ଧାରଣାରେ ବୁଗୁଡା ରାଜସ୍ବ ଅମଲା , ଲୋକସେବା ବାଧାପ୍ରାପ୍ତ 

IMG-20250819-WA0051
Share

ବୁଗୁଡା : ତା ୧୯/୦୮/୨୫ : ୧୦ ଦଫା ଦାବି ନେଇ ରାଜ୍ୟ ଅମଲା ସଂଘ ଗତ ୧୧ ତାରିଖ ଦିନଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ବୁଗୁଡା ତହସିଲ କାର୍ଯ୍ଯାଳୟର ୧୦ , ଆଇସିଡିଏସ କାର୍ଯ୍ୟାଳୟର ୨ ଓ ବ୍ଲକ କାର୍ଯ୍ଯାଳୟର ୩ ଜଣ ଅମଲା ବ୍ରହ୍ମପୁର ସବକଲେକ୍ଟର ଅଫିସ୍ ପ୍ରାଙ୍ଗଣରେ ସଂଘର ଅନ୍ଯାନ୍ଯ ଅମଲାଙ୍କ ସହିତ ଧାରଣା ଦେଇ ଆସୁଛନ୍ତି। ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସଂଘ ଚେତାବନୀ ଦେଇଛି। ରାଜସ୍ଵ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବିଭାଗୀୟ କାମ ଏକ ପ୍ରକାର ଅଚଳ ହୋଇପଡିଛି। ସୂଚନା ଯୋଗ୍ୟ ଯେ, ମୂଳ ଦରମା ଓ ଆରଏସପି -୨୦୧୭ ନିୟମ ଅନୁଯାୟୀ ଲେବେଲ -୯କୁ ବୃଦ୍ଧି କରିବା , ନୂତନ ପଦ ସୃଷ୍ଟି ଓ ପଦବୀ ପୁନଃଗଠନ , ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବୀମା ଲାଗୁ କରିବା , କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାରର ଜଣକୁ ନିଯୁକ୍ତି ଦେବା , ରାଜସ୍ୱ ଅମଲାଙ୍କୁ ଶତ ପ୍ରତିଶତ ପଦୋନ୍ନତି ଓ ପୁରାତନ ପେନସନ ପ୍ରଦାନ କରିବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି। ତେବେ ଗତ ୮ ତାରିଖରେ ସ୍ଥାନୀୟ ତହସିଲ କାର୍ଯ୍ଯାଳୟର ଅମଲାମାନେ ତହସିଲଦାରଙ୍କୁ ଏ ନେଇ ଏକ ଦରଖାସ୍ତ ଦେଇ ୧୧ ତାରିଖରୁ ଆନ୍ଦୋଳନରେ ସାମିଲ ହୋଇଥିବାରୁ ତହସିଲ କାର୍ଯ୍ୟାଳୟରେ ଲୋକଙ୍କ କାମ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ କାର୍ଯାଳୟ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି।