ଫସଲ ହାନିକାରକ ବୁଲା ଗାଈଗୋରୁକୁ ଅଟକ ରଖିଲେ ଚାଷୀ, ଏନଏସି କାର୍ଯାଳୟରେ ମହିଳାଙ୍କ ପ୍ରତିବାଦ, ପ୍ରତିକାର ଦାବି

ବୁଗୁଡା : ତା ୦୧/୧୧/୨୫ : ବୁଗୁଡ଼ା ସହରସ୍ଥ ରାଜରାସ୍ତା ସମେତ ବିଭିନ୍ନ ସାହି ରାସ୍ତାରେ ବୁଲା ଗାଈଗୋରୁଙ୍କ ଅବାଧ ବିଚରଣ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ଯବସ୍ଥା ଏନ୍ଏସି ପ୍ରଶାସନ ପକ୍ଷରୁ କରାଯାଇପାରୁନଥିବାରୁ ଲୋକେ ଏହି ଦୂରାବସ୍ଥା ପ୍ରତି ଏକପ୍ରକାର ଅଭ୍ଯସ୍ତ ହୋଇଗଲେଣି। ତେବେ ବୁଲା ଗାଈଗୋରୁଙ୍କ ଯୋଗୁଁ ବୁଗୁଡା ସହରର ଟ୍ରାଫିକ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଏବେ ସେମାନଙ୍କ ପ୍ରାର୍ଦୁଭାବ ଯୋଗୁଁ ଚାଷୀଙ୍କ ଫସଲ ହାନି ମଧ୍ୟ ଘଟୁଛି। ବୁଲା ଗାଈଗୋରୁ ପଲ ରାତିରେ ଲୋକଙ୍କ କ୍ଷେତରେ ପଶି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। ଚାଷୀ ରାତିରେ ନିଜର ଫସଲକୁ ଜଗିବାକୁ ଯାଇ ଅନିଦ୍ରା ହେବାକୁ ପଡୁଛି। ଏଥିରୁ ବର୍ତ୍ତିବା ପାଇଁ ଚାଷୀମାନେ ମିଳିତ ହୋଇ ଫସଲ ହାନି କରୁଥିବା ଗାଈଗୋରୁକୁ ଆଣି ସ୍ଥାନୀୟ ବାଗଦେବୀଙ୍କ ମନ୍ଦିର ପରିସରରେ ଅଟକାଇ ରଖି ଏନ୍ଏସି କାର୍ଯାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଏହାର ପ୍ରତିକାର ବ୍ଯବସ୍ଥା ପାଇଁ ଦାବି କରିଥିଲେ। ଅନ୍ଯପକ୍ଷରେ ମନ୍ଦିର ପରିସରରେ ଅଟକ ଥିବା ଗାଈଗୋରୁ ଯୋଗୁଁ ପୁଣ୍ଯ ମାସ କାର୍ତ୍ତିକରେ ମନ୍ଦିରକୁ ଯାଉଥିବା ଭକ୍ତଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏବେ ଅଟକ ସମସ୍ତ ଗାଈଗୋରୁକୁ ମୁକ୍ତ କରାଯିବା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରି ପୁଣି କାର୍ତ୍ତିକ ପୂର୍ଣ୍ଣିମା ପରେ ବୁଲା ଗାଈଗୋରୁଙ୍କୁ ଅଟକ ରଖାଯାଇ ସମ୍ପୃକ୍ତ ଗାଈଗୋରୁଙ୍କ ମାଲିକମାନଙ୍କ ଉପରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ଯନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କଠାରୁ ପ୍ରକାଶ ପାଇଥିବା ଜଣାପଡ଼ିଛି।
