April 28, 2026

ମନରେଗା ଯୋଜନା,ମଣିଷ ବଦଳରେ କାମ କରୁଛି ମେସିନ

IMG-20230509-WA0038
Share

ମନରେଗା ଯୋଜନା,ମଣିଷ ବଦଳରେ କାମ କରୁଛି ମେସିନ
ବୁଗୁଡ଼ା : ତା ୦୯/୦୫/୨୩ : ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ହେଁ କେବଳ କାଗଜ କଲମରେ ଶ୍ରମିକ ନିଯୁକ୍ତି ହେଉଥିବା ବେଳେ ବାସ୍ତବରେ କାମ କରୁଛି ମେସିନ l ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର କରଚୁଲି ପଞ୍ଚାୟତରେ l ମନେରେଗା ଯୋଜନାରେ ହାତୀଗଣ୍ଡ ବନ୍ଧର ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏଠାରେ ମଣିଷ ବଦଳରେ ମେସିନ କାମ କରୁଥିବା ଦେଖିବାକୁ ମିଳିଛି l କୌଣସି ସୂଚନା ଫଳକ ମଧ୍ୟ ଏଠି ଲଗା ଯାଇନି l ସେହିପରି ଏହି ପଞ୍ଚାୟତର ରାମପାଦ ବନ୍ଧ କାମରେ ମଧ୍ୟ ମେସିନ ଲାଗିଥିବା ଦେଖିବାକୁ ମିଳିଛି । ସେଠି ବି ସୂଚନା ଫଳକ ନାହିଁ l ପ୍ରକଳ୍ପ ମଞ୍ଜୁରୀ ପରେ ଶ୍ରମିକ ନିୟୋଜନ ପାଇଁ ଡିମାଣ୍ଡ ନ ବାହାରୁଣୁ ମେସିନ ଲଗାଇ କାମ ସାରିବା ପରେ ଡିମାଣ୍ଡ ବାହାର କରା ଯାଉଛି ଏବଂ ଅଣ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ସେମାନଙ୍କୁ ଶହେ ଦୁଇ ଶହ ଦେଇ ବାକି ଟଙ୍କା ଦଲାଲମାନେ ଉଠାଇ ନେଉଥିବା ଅଭିଯୋଗ ହେଉଛି l ଫଳରେ ପ୍ରକୃତ ଶ୍ରମିକ କାମ ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଅଭିଯୋଗ ହେଉଛି l ମନେରେଗା ଯୋଜନାରେ ଶ୍ରମିକମାନେ କେତେ କାର୍ଯ୍ୟ କରୁଛନ୍ତି ତାହା କରଚୁଲି ପଞ୍ଚାୟତରେ ଚାଲିଥିବା ଦୁଇଟି ପୋଖରୀ ଉନ୍ନତି କରଣ କାର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି l ଏଠି ଦିନ ଦ୍ବିପ୍ରହରରେ ଜେସିବି ଦ୍ୱାରା ପୋଖରୀ ଖୋଳା ଯାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି l ଏହି ପୋଖରୀରେ କୌଣସି ଯୋଜନାର ଫଳକ ଲାଗିନଥିବା ବେଳେ ଏହାର କାର୍ଯ୍ୟ ମନେରେଗା ଯୋଜନାରେ ହେଉଥିବା ଜଣାଯାଇଛି l ପୋଖରୀ ଖୋଳା କାର୍ଯ୍ୟ ସରିବା ପରେ ସେଠାରେ ଫଳକ ଲଗାଯାଇ କାମ କରି ନଥିବା ଲୋକଙ୍କୁ ଶ୍ରମିକ ଦର୍ଶାଇ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପୁଣି ସେମାନଙ୍କୁ ଶହେ ଦୁଇ ଶହ ଦେଇ ବାକି ଟଙ୍କା ଦଲାଲ ମାନେ ଉଠାଇ ନେଉଥିବା ଅଭିଯୋଗ ହେଉଛି l ଏହି ଘୋଟଲା ପଛରେ ବ୍ଲକ ମୁଖିଆଙ୍କଠୁ ନେଇ ଜିଆରଏସ ପର୍ଯ୍ୟନ୍ତ ସମସ୍ତଙ୍କ ଭାଗିଦାରୀ ଥିବା ସାଧାରଣରେ ଆଲୋଚନା ହେଉଛି l ତେବେ ଏଠି ମନେରେଗା କାର୍ଯ୍ୟରେ ହେଉଥିବା ଘୋଟଲା ଉପରେ ଜିଲ୍ଲା ପ୍ରଶାସନ ଓ ବିଭାଗର ଉଚ୍ଚପଦସ୍ତ ଅଧିକାରୀ ଦୃଷ୍ଟି ଦେଇ ସରକାରୀ ଅର୍ଥ ଚଞ୍ଚକତା କରି ବାଟମାରଣା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି l

You may have missed