ଘୁମୁସର ଦକ୍ଷିଣ ବନଖଣ୍ଡର ବୁଗୁୁଡା ବନାଞ୍ଚଳରେ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞନଗର, ୨୯ ଜାନୁଆରୀ: ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅଞ୍ଚଳ ଅଧିନସ୍ଥ ବିଭିନ୍ନ ବନାଞ୍ଚଳରେ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାରା ବିଶ୍ବରେ ଅବକ୍ଷୟାଭିମୂଖୀ ବିରଳ ବନ୍ୟପ୍ରାଣୀ ମଧ୍ୟରେ ରହିଛି କୃଷ୍ଣସାର ମୃଗ। ଏମାନଙ୍କର ସୁରକ୍ଷା, ସଂରକ୍ଷଣ ଏବଂ ବଂଶବୃଦ୍ଧି ପାଇଁ ସରକାରୀ ସ୍ତରରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି। ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି କୃଷ୍ଣସାର ମୃଗ ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଉଛି। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅଞ୍ଚଳର ବୁଗୁଡ଼ା, ଆସିକା, ପୋଲସରା ଓ ବଡଗଡ କୃଷ୍ଣସାର ମୃଗ ମାନଙ୍କ ପ୍ରମୁଖ ବିଚରଣ ସ୍ଥଳ ର ମାନ୍ୟତା ପାଇଛି। ଏହି ୪ ଟି ସ୍ଥାନରେ ଆଜି ସକାଳ ପ୍ରାୟ ୬ ଘଣ୍ଟା ସମୟ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଗଞ୍ଜାମର ଗର୍ବ ଓ ଗୌରବର ପ୍ରତୀକ ହେଉଛି କୃଷ୍ଣସାର ମୃଗ, ଯାହାକୁ ନେଇ ରହିଛି ଗଞ୍ଜାମର ଏକ ସ୍ଵତନ୍ତ୍ର ପରିଚୟ। ଓଡ଼ିଶାର ଭୌଗୋଳିକ ମାନଚିତ୍ରରେ ସାରା ଗଞ୍ଜାମ ଜିଲ୍ଲାର ଗୁରୁତ୍ଵ ରହିଛି ଏହି ବିରଳ ପ୍ରଜାତିର ମୃଗ ପାଇଁ। ପ୍ରତି ଦୁଇବର୍ଷ ବ୍ୟବଧାନରେ ଏହି କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କ୍ରମାଗତ ଭାବେ ଏହି ବିରଳ କୃଷ୍ଣସାର ମୃଗ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାର ଦେଖିବାକୁ ମିଳୁଛି।ସେହି କ୍ରମରେ ଭଞ୍ଜନଗର ବନଖଣ୍ଡ ଅଧିନରେ ଥିବା ବୁଗୁଡ଼ା ବନାଞ୍ଚଳରେ ଆଜି କୃଷ୍ଣସାର ମୃଗ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଗଣନା କାର୍ଯ୍ୟକ୍ରମରେ ୨୮ ଟି ଟିମ୍ ରେ ମୋଟ ୭୮ ଜଣ ସଭ୍ୟ ଯୋଗଦାନ କରିଥିଲେ। ବ୍ରହ୍ମପୁର ଆଞ୍ଚଳିକ ମୂଖ୍ୟ ବନ ସଂରକ୍ଷକ ଶ୍ରୀ ସଞ୍ଜୟ କୁମାର ସ୍ଵାଇଁ ଙ୍କ ଆହ୍ଵାନ ଏବଂ ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ଶ୍ରୀ ପ୍ରଦୀପ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ରେଞ୍ଜର ଶ୍ରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ବରେ ଟିମ୍ ଲିଡର ରମାକାନ୍ତ ପଣ୍ଡା ଓ ପାରା ଫରେଷ୍ଟ କର୍ମୀ ରଶ୍ମି ରଞ୍ଜନ ପ୍ରଧାନଙ୍କ ସହଯୋଗ ରେ କୃଷ୍ଣସାର ମୃଗ ବିଚରଣ ସ୍ଥଳରେ ଗଣନା କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା। ଏହି ଗଣନା ଅଭିଯାନ ରେ ଗଞ୍ଜାମ ଜିଲ୍ଲା ଇକୋକ୍ଳବ ସଭାପତି ଶ୍ରୀ ଶଙ୍କର ନାରାୟଣ ବେଜ୍, ଅବସରପ୍ରାପ୍ତ ରେଞ୍ଜର ତଥା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଅନୁପମ ବାନାର୍ଜୀ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ସୁରେଶ ଚନ୍ଦ୍ର ସ୍ଵାଇଁ, ପ୍ରକୃତି ବନ୍ଧୁ ତଥା ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କା, ପରିବେଶ ପ୍ରେମୀ ତଥା ପଳାଶପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାତ୍ର, ନେଟଙ୍ଗା ସବୁଜ ବାହିନୀର ସଭାପତି ପ୍ରକୃତି ପ୍ରେମୀ ସୁଧୀର କୁମାର ନାୟକ ଏବଂ ବୁଗୁଡ଼ା ବନାଞ୍ଚଳ ର ସମସ୍ତ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଭଞ୍ଜନଗର ରୁ ସୁକାନ୍ତ ନାୟକ