କାମଧେନୁ ଯୋଜନାରେ ପଶୁ ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ…
ଚିକିଟି ଶୁଭଶ୍ରୀ ପ୍ରଧାନ ୩୦/୦୭/୨୫,
ପାତ୍ରପୁର ଅଞ୍ଚଳର ପଶୁପାଳକ ତଥା ଚାଷୀମାନଙ୍କ ସ୍ୱାବଲମ୍ବୀ ଓ ଆର୍ଥିକ ସଦୃଢତା ବଢାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କାମଧେନୁ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ଗୋ ପାଳନ କରୁଥିବା ଚାଷୀ ମାନଙ୍କର ଉନ୍ନତି ପାଇଁ ପାତ୍ରପୁର ବ୍ଳକ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ପାତ୍ରପୁର ବ୍ଳକ ସମ୍ମିଳନୀ କକ୍ଷରେ ବୁଧବାର ଦିନ କାମଧେନୁ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମିଳନୀ କକ୍ଷରେ ତହସିଲଦାର ଅଶୋକ ପଟ୍ଟନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମନ ଚରଣ ସୋରେନ, ପ୍ରାଣୀ ଚିକିତ୍ସିକ ଡଃ ସସ୍ମିତା ପଣ୍ଡା, ଅତିରିକ୍ତ ପ୍ରାଣୀ ଚିକିତ୍ସିକ ଡଃ ଅର୍ପିତା ସ୍ୱାଇଁ ଓ ସ୍ୱସ୍ଥି ସଂଘମିତ୍ରା ଦେହୁରୀ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୨୫ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୃଷକ ଯୋଜନାରେ ଅନ୍ତର୍ଭୁକ୍ତ କାମଧେନୁ ଯୋଜନାରେ ଗୁହାଳ ନିର୍ମାଣ ଓ ପଶୁ ପାଳନ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ବିଧାୟକ। ଏଥି ସହିତ ପାତ୍ରପୁର ଅଞ୍ଚଳର ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀ ମାନେ ଦୁଗ୍ଧ ବିକ୍ରୟ ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ ହେଉଥିବା ଯୋଗୁଁ ଆଗାମୀ ଦିନରେ କିପରି ପାତ୍ରପୁର ଅଞ୍ଚଳରେ ଦୁଗ୍ଧ କ୍ରୟ କେନ୍ଦ୍ର ଅନୁଷ୍ଠିତ ହୋଇପାରିବ ସେହି ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲିି ବିଧାୟକ ନିଜର ଅଭିଭାଷଣରେ କହିଛନ୍ତି। ଡଃ ସସ୍ମିତା ପଣ୍ଡା ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ପ୍ରକାରର ଯୋଜନା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଆଲୋକପାତ କରିବା ସହିତ କାମଧେନୁ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରୁ ପାତ୍ରପୁର ପ୍ରାଣୀ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ। ଶେଷରେ ଡଃ ଅର୍ପିତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
