ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ପୁସ୍ତକ ଉନ୍ମୋଚନ, ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା ଉତ୍ସବ

ବୁଗୁଡା : ତା ୧୩/୦୧/୨୬ : ସ୍ଥାନୀୟ ପିପୁଲ୍ସ କଲେଜ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗରେ “ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ” ପକ୍ଷରୁ ପୁସ୍ତକ ଉନ୍ମୋଚନ,ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗୌରୀପତି ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ଉପସଭାପତି ସ୍ଵର୍ଗତ ପ୍ରଶାନ୍ତ ନନ୍ଦଙ୍କ ପାଇଁ ଅନୁଷ୍ଠିତ ଶୋକସଭାରେ ବର୍ଷୀୟାନ କବି ଅନନ୍ତ କର, ଅଶୋକ ନନ୍ଦ ଏବଂ ଶ୍ୱେତପଦ୍ମା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ବିଜୟ ଚନ୍ଦ୍ର ମିଶ୍ର, ବ୍ରହ୍ମପୁର, “ସ୍ମୃତିର ଆଇନାରେ ପ୍ରଶାନ୍ତ” ବିନ୍ଦୁ ଉପରେ ନିଜର ଭାବପୂର୍ଣ୍ଣ ବକ୍ତବ୍ୟ ନୀରବ ପ୍ରାର୍ଥନା ପରେ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ନାଟ୍ୟକାର ତଥା ପିପୁଲ୍ସ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର, ବରେଣ୍ୟ ଅତିଥିଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ବିଶିଷ୍ଟ ସଙ୍ଗଠକ ତଥା ବ୍ରହ୍ମପୁର ସାହିତ୍ୟ ପରିଷଦ ସଭାପତି ସୁଶାନ୍ତ ଦାଶ, ଅବସରପ୍ରାପ୍ତ ଅଧ୍ୟକ୍ଷ ସଭାପତି କୃତ୍ତିବାସ ବିଶ୍ଵାଳ, ସମ୍ଭବ ସାହିତ୍ୟ ପରିବାର ପ୍ରତିଷ୍ଠାତା ସମ୍ପାଦକ ଡ.ରୋଜାଲିନି ସେନାପତି, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଆଲୋଚକ ରୂପେ ଡ.ଲକ୍ଷ୍ମୀନାରାୟଣ ଦାଶ ଏବଂ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଏବଂ ପ୍ରସାର ପାଇଁ ବୁଗୁଡ଼ାର ଭୂମିକା ସମ୍ପର୍କୀୟ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଡ.ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପଞ୍ଚମ କବିତା ସଙ୍କଳନ “ମୁଁ ଏବଂ ମୋ କବିତା”, ବୈଷ୍ଣବ ଚରଣ ଦାଶଙ୍କ ୨ୟ ପ୍ରବନ୍ଧ ସଙ୍କଳନ “ସଂସ୍କୃତି ସଞ୍ଚୟନ”, ଡ.ରୋଜାଲିନି ସେନାପତି ଙ୍କ “ବୋଉ” ଏବଂ “କୃଷ୍ଣ ପ୍ରେୟସୀ”, ଇଂ.ପ୍ରସନ୍ନ କୁମାର ଦାଶଙ୍କ “ଆମ ପୌରାଣିକ ଚରିତ୍ର” ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆ ଭାଷା ସାହିତ୍ୟରେ ମହାବିଦ୍ୟାଳୟରେ ସର୍ବାଧିକ ମାର୍କ ରଖିଥିବା ରୁଚିକା ଗୌଡ଼ ଏବଂ ରୁଦ୍ର ପ୍ରତାପ ବିଷୋୟୀଙ୍କୁ ସମ୍ମାନିତ କରାଯାଇଥିଲା । ଉଚ୍ଚତର ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପାଇଥିବା ପିପୁଲସ୍ କଲେଜର ଅଧ୍ୟାପିକା ଡ.ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ସହ ଦୁଇ ଜଣଙ୍କୁ ବିକ୍ଷିପ୍ତା ସମ୍ମାନ, ପାଞ୍ଚ ଜଣଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ, ଜଣଙ୍କୁ ବିକ୍ଷିପ୍ତା ସଙ୍ଗଠକ ସମ୍ମାନ, ଚାରି ଜଣଙ୍କୁ ବିକ୍ଷିପ୍ତା ଭଞ୍ଜ ସୌରଭ ସମ୍ମାନ ଏବଂ ଦୁଇ ଜଣଙ୍କୁ ବିକ୍ଷିପ୍ତା ନାରୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ବିକ୍ଷିପ୍ତାର ସମ୍ପାଦକ ବୈଷ୍ଣବ ଚରଣ ଦାଶ ବୈଦିକ ମନ୍ତ୍ର ପାଠ, ଓଡ଼ିଆ ଅଧ୍ୟାପକ ଡ.ସଞ୍ଜୟ କୁମାର ପ୍ରଧାନ ସ୍ଵାଗତ ଭାଷଣ ଏବଂ ବିଭାଗୀୟ ମୁଖ୍ୟ ଡ.ହିମାଂଶୁ ଶେଖର ରଥ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଛାତ୍ରଛାତ୍ରୀଙ୍କ ସହ ଶ୍ୟାମପଦ ହୋତା, ମାନସ କୁମାର ଦାଶ, ବସନ୍ତ ବିଷୋୟୀ, ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ସୁଶ୍ରୀ ବିଶ୍ୱଜିତା ରାଉତରାୟ ସ୍ଵାଗତ ସଙ୍ଗୀତ ଏବଂ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ । ଡ.ଶ୍ୟାମା ପ୍ରସାଦ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ତରଫରୁ ଅଂଶ ଗ୍ରହଣକାରୀ ବ୍ଯକ୍ତିଗଣଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଅର୍ପଣ କରାଯାଇଥିଲା ।
