June 21, 2026

ଗଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କ୍ଷମତା ବହିର୍ଭୁତ କାର୍ଯ୍ୟର ତଦନ୍ତ ହେଉ –   ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ! 

IMG-20241127-WA0020
Share

 

ସମ୍ପ୍ରତି ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି ! ଖୋଦ ଶିକ୍ଷାଧିକାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ପଦାଧିକାରୀ ତଥା କର୍ମଚାରୀ ବୃନ୍ଦ ବିଭିନ୍ନ ଅନୈତିକ, ଅଗଣତନ୍ତ୍ରୀକ ତଥା କ୍ଷମତା ବହିର୍ଭୁତ କାର୍ଯ୍ୟରେ ଲିପ୍ତ ରହି ନିରୀହ ତଳିଆ କର୍ମଚାରୀଙ୍କୁ ସାଙ୍ଘାତିକ ଭାବେ ହଇରାଣ କରୁଥିବା ଅଭିଯୋଗ “ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ” ସଂଗଠନ ନିକଟରେ ପହଂଚିଛି ! ଶିକ୍ଷାଧିକାରୀ ମହୋଦୟ ତାଙ୍କର ଏହି ଜିଲ୍ଲାରେ ଅବସ୍ଥାପିତ ଠାରୁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରିସାରିଥିବା ଏବଂ ଅଧସ୍ତନ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କଲାଭଳି ବେଆଇନ ପଦକ୍ଷେପ ଜିଲ୍ଲାର ଶିକ୍ଷକ ଓ ଶିକ୍ଷାବିଭାଗ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବିଷୟରେ ସଙ୍ଗଠନ ତରଫରୁ ଉଦବେଗ ପ୍ରକାଶ କରାଯାଇ ଅଛି ! ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡିକ ଉପରେ ବେଖାତିରୀ ଏବଂ ଉପହାସ ମୂଳକ ପ୍ରତିବେଦନ ପ୍ରସ୍ତୁତ କରି ଉଚ୍ଚାଧିକାରୀଙ୍କ ନିକଟରେ ଛଳନାତ୍ମକ ଢଙ୍ଗରେ ଉପସ୍ଥାପନ କରିଛନ୍ତି ! ତାଙ୍କର ଏକଛତ୍ରବାଦୀ ତଥା ଅଗଣତାନ୍ତ୍ରିକ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇଛି – ନିକଟ ଅତୀତରେ ଜଣେ ଅଧସ୍ତନ ତୃତୀୟ ଶ୍ରେଣୀ କର୍ମଚାରୀଙ୍କୁ ବିଧିବଦ୍ଧ ତଦନ୍ତ ନକରି ଅନ୍ୟାୟ ଭାବେ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ବିଷୟକୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇ ଅଛି !

ଉକ୍ତ ବହିଷ୍କାର ନିଷ୍ପତ୍ତି ବିଷୟରେ ସଂଗଠନ ତରଫରୁ ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ ତଥା ମନ୍ତ୍ରୀ ଏବଂ ବିରୋଧୀଦଳ ନେତାଙ୍କ ସମେତ ରାଜ୍ୟ ଗଣଶିକ୍ଷା ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ତା. 22.11.2024ରେ ଅବଗତ କରାଯାଇଥିବା ବିଷୟ ସଂଗଠନର ସଭାପତିଙ୍କ ଠାରୁ ପ୍ରକାଶ !

ସ୍ଥାନୀୟ ନବୀନ ଭବନ ଠାରେ ଗଂଜାମ ଜିଲ୍ଲା ଶିକ୍ଷା ବଞ୍ଚାଅ ଅଭିଯାନର ସଭାପତି ଶ୍ରୀ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ କାମରାଜୁ ମହାରଣା ଜିଲ୍ଲାର ସାମ୍ପ୍ରତିକ ଶିକ୍ଷା ସ୍ଥିତି ଓ ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ ! ବହିସ୍କୃତ କର୍ମଚାରୀଙ୍କୁ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଗୁଡିକର କାରଣ ଦର୍ଶାଅ ବିଜ୍ଞପ୍ତି ଜାରି ନକରି ଏକ ତରଫା ଭାବେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ଏକ ଅମାନବୀୟ କାର୍ଯ୍ୟ ବୋଲି କାର୍ଯ୍ୟକାରୀ ସଭାପତି ତଥା ଗଂଜାମ ଜିଲ୍ଲା ବିକାଶ ମଞ୍ଚର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ମନ୍ତବ୍ୟ ଦେଇଛନ୍ତି ! ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମହାସଂଘର ସମ୍ପାଦକ ଶ୍ରୀ ଅଶୋକ କୁମାର ଦଳାଇ, ସାମ୍ବାଦିକ ରଞ୍ଜନ କୁମାର ସାହୁ, ସମୀକ୍ଷକ ଶ୍ରୀ ସୁଶାନ୍ତ କୁମାର କର ସମ୍ପାଦକ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ, ଶ୍ରୀ ରାମକୃଷ୍ଣ ପାତ୍ର, ଶ୍ରୀ ସରୋଜ ରଞ୍ଜନ ପଟ୍ଟନାୟକ, ସାମ୍ବାଦିକ ଶ୍ରୀ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବହିଷ୍କାର ଆଦେଶକୁ ତୁରନ୍ତ ପ୍ରତ୍ୟାହାର ନକଲେ ଶିକ୍ଷା ବଞ୍ଚାଅ ଅଭିଯାନ ତରଫରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଷୟ ସଂଗଠନର ସଭାପତି ଶ୍ରୀ ରବି ରଥଙ୍କ ଠାରୁ ପ୍ରକାଶ !

ବ୍ରହ୍ମପୁର ରୁ ନୂରୁଲ ମଲ୍ଲିକ ଙ୍କ ରିପୋର୍ଟ