ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି ।

ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି । ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର କ୍ରୁ-୯ ସଦସ୍ୟ ମହାକାଶଚାରୀ ନିକ ହେଗ ଏବଂ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭଙ୍କ ସହିତ ପୃଥିବୀକୁ ଫେରିବେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ପେସଏକ୍ସର କ୍ୟାପସୁଲ କ୍ରୁ-୯ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଫସି ରହିଥିବା ମହାକାଶଚାରୀମାନଙ୍କୁ ନେଇ ପ୍ରସ୍ଥାନ କରିଛି । ନାସା ସୁନୀତା ୱିଲିୟମ୍ସ ଏବଂ ଉଚ ୱିଲମୋରଙ୍କ ପୃଥିବୀରେ ଅବତରଣ ତାରିଖ, ସମୟ ଏବଂ ସ୍ଥାନ ନିଶ୍ଚିତ କରିଛି । ନାସା ମହାକାଶଚାରୀଙ୍କ ପୃଥିବୀକୁ ଫେରିବାର ସିଧା ପ୍ରସାରଣ ମଧ୍ୟ କରୁଛି । ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ମିନିଟରେ ଫ୍ଲୋରିଡା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି । ଲ୍ୟାଣ୍ଡ କରିସାରିବା ପରେ ସ୍ପେସ ଏକ୍ସ ଟିମ୍ ମହାକାଶ ଟିମକୁ ବାହାରକୁ ଆଣିବ । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳକୁ ଏହାର ସ୍ପିଡ୍ ଥିବ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର । ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଆରମ୍ଭ ହେବ ଅଗ୍ନିପରୀକ୍ଷା । ବାୟୁ ସହ ଘର୍ଷଣ ହୋଇ ବାହାରୁ ଏହା ଏକ ଅଗ୍ନିପିଣ୍ଡୁଳା ପାଲଟିଯିବ, ଠିକ୍ ଆକାଶରୁ ଜଳନ୍ତା ଉଲ୍କାପିଣ୍ଡ ଖସିବା ଭଳି । ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ଏହା ଭିତରେ ଥିବା ସୁନୀତା ଓ ଅନ୍ୟ ମହାକାଶଚାରୀଙ୍କ ଉପରେ । ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ, ହେଲେ ୬୦ ବର୍ଷୀୟା ସୁନୀତାଙ୍କ ପାଇଁ ସହଜ ହେବନି ମାଟିରେ ଚାଲିବା । ଉଭେଇ ଯାଇଥିବ ପାଦ ତଳର ମୋଟା ଚମଡ଼ା । ହରାଇ ସାରିଥିବେ ମାଟିରେ ଚାଲିବାକୁ ଆବଶ୍ୟକ ବଳ ଓ ବାଲାନ୍ସ ଯାହାକୁ କୁହାଯାଏ ବେବି ଫିଟ୍ ସମସ୍ୟା, ଛୋଟ ପିଲାଟିଏ ଚାଲି ଶିଖିବା ଭଳି, ସୁନୀତାଙ୍କୁ ମଧ୍ୟ କିଛି ସପ୍ତାହ ଚାଲିବା ଅଭ୍ୟାସ କରିବାକୁ ପଡ଼ିବ । ବଳ ଫେରିପାଇବାକୁ ୬ ସପ୍ତାହ ପାଇଁ ସ୍ବତନ୍ତ୍ର ବ୍ୟାୟାମ ଓ ଖାଦ୍ୟ ସହ ରିହାବିଲିଟେସନ୍ ପିରିୟଡ୍ କାଟିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି । ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀକୁ ପ୍ରତ୍ୟାବର୍ତନ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ।