ସୀମାନ୍ତରେ ଆୟୁଷ୍ମାନ ଦ୍ଵନ୍ଦ୍ଵ, କୋରାପୁଟର ୯ ଗାଁରେ ସ୍ଵାସ୍ଥ୍ୟକାର୍ଡ ବାଣ୍ଟୁଛି ଆନ୍ଧ୍ର..

ଆନ୍ଧ୍ରପ୍ରଦେଶ ସରକାର ୨୦୦୭ ମସିହାରୁ ଡ. ୱାଇଏସ୍ଆର ଆରୋଗ୍ୟଶ୍ରୀ ଯୋଜନା ଆରମ୍ଭ କରିଥିଲେ। ପରେ ଏହି ଯୋଜନାର ନାଁ ପରିବର୍ତ୍ତନ ହୋଇଛି। ଆନ୍ଧ୍ର ପକ୍ଷରୁ ଓଡ଼ିଶା ସୀମାନ୍ତବର୍ତ୍ତୀ ଗାଁଗୁଡିକରେ ଏହି କାର୍ଡ ବଣ୍ଟାଯାଉଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ତଥା କୋରାପୁଟ ଜିଲ୍ଲାର ୯ଟି ଗାଁରେ କ୍ୟାମ୍ପ୍ କରାଯାଇ ନୂଆ କାର୍ଡ ପାଇଁ ଆବେଦନ କରାଯାଉଛି । ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି ଏହି କାର୍ଡ କରିବାକୁ ଲୋକଙ୍କୁ ସଚେତନ କରିବା ସହ କାର୍ଡ ପାଇଁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରୁଛନ୍ତି । ତୁରନ୍ତ କାର୍ଡ ତିଆରି କରି ବଣ୍ଟନ ମଧ୍ୟ କରୁଛନ୍ତି । ଅପରପକ୍ଷରେ ନିକଟରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଛି । ଏଣୁ ଲୋକେ କେଉଁ କାର୍ଡ ପାଇଁ ଆବେଦନ କରିବେ, ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ତେଣୁ ସ୍ଥାନୀୟ ପ୍ରଶାସନ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଲୋକଙ୍କୁ ସଚେତନ କରିବାର ଆବଶ୍ୟକ ରହିଛି ।
ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ କୋଟିଆ ପଞ୍ଚାୟତର ଫଗୁଣ ସିନେରୀ, ତଳ ଗଞ୍ଜେଇ ପଦର, ଧୂଳି ପଦର, ସୁଙ୍କି ପଞ୍ଚାୟତର ବାଙ୍ଗାରଗୁଡି ଓ ଗୋଲୁରୁ ଏବଂ ସମ୍ବାଇ ଓ ସୁନାବେଡା, ନନ୍ଦପୁର ବ୍ଳକର ରାଇପାଡୁ ଏବଂ ବନ୍ଧୁଗାଁ ବ୍ଳକର ଲଙ୍ଗଳ ବେଡା ଆଦି ୯ଟି ଗାଁ ଆନ୍ଧ୍ର ସୀମା ସହ ଲାଗି ରହିଛି । ଏହି ଗାଁଗୁଡିକରେ ବିଭିନ୍ନ ସମୟରେ ଆନ୍ଧ୍ର ଅନୁପ୍ରବେଶ କରି ଏସବୁ ଗାଁକୁ ନିଜର ବୋଲି ଦାବି କରୁଛି । ଏହା ସହ ନିଜ ଯୋଜନାଗୁଡିକ କାର୍ଯ୍ୟକାରୀ କରୁଛି । ଓଡ଼ିଶା ସରକାରଙ୍କ ଯୋଜନାଗୁଡିକ ଠିକ ଭାବେ ଏଠାରେ ପହଞ୍ଚି ପାରୁ ନଥିବାରୁ ହାତପାହାନ୍ତରେ ମିଳୁଥିବା ଆନ୍ଧ୍ର ସରକାରଙ୍କ ଯୋଜନାରେ ସାମିଲ ହେବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି ।
ଆନ୍ଧ୍ର ସ୍ୱାସ୍ଥ୍ୟକର୍ମୀମାନେ କିଛି ଦିନ ହେବ ଉପରୋକ୍ତ ଗାଁ ଗୁଡିକରେ ଘର ଘର ବୁଲି ସର୍ଭେ କରୁଛନ୍ତି । ଲୋକଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ଆନ୍ଧ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜାନରେ ସାମିଲ କରାଉଛନ୍ତି । ଘରକୁ ଆସି ଯୋଜନାରେ ସାମିଲ କରୁଥିବାରୁ ସେମାନେ ବିରୋଧ ମଧ୍ୟ କରୁନାହାନ୍ତି । ଅପରପକ୍ଷେ ଏ ନେଇ କିନ୍ତୁ ସ୍ଥାନୀୟ ପ୍ରଶାସନ ନିକଟରେ କିଛି ଖବର ନାହିଁ । ତେବେ ସମୟ ଥାଉ ଥାଉ ପ୍ରଶାସନ ପକ୍ଷରୁ ଆନ୍ଧ୍ର ଅନୁପ୍ରବେଶକୁ ରୋକିବା ଆବଶ୍ୟକ ନ ହେଲେ ଉପରୋକ୍ତ ସମସ୍ତ ଗାଁର ଲୋକଙ୍କୁ ଆନ୍ଧ୍ର ନିଜ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିଦେବ । ପରେ ଏହି ସବୁ ଅଞ୍ଚଳକୁ ନିଜର ବୋଲି ଦାବି କରିବ ।