ପଦ (ବିକାଶ ନିୟମାବଳୀ) ଆଇନ୍ -୧୯୫୭ (MMDR-1957) କୁ ସଂଶୋଧନ କରି ୨୦୨୬ ମସିହାରେ ଯେଉଁ ସଂଶୋଧିତ ଆଇନ୍ ଆସିଛି, ତାହା ଓଡ଼ିଶାକୁ ସମ୍ବଳହୀନ କରିବା ସହିତ ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ଅଧିକାର ଉପରେ ଆକ୍ରମଣ କହିଲେ ଭୁଲ୍ ହେବ ନାହିଁ।

 

ସରକାରଙ୍କ ଏହି ଜନବିରୋଧୀ ନୀତି ତଥା କାର୍ଯ୍ୟ ବିରୋଧରେ (୨୭ ଅକ୍ଟୋବର, ୨୦୨୬) ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦିବସ ଆୟୋଜିତ ହୋଇଯାଇଛି।ଭୁବନେଶ୍ୱରରେ ସଚେତନ ନାଗରିକ ମଞ୍ଚ, କୋରାପୁଟ ସେମିଳିଗୁଡାରେ ମାଳି ପର୍ବତ ସୁରକ୍ଷା ସମିତି, ମା ନାଗେଶ୍ଵରୀ ମାଳି ଡଙ୍ଗର ମହା ଗ୍ରାମସଭା, ବନ୍ଧୁଗାଁ ରେ ଅଲ୍ ଇଣ୍ଡିଆ କ୍ଷେତ୍ ମଜଦୂର କିଷାନ୍ ସଭା (ଏ.ଆଇ.କେ.ଏମ୍.କେ. ଏସ୍) ବଲାଙ୍ଗୀର ଟିଟିଲାଗଡ଼ ଓ ପାଟଣାଗଡ଼ ରେ ଜିନ୍ଦାବାଦ ସଂଗଠନ, ଟିଟିଲାଗଡ଼ ପାୱାର ପ୍ଲାଣ୍ଟ ବିରୋଧୀ ଆନ୍ଦୋଳନ, ଜଙ୍ଗଲ ଜମି ସୁରକ୍ଷା ସମିତି, ଶ୍ରମିକ ଅଧିକାର ମଞ୍ଚ, ଜଙ୍ଗଲ ଅଧିକାର ମଞ୍ଚ, ଜନମ ମାଏଟ ବଚାଓ ସଂଘର୍ଷ ସମିତି, ଗନ୍ଧମାର୍ଦ୍ଦନ ସୁରକ୍ଷା ଆକ୍ସନ୍ କମିଟି, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ, ବ୍ଲକ ସ୍ତରୀୟ ଜଙ୍ଗଲ ଅଧିକାର କମିଟି(ଲୋଇସିଂହା), ରାୟଗଡ଼ା ଜିଲ୍ଲାର କାଶୀପୁରରେ ଜନ ଆନ୍ଦୋଳନ ସମୁ‌ହ (ଏନ୍.ଏ.ପି.ଏମ୍) ପକ୍ଷରୁ ଏହି ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ତେବେ ରାଜ୍ୟର କେତେକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷା କାରଣରୁ ଏହାକୁ ଶେଷ ମୁହୂର୍ତ୍ତରେ ଘୁଞ୍ଚାଇ ଦିଆଯାଇଛି।

 

ଏହି ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ଅବସରରେ ସେମାନେ ପେସା,ଜଙ୍ଗଲ ଅଧିକାର ଆଇନ , ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଗ୍ରାମସଭାର ବିନା ଅନୁମତିରେ କୌଣସି ପ୍ରକଳ୍ପକୁ ଅନୁମୋଦନ ଦିଆ ନଯିବାକୁ ଦାବି କରିଛନ୍ତି। ଯେଉଁଠାରେ ଏଭଳି ବେଆଇନ୍ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି, ତାହାକୁ ତୁରନ୍ତ ବାତିଲ୍ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି। ସେହିପରି ରାଜ୍ୟରେ ଚାଲିଥିବା ଗଣତାନ୍ତ୍ରିକ ଜନ ଆନ୍ଦୋଳନ ଉପରେ ହେଉଥିବା ପୋଲିସ ଦମନ ଯଥା, ମିଥ୍ୟା ଅଭିଯୋଗରେ ଗିରଫ୍, ଗାଁ ଭିତରେ ପୋଲିସ ମୁତୟନ ଓ ଆତଙ୍କରାଜକୁ ଅବିଳମ୍ବେ ବନ୍ଦ କରିବାକୁ ସେମାନେ ଦାବି ଜଣାଇଛନ୍ତି। ବିଭିନ୍ନ ଜେଲରେ ଥିବା ଆନ୍ଦୋଳନ କାରୀଙ୍କୁ ନିଃସର୍ତ୍ତ ଖଲାସ କରାଯାଉ ଏବଂ ବିଭିନ୍ନ ମିଥ୍ୟା ମାମଲା ପ୍ରତ୍ୟାହାର କରିବା, ଜଙ୍ଗଲ ଅଧିକାର ଆଇନ -୨୦୦୬କୁ ଅବିକଳ ତଥା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ କରିବା ଏବଂ ପେସା ଆଇନ୍ -୧୯୯୬ ର ନିୟମାବଳୀ ଅବିଳମ୍ବେ ପ୍ରଣୟନ କରିବାକୁ ଏହି ଅବସରରେ ଦାବି କରାଯାଇଛି। ସମସ୍ତ ପ୍ରାକୃତିକ ସଂପଦର ସୁରକ୍ଷା, ସଂରକ୍ଷଣ ଓ ପରିଚାଳନା ପାଇଁ ଗ୍ରାମସଭାର ଦାୟିତ୍ଵ ଓ କ୍ଷମତାକୁ ମାନ୍ୟତା ଦେବା, ଖଣି ଓ ଖଣିଜ ସମ୍ପଦ (ବିକାଶ ନିୟମାବଳୀ) ଆଇନ୍ -୧୯୫୭ (MMDR-1957) କୁ ସଂଶୋଧନ ମାଧ୍ୟମରେ ପ୍ରଣୟନ ହୋଇଥିବା ୨୦୨୬ ମସିହା ସଂଶୋଧିତ ଆଇନ୍ କୁ ରଦ୍ଦ କରିବାକୁ ମଧ୍ୟ ସେମାନେ ଦାବି ଜଣାଇଛନ୍ତି। ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ସବଡିଭିଜନାଲ୍ ଅଧିକାରୀ (ଏସ୍.ଡି.ଓ)ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ନ୍ୟାୟସଙ୍ଗତ ଦାବି ଗୁଡ଼ିକୁ ଅବହେଳା କଲେ ଭବିଷ୍ୟତରେ ଜନ ଅସନ୍ତୋଷ ପାଇଁ ସରକାର ଦାୟୀ ରହିବେ ବୋଲି ଜନ ଆନ୍ଦୋଳନ ଓ ଜନ ସଂଗଠନ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

 

ପ୍ରସ୍ତୁତି: ନରେନ୍ଦ୍ର ମହାନ୍ତି,

ଫୋନ୍: ୯୪୩୭୪୨୭୭୪୭

You may have missed