November 15, 2024

ସମ୍ବଲପୁର ଜିଲ୍ଲା ନୀଳଡୁଙ୍ଗରି ଠାରେ ରାଜ୍ୟର ଦ୍ବିତୀୟ ଏମସ୍ ସ୍ଥାପନ ନେଇ ତେଜୁଛି ଦାବି 

Share

 

 

ସମ୍ବଲପୁର, ତା. ୨୪. ୧୦:ସମ୍ବଲପୁର ଜିଲ୍ଲା ନୀଳଡୁଙ୍ଗରି ଠାରେ ଥିବା ବିସ୍ତୃତ ଅଞ୍ଚଳରେ ଜନସ୍ୱାର୍ଥକୁ ଆଖିରେ ରଖି ପ୍ରସ୍ତାବିତ ଦ୍ଵିତୀୟ ଏମ୍ସ ସ୍ଥାପନା ପାଇଁ ଦିନକୁ ଦିନ ଦାବି ତୀବ୍ର ହେବାରେ ଲାଗିଛି।

 

ପ୍ରାୟ ୭୦୦ ଏକଡ ସରକାରୀ ଜାଗା ରହିଥିବା ନୀଳଡୁଙ୍ଗରିର ଆଖି ଦୃଶିଆ ବିକାଶ ପାଇଁ ସମାଜବିତ ମାନେ ଏଠାରେ ସାମାଜିକ ଓ ଅର୍ଥନୈତିକ ପ୍ରଗତୀ ପାଇଁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେବା ସତ୍ୱେ ସରକାର ନୀରବ ଦ୍ରଷ୍ଟା ସାଜିବାକୁ ନେଇ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି।

ବିଜେଡି ସରକାର ସମୟରେ ନୀଳଡୁଙ୍ଗରି ଠାରେ ପଶ୍ଚିମ ଓଡ଼ିଶାର ବୃହତ ମାର୍କେଟ ଟାରମିନାଲ, ଦ୍ଵିତୀୟ ଚିଡିଆଖାନା ପ୍ରସ୍ତାବ ପାଣିଚିଆ ହୋଇଗଲା। ଏବେବି ଏହା ସରକାରୀ ଫାଇଲରେ ବନ୍ଧା ହୋଇ ପଡିଛି। ଅନ୍ୟପଟେ ଗତ ସାଧାରଣ ନିର୍ବାଚନ ବେଳେ ବିଜେପି ସରକାରକୁ ଆସିଲେ ନୀଳଡୁଙ୍ଗରି ଠାରେ ବୃହତ ମାର୍କେଟ ଟାରମିନାଲ ପ୍ରତିଷ୍ଠା କରାଯିବ ବୋଲି ଗ୍ରାଉଣ୍ଡ ଜିରୋ ସ୍ପଟରୁ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। କିନ୍ତୁ ଏଥିପାଇଁ କୌଣସି ପ୍ରୟାସ ହେଉନଥିବା ବେଳେ ବର୍ତ୍ତମାନ ପାଉଁଶ ସ୍ତୁପରେ ପରିଣତ ହେବାକୁ ଯାଉଛି। ବିଭିନ୍ନ ଶିଳ୍ପ କାରଖାନାର ବର୍ଯ୍ୟବସ୍ତୁ ପାଉଁଶ ଏଠାରେ ପଡୁଛି। ସାଧାରଣ ଜନତା, ସ୍ଥାନୀୟ ପ୍ରତିନିଧି, ପରିବେଷବିତ ଓ ସାମାଜିକ କର୍ମୀ ମାନଙ୍କ ଦାବି ପ୍ରତି ସରକାର ହେଉକି ପ୍ରଶାସନ ଆଖି ମୁଜିଦେବା ଗୋଟିଏ ଅଞ୍ଚଳକୁ ନିନ୍ଦିତ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏଠାରେ ପୁଣି ପ୍ରସ୍ତାବିତ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ସହିତ ଆନ୍ତର୍ଜାତୀୟ ଖେଳ ପଡିଆ ନିର୍ମାଣ କରିବାକୁ ଦାବି ତୀବ୍ରତର ହେବାରେ ଲାଗିଛି। ତେବେ ଜନସ୍ୱାର୍ଥ ଓ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବୃହତ ମାର୍କେଟ ଟାରମିନାଲ, ଦ୍ଵିତୀୟ ଏମ୍ସ ଭଳି ଅନୁଷ୍ଠାନ ପ୍ରତିଷ୍ଠାର ଗୁରୁତ୍ୱକୁ ସବୁ ମହଲରେ ଗୁରୁତ୍ୱ ଦିଆଯାଉଛି। ଏପରିକି ପଶ୍ଚିମ ଓଡ଼ିଶାର ଏକମାତ୍ର ଶାରୀରିକ ମହାବିଦ୍ୟାଳୟ ଥିବା କୁଲୁଣ୍ଡି ର ଏହି ମହାବିଦ୍ୟାଳୟକୁ କ୍ରୀଡା ବିଶ୍ୱ ବିଦ୍ୟାଳୟରେ ପରିଣତ କରି ଏଠାରେ ଆନ୍ତର୍ଜାତୀୟ ଖେଳ ପଡିଆର ଯଥାର୍ଥତା ରହିଥିବା ନେଇ ଅନୁଷ୍ଠାନର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଗୁରୁତ୍ୱ ଦେଇ ସରକାରଙ୍କ ଠାରେ ପ୍ରସ୍ତାବ ରଖିଛନ୍ତି।

