ମଟରସାଇକେଲ ଦୁର୍ଘଟଣାରେ ୨ ଗୁରୁତର

ବୁଗୁଡା : ତା ୨୮/୦୪/୨୫ : ବୁଗୁଡ଼ା-କରସିଙ୍ଗି ରାସ୍ତାରେ ବିରଞ୍ଚିପୁର ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଗୁରୁତର ଦ୍ବୟ ହେଲେ ବିରଞ୍ଚିପୁର ଗ୍ରାମର ସୁରେନ୍ଦ୍ର ନାଇକ (୬୦) ଓ ସିମାଞ୍ଚଳ ବେହେରା (୨୫) ଏବଂ ଆହତ ଜଣକ ହେଲେ ଶିବରାମ ସେଠୀ (୨୨)। ପ୍ରକାଶ ଯେ, ସୋମବାର ରାତି ପ୍ରାୟ ସାଢେ ୯ଟା ବେଳେ ଶିବରାମ ଓ ସିମାଞ୍ଚଳ ମଟରସାଇକେଲରେ ବୁଗୁଡାରୁ ବିରଞ୍ଚିପୁର ଗାଁକୁ ଯାଉଥିବା ବେଳେ ଗାଁ ପୂର୍ବରୁ ରାସ୍ତାରେ ଚାଲି ଚାଲି ଯାଉଥିବା ସୁରେନ୍ଦ୍ରଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସୁରେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ ସିମାଞ୍ଚଳର ଡାହାଣ ହାତ ଭାଙ୍ଗି ଯାଇଥିଲା ଏବଂ ମଟରସାଇକେଲ ଚାଳକ ଶିବରାମର ମୁହଁରେ ଆଘାତ ଲାଗିଥିଲା। ଆହତ ତିନି ଜଣଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସମସ୍ତଙ୍କ ପ୍ରାଥମିକ ଚିକିତ୍ସା ପରେ ସୁରେନ୍ଦ୍ର ଓ ସିମାଞ୍ଚଳର ଅବସ୍ଥା ଗୁରୁତର ଥିବାରୁ ସେଦୁହିଁଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।