ସଂକଳ୍ପ ,ପ୍ରତିଜ୍ଞା ଏବଂ ପ୍ରେମ ଅନ୍ୱେଷଣର ପର୍ବ ସାବିତ୍ରୀ ବ୍ରତ।

ବୋଲଗଡ଼,୨୫/୦୫(ସୁଶାନ୍ତ କୁମାର ପ୍ରଧାନ): ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।ଏହି ପର୍ବ ପ୍ରତ୍ୟେକ ଓଡ଼ିଆ ଘରେ ଧୁମଧାମରେ ପାଳନ କରାଯାଇଥାଏ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ସ୍ୱାମୀଙ୍କ ପାଇଁ ଦିନ ଟିଏ ପାଳନ କରନ୍ତି ସ୍ତ୍ରୀ। ଜଗନ୍ନାଥ ମନ୍ଦିର, ଶୈବ ମନ୍ଦିର, ଚଉଁରା ମୂଳରେ ଏବଂ ନିଜ ଠାକୁରଙ୍କ ଘରେ ପୂଜାର୍ଚ୍ଚନା କରି ବ୍ରତୋତ୍ସବ ସହ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ। ମହିଳା ମାନେ ନୂଆ ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ ପୂଜା ରୀତି ନୀତି ଅନୁସାରେ ପୂଜାପାଠ କରିଥାନ୍ତି। ମହିଳାମାନେ ଦିନ ତମାମ ଉପବାସ ରହି ବ୍ରତ ପାଳନ କରିଥାନ୍ତି । ଏହି ଦିନରେ ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । କାହିଁ କେଉଁ କାଳରୁ ରହି ଆସିଛି ଏହି ପରମ୍ପରା।ପୁରାଣ ଅନୁସାରେ ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ । ଏହି ପୌରାଣିକ ଗାଥାକୁ ପାଥେୟ କରି ବିଶେଷ କରି ହିନ୍ଦୁ ଧର୍ମର ମହିଳା ମାନେ ଏହି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।ଏହି ପବିତ୍ର ଦିନରେ ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ଓ ଶୁଭ ମନାସୀ ନିଜ ଶଙ୍ଖା ସିନ୍ଦୂରକୁ ଅତୁଟ ରଖି ସୌଭାଗ୍ୟବତୀ ହେବା ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି।