 

ଅନ୍ୟ ପକ୍ଷରେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ନୀଳଡୁଙ୍ଗୁରିର ୭୦୦ ଶହ ଏକଡ଼ ସରକାରୀ ଜାଗା ରହିଛି।ଯାତାୟାତ ଦୃଷ୍ଟିରୁ ସମସ୍ତ ସୁବିଧା ଉପଲବ୍ଧ ରହିଛି।ଯାହାକି ସମ୍ବଲପୁର ସିଟି ରେଲୱେ ଷ୍ଟେସନ ର ଦୁରତା ମାତ୍ର ୧୨ କିମି ଓ ବସ ଟର୍ମିନାଲ ଦୂରତା ମାତ୍ର ୧୪ କିମି ଥିବା ବେଳେ ଝାରସୁଗୁଡ଼ା ବିମାନ ଦୂରତା ବନ୍ଦର ମାତ୍ର ୬୦ କିମିରେ ରହିଛି।

ଏହି ସ୍ଥାନରୁ ପଶ୍ଚିମାଞ୍ଚଳ ର ସମସ୍ତ ଜିଲ୍ଲା ସହ ସମଗ୍ର ରାଜ୍ୟ ଓ ପଡୋଶୀ ବିହାର ଛତିଶଗଡ, ଝାରଖଣ୍ଡ, ୱେଷ୍ଟ ବେଙ୍ଗଲ ଭଳି ରାଜ୍ୟକୁ ଯୋଗାଯୋଗ ସୁବିଧା ରହିଛି ।

ଏହି ଦୃଷ୍ଟିରୁ ଆଦିବାସୀ ବହୁଳ ଶିଳ୍ପ ବିହୀନ, ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଯୁଯୁମୁରା ବ୍ଲକ ତଥା ରେଢ଼ାଖୋଲ ବିଧାନ ସଭା କ୍ଷେତ୍ର ପାଇଁ ଯଥାର୍ଥ ଦାବି ପ୍ରତି ସରକାର ଗୁରୁତ୍ୱ ଦେବାକୁ ଏକତାମଞ୍ଚ ଆବାହକ ଭବାନୀଶ ଭୋଇ, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ, ବିଭିନ୍ନ ଜନ ପ୍ରତିନିଧି ସ୍ଥାନୀୟ ଅଧିବାସୀ ,ବୁଦ୍ଧିଜୀବୀ ଦାବି କରି ଆସୁଛନ୍ତି। ଏ ନେଇ କବରାପାଲି ପଞ୍ଚାୟତ ରେ ବିଭିନ୍ନ ଗ୍ରାମରେ ବୈଠକ କରାଯାଇ ନୀଲଡୁଙ୍ଗୁରୀ ରେ ରାଜ୍ୟ ର ଦ୍ବିତୀୟ ଏମସ୍ ସ୍ଥାପନ ପାଇଁ ଜନ ସଚେତନତା ବୈଠକ ମାନ ଅନୁଷ୍ଠିତ ହେଉଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ତଥା କବରାପାଲି ପଞ୍ଚାୟତ ର ସମିତି ସଭ୍ୟା ବନିତା ଓରାମ ନୀଲଡୁଙ୍ଗୁରୀ ରେ ରାଜ୍ୟ ର ଦ୍ବିତୀୟ ଏମସ୍ ସ୍ଥାପନ ର ଆବଶ୍ୟକତା ଉପରେ ଲୋକଙ୍କୁ ବୁଝାଉଛନ୍ତି ।

ନୀଲଡୁଙ୍ଗୁରୀ ରେ ରାଜ୍ୟ ର ଦ୍ବିତୀୟ ଏମସ୍ ସ୍ଥାପନ ପାଇଁ ସ୍ଥାନୀୟ ଲୋକଙ୍କ ଆଶା ସଂଚାର ହୋଇଛି। ସରକାର ମଧ୍ୟ ଏହାକୁ ଅଣଦେଖା ନକରି ବିଦ୍ଧିବଦ୍ଧ ପଦକ୍ଷେପ ନେବାକୁ ଆଗଭର ହେବା ସମୟର ଆହ୍ୱାନ ସହିତ ତୁଳନା କରାଯାଇପାରେ।