ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ସାଇନ୍ବୋର୍ଡରେ ସୀମିତ,ବିଶେଷଜ୍ଞ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଜନସାଧାରଣ ଚିକିତ୍ସା ପାଇଁ ହାହାକାର, ରେଫର୍ ହେଉଛି ଏକମାତ୍ର ଉପାୟ
ଉମରକୋଟ ଉପଖଣ୍ଡ ଚିକିତ୍ସାଳୟଟି ଆଜି କେବଳ ସାଇନ୍ବୋର୍ଡରେ ଅଟକି ରହିଛି। ନାମରେ “ଉପଖଣ୍ଡ ଚିକିତ୍ସାଳୟ” ଥିଲେ ମଧ୍ୟ ବାସ୍ତବତାରେ ଏଠାରେ ନାହାଁନ୍ତି ଆବଶ୍ୟକ ବିଶେଷଜ୍ଞ ଡାକ୍ତର, ଅତ୍ୟାଧୁନିକ ମେସିନ୍ ରହିଛି, ସେବା ନାହିଁ, ଉପଖଣ୍ଡ ଚିକିତ୍ସାଳୟରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ସ୍ଥାପିତ ଅତ୍ୟାଧୁନିକ ପରୀକ୍ଷା ଯନ୍ତ୍ରପାତି ରହିଥିଲେ ମଧ୍ୟ ସେଗୁଡିକ ବ୍ୟବହାର ହେଉନାହିଁ। ଲ୍ୟାବ୍, ରେଡିଓଲୋଜି ଓ ଡାୟାଗ୍ନୋଷ୍ଟିକ୍ ବିଭାଗରେ ପ୍ରଶିକ୍ଷିତ ବିଶେଷଜ୍ଞ ଡାକ୍ତର ଓ ଟେକ୍ନିସିଆନ୍ ନଥିବାରୁ ଗୁଡ଼ାଏ ପରୀକ୍ଷା ସଂପନ୍ନ ହୋଇପାରୁନି। ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସୁବିଧା ଥିଲେ ମଧ୍ଯ ମେସିନ୍ ଧୁଳି ଚାଟୁଥିବା ବେଳେ ଆବଶ୍ୟକ ପରୀକ୍ଷା ନ ହେବାରୁ ରୋଗୀମାନଙ୍କୁ ବେସରକାରୀ ଲ୍ୟାବକୁ ପରୀକ୍ଷା ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର। ସ୍ଥାୟୀ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ନଥିବାବେଳେ ଡ଼େପୁଟେସନ ଡାକ୍ତରଙ୍କ ଦ୍ଵାରା ଗର୍ଭବତୀ ମହିଳାଙ୍କ ଚିକିତ୍ସା ହେଉଥିବା ବେଳେ ଜରୁରୀକାଳୀନ ସେବା ଉପଲବ୍ଧ ହୋଇପାରୁନାହିଁ। ଜଟିଳ ପରିସ୍ଥିତିରେ ଗର୍ଭବତୀଙ୍କୁ ବାହାରକୁ ରେଫର୍ କରାଯାଉଥିବା ବେଳେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅସ୍ଥିଶଲ୍ୟ ବିଶେଷଜ୍ଞ, ଭେଷଜ ସହ ଅନ୍ୟାନ୍ୟ ଆବଶ୍ୟକ ଡାକ୍ତରଙ୍କ ଅଭାବରୁ ରୋଗୀମାନେ ଦିନକୁ ଦିନ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ଚିକିତ୍ସା ଛଡା ଅନ୍ୟ କୌଣସି ସେବା ମିଳୁନଥିବାରୁ ଅଧିକାଂଶ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ବେସରକାରୀ ହସ୍ପିଟାଲକୁ ରେଫର୍ କରାଯାଉଛି। ରାତ୍ରିକାଳୀନ ସେବା, ଆପାତକାଳୀନ ଚିକିତ୍ସା ଓ ଅପରେସନ୍ ସୁବିଧା ନଥିବାରୁ ଜୀବନ-ମୃତ୍ୟୁ ସହ ଲଢ଼ୁଛନ୍ତି ରୋଗୀ। ସ୍ୱାସ୍ଥ୍ୟ ବିଭାଗ ଉପରେ ଅବହେଳାର ଅଭିଯୋଗ ବାରମ୍ବାର ଦାବୀ ସତ୍ତ୍ୱେ ଡାକ୍ତର ନିଯୁକ୍ତି ନ ହେବା ସ୍ୱାସ୍ଥ୍ୟ ବିଭାଗର ଅସାର ନୀତିକୁ ପ୍ରକାଶ କରୁଛି। ଦୂରଦୂରାନ୍ତ ଅଞ୍ଚଳରୁ ଆସୁଥିବା ଗରିବ ଓ ମଧ୍ୟବର୍ଗୀୟ ଲୋକେ ଅର୍ଥିକ ଭାର ବହନ କରିପାରୁ ନଥିବାରୁ ଚିକିତ୍ସା ବିନା ଫେରୁଛନ୍ତି ତ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି। ସ୍ୱାସ୍ଥ୍ୟ ବିଭାଗର ଏହି ଅବହେଳା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତର ନିଯୁକ୍ତି, ଆଧୁନିକ ଉପକରଣ ଓ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଚାଲୁ କରିବାକୁ ପ୍ରଶାସନଙ୍କୁ ଦୃଢ଼ ଦାବୀ କରିଛନ୍ତି।
