April 30, 2026

ସମ୍ବଲପୁରୀ ହସ୍ତତନ୍ତକୁ ବିଶ୍ୱସ୍ତରରେ ପହଂଚାଇବାରେ ସାହାଯ୍ୟ କରୁଛି ଆଇଆଇଏମ ସମ୍ବଲପୁର

IMG-20250805-WA0022
Share

 

ଆଧୁନିକ ବ୍ୟବସାୟିକ ଉପକରଣ ସହିତ ପାରମ୍ପରିକ କାରିଗରମାନଙ୍କୁ ସଶକ୍ତ କରିବାରେ ଅଗ୍ରଣୀ ଭୂମିକା ନେଉଛି ଆଇଆଇଏମ ସମ୍ବଲପୁର

 

ସମ୍ବଲପୁର, ୦୫. ୦୮(ରାଜାରାମ ଷଡ଼ଙ୍ଗୀ):ଅଗ୍ରଣୀ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଆଇଆଇଏମ ସମ୍ବଲପୁର ପକ୍ଷରୁ ସେଣ୍ଟର ଫର ରେସପନ୍‌ସିବଲ୍‌ ବିଜନେସ୍ ତତ୍ୱାବଧାନରେ ପଶ୍ଚିମ ଓଡ଼ିଶାର ମାଷ୍ଟର ବୁଣାକରମାନଙ୍କ ପାଇଁ ତିନି ସପ୍ତାହବ୍ୟାପୀ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ଶେଷ କରିଛି। ଏହି କାର୍ଯ୍ୟକ୍ରମରେ ଅଂଚଳର ଚୟନ କରାଯାଇଥିବା ୨୫ ଜଣ ବୁଣାକାର ସେମାନଙ୍କର ବ୍ୟବସାୟିକ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ କୌଶଳ ଶିଖିଥିଲେ।

 

ଆଇଆଇଏମ ସମ୍ବଲପୁର ନିଜର ଅଂଚଳ ବିକାଶର ମୂଲ୍ୟବୋଧକୁ ଅନୁସରଣ କରି ‘ଆତ୍ମନିର୍ଭର ଭାରତ’ ଏବଂ ‘ଭୋକାଲ୍ ଫର ଲୋକାଲ୍‌’ ଭଳି ଜାତୀୟ ଉଦ୍ୟମ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ୱଦେଶୀ କାରିଗରୀ ଏବଂ ଆଧୁନିକ ବ୍ୟବସାୟିକ ପରିବେଶ ମଧ୍ୟରେ ଥିବା ଅନ୍ତରକୁ ପୂରଣ କରିବାରେ ଆଇଆଇଏମ ସମ୍ବଲପୁର ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହି ତିନି ସପ୍ତାହର ଆବାସିକ କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶାର ମାଷ୍ଟର ବୁଣାକାରମାନଙ୍କୁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ଅନୁଷ୍ଠାନର ଅନ୍ତର୍ଭୁକ୍ତୀକରଣ ବିକାଶ, ଗ୍ରାମୀଣ ଉଦ୍ୟମିତା ଏବଂ ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସଂରକ୍ଷଣ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

 

ଆଇଆଇଏମ ସମ୍ବଲପୁରର ଶିକ୍ଷକ ଏବଂ ବାହ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ ଅଧିବେଶନରେ ମାର୍କେଟିଂ, ମୂଲ୍ୟ ନିର୍ଧାରଣ, ଗ୍ରାହକ ସଂପର୍କ, ଡିଜିଟାଲ୍ ବ୍ରାଣ୍ଡିଂ, ସ୍ଥାୟୀ ପ୍ୟାକେଜିଂ, ଜିଏସଟି ଏବଂ ହିସାବ ରଖିବା, ସହକାରୀ ସମିତି ଏବଂ ବ୍ୟବସାୟ ସ୍ୱୟଂଚାଳିତ ଭଳି ବ୍ୟବହାରିକ ବିଷୟ ସାମିଲ ଥିଲା। ଏହି କାର୍ଯ୍ୟକ୍ରମରେ ଡିଜିଟାଇଜେସନ୍ ଏବଂ ଅନଲାଇନ୍ ବିକ୍ରୟ ପାଇଁ ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

 

ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଭାରତୀୟ ବିଜନେସ୍ ସ୍କୁଲ୍ କେବଳ ଉଚ୍ଚ ଶ୍ରେଣୀର ଶିଳ୍ପ ପାଇଁ ସୀମିତ ନହୋଇ ମୂଳ ସ୍ତରର ବ୍ୟବସାୟ ଉପରେ ଧ୍ୟାନ ଦେବା ଉଚିତ୍‌। ଆଇଆଇଏମ ସମ୍ବଲପୁରର ଏହି ବିଶେଷ ପଦକ୍ଷେପ ବୁଣାକାରମାନଙ୍କ ଜୀବିକାରେ ବିଶାଳ ପରିବର୍ତନ ଆଣିଛି ଏବଂ ସେମାନଙ୍କୁ ‘ଆତ୍ମନିର୍ଭର’ କରିଛି। ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାର ମାଷ୍ଟର ବୁଣାକାରମାନଙ୍କ ପାରମ୍ପାରିକ ଦକ୍ଷତା ପ୍ରତି ଆମର ଗଭୀର ସମ୍ମାନକୁ ପ୍ରତିଫଳିତ କରୁଛି। ସମ୍ବଲପୁରୀ ହସ୍ତତନ୍ତ କେବଳ ଏକ କପଡ଼ା ନୁହେଁ, ଏହା ଏକ ପରିଚୟ ଓ ମର୍ଯ୍ୟାଦା ଏବଂ ଏହା ଆନ୍ତର୍ଜାତିକ ସ୍ତରରେ ପ୍ରତିଫଳିତ ହେବା ଉଚିତ୍‌। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସେମାନଙ୍କର ବ୍ୟବସାୟିକ ଦକ୍ଷତା ଗଠନ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ସେମାନଙ୍କ ବ୍ୟବସାୟକୁ ବିଶ୍ୱ ସ୍ତରକୁ ନେବା ପାଇଁ ନିରନ୍ତର ପରିଶ୍ରମ କରୁଛୁ।”

 

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଟିପିଡବ୍ଲ୍ୟୁଓଡିଏଲ୍‌ର ସିଏସଆର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି କହିଛନ୍ତି ଯେ, “ଆଇଆଇଏମ ସମ୍ବଲପୁରର ଏହା ଏକ ଅତ୍ୟନ୍ତ ଉତ୍କୃଷ୍ଟ ପଦକ୍ଷେପ, କାରଣ ଦେଶର ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଛୋଟ ବ୍ୟବସାୟୀଙ୍କ ପାଇଁ ଏଭଳି ଚିନ୍ତାଶୀଳ ପଦକ୍ଷେପ ନେଇ ନାହାଁନ୍ତି। ଏହି କାର୍ଯ୍ୟକ୍ରମ ‘ଆତ୍ମନିର୍ଭର ଭାରତ’ର ଦୃଷ୍ଟିକୁ ପ୍ରତିଫଳିତ କରୁଛି।

 

ଉଦଯାପନୀ ସମାରୋହରେ ଟିପିଡବ୍ଲ୍ୟୁଓଡିଏଲ୍‌ର ସିଏସଆର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି, ଓଡ଼ିଶା ଲାଇଭଲିହୁଡ୍ ମିସନ୍‌, ସମ୍ବଲପୁରର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ମହାପାତ୍ର, ଓରମାସ୍‌, ସମ୍ବଲପୁରର ସଂଯୁକ୍ତ ସିଇଓ ଶ୍ରୀ ଶ୍ରୀମନ୍ତ ହୋତା, ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଏବଂ ପ୍ରଫେସର ସୁମିତା ସିନ୍ଧୀ ଉପସ୍ଥିତ ଥିଲେ।

 

ଅଂଶଗ୍ରହଣକାରୀମାନଙ୍କୁ ସାର୍ଟିଫିକେଟ୍ ବିତରଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ପ୍ରଫେସର ସୁମିତା ସିନ୍ଧୀ ପ୍ରାରମ୍ଭିକ ଭାଷଣ ଦେଇଥିଲେ ଏବଂ ମୁଖ୍ୟ ପ୍ରଶାସନିକ ଅଧିକାରୀ ଅମୃତ ପି. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

You may have missed