ଧାମରାରୁ ଭିତରକନିକା, କେନ୍ଦ୍ରାପଡ଼ା ପେଣ୍ଠରୁ ଚାନ୍ଦିପୁର ଇଲାକା।
*ଧାମରାରୁ ଭିତରକନିକା, କେନ୍ଦ୍ରାପଡ଼ା ପେଣ୍ଠରୁ ଚାନ୍ଦିପୁର ଇଲାକା। ବିଭିନ୍ନ ଇଲାକାରେ ଟଳିପଡ଼ିଥିଲା ଗଛଲତା। ଅବରୋଧ ରହିଥିଲା ରାସ୍ତାଘାଟ। ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଲତାକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍। ବାଲେଶ୍ବର ସିମୁଳିଆ ଅଞ୍ଚଳରେ ଟଳିପଡ଼ିଥିବା ଗଛଲତାକୁ କଟର୍ ସହାୟତାରେ କାଟି ସଫା କରିଛି ଅଗ୍ନିଶମ ବାହିନୀ*।
*ସେହିପରି ପାରାଦୀପ ନେହରୁ ବଙ୍ଗଲା ରୋଡରେ ପଡ଼ିଥିବା ଗଛଲତାକୁ ହଟାଇ ଦିଆଯାଇଛି। ଏଭଳି ଭାବେ ୪ଟି ଜିଲ୍ଲା ଯଥା, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ତାଣ୍ଡବ ରଚିଥିବାବେଳେ ଆଉ କିଛି ସମୟ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ*।
*ଏପଟେ ବହିଲା ଅଣଚାଷ ପବନ, ଟଳିପଡ଼ିଲା ଗଛଲତା। ଭାଙ୍ଗିଲା ଚାଳ ଛପର ଘର। ମଧ୍ୟରାତ୍ରରୁ ତାଣ୍ଡବ ରଚିଥିବା ବାତ୍ୟା ଦାନା ବହୁ ଅଞ୍ଚଳରେ ନିଜର ତାଉ ଦେଖାଇଛି। ଏବେ ଶେଷ ପର୍ଯ୍ୟାୟରେ ରହିଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ରାତି ପ୍ରାୟ ୧୨ଟା ୫ ମିନିଟରୁ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଦାନା ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ଭିତରକନିକା, ଧାମରା, କେନ୍ଦ୍ରାପଡ଼ା ପେଣ୍ଠ ସମେତ ବିଭିନ୍ନ ଅଞ୍ଚଳରେ ଚାଳଛପର ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଆଉ କେଉଁଠି ରାସ୍ତା ଉପରେ ଟଳିପଡ଼ିଛି ଗଛଲତା। ଏପରିକି ଝଡ଼ ବର୍ଷାବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ବନ୍ୟଜନ୍ତୁ। ରାତି ତମାମ କ୍ୟାମେରାରେ କଏଦ୍ ହୋଇଥିଲା ବାତ୍ୟା ପ୍ରଭାବର ଚିତ୍ର। ଏବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ ଜିଲ୍ଲାରେ ଲାଗିରହିଛି ବର୍ଷା। ତା’ ସହ କୋହଲା ପବନ ବହୁଛି*।