ଗଜପତି:- ଜିଲ୍ଲାସ୍ତରୀୟ ୬୫ ତମ ପୋଲିସ ସହିଦ ସ୍ମୃତି ଦିବସ-୨୦୨୪ ପ୍ୟାରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ଆର୍ମଡ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୫ ତମ “ପୋଲିସ ସହିଦ ସ୍ମୃତି ଦିବସ-୨୦୨୪” ପ୍ୟାରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ତ୍ତବ୍ୟ ସମୟରେ ଯେଉଁ ପୋଲିସ ଭାଇ ମାନେ ଉଗ୍ରବାଦୀ ଓ ମାଓବାଦୀ ମାନଙ୍କ ଶିକାର ହୋଇ ନିଜ ଜୀବନକୁ ଉତ୍ସର୍ଗ କରି ଦେଶମାତୃକା ପାଇଁ ପ୍ରାଣବଳିି ଦେଇଥାନ୍ତି , ପ୍ରତିବର୍ଷ ଆଜିର ଦିନରେ ସେମାନଙ୍କ ସ୍ମୃତିଚାରଣ କରାଯିବା ସହ ପୋଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଇ ଆସୁଅଛି ।
ଆମ ପୋଲିସ କର୍ମଚାରୀ ମାନେ ବିଭିନ୍ନ କ୍ଷେତ୍ରରେ ଯେ କୌଣସି ବିପଦ ଆପଦ ହେଉ କିମ୍ବା ଉଗ୍ରବାଦୀ କି ମାଓବାଦୀ କାର୍ଯ୍ୟକଳାପ ହେଉ , ସବୁଥିରେ ତାର ଉଚିତ୍ ମୁକାବିଲା କରିବା ପାଇଁ ଯଥେଷ୍ଟ ସମର୍ଥ ଅଛନ୍ତି ବୋଲି କହି ସବୁବେଳେ ନିରବଚ୍ଛିନ୍ନ ଓ ନିର୍ଭୀକ ଭାବେ ସେବା ପ୍ରଦାନ କରିବା ସହ ଜନସାଧାରଣଙ୍କ ସମସ୍ତ ଆଶା ପୁରଣ କରିବା ଦିଗରେ ଆସ୍ଥାଭାଜନ ହେବା ପାଇଁ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଆହ୍ବାନ କରିଥିଲେ ।
ଏହି ଅବସରରେ କର୍ତ୍ତବ୍ୟ ସମୟରେ ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ବୀରଗତି ପ୍ରାପ୍ତ ହୋଇ ସହିଦ ହୋଇଥିବା ୨୧୬ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ନାମ ପାଠ କରିବା ସହ ପୋଲିସ ସହୀଦ ସ୍ମୃତିସ୍ତମ୍ଭ ଠାରେ ସେମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସେହିଭଳି ଉପସ୍ଥିତ ପୋଲିସ ଅଧିକାରୀ ମାନେ ମଧ୍ୟ ସହିଦ ସ୍ମୃତିସ୍ତମ୍ଭ ଠାରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ବେଳେ ପ୍ୟାରେଡ଼ ଦଳର ସମସ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ନିଜର ସଶସ୍ତ୍ର ସହ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ଅବସରରେ ଗଜପତି ଜିଲ୍ଲାର ସହିଦ ହୋଇଥିବା ଦୁଇ ପୋଲିସ କର୍ମଚାରୀଙ୍କ ପରିବାର ତଥା ସେମାନଙ୍କ ପତ୍ନୀଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଶେଷରେ ପୋଲିସ ଝଣ୍ଡାକୁ ସଶସ୍ତ୍ର ସଲାମୀ ସେଲ୍ୟୁଟ ଜଣାଇବା ପରେ କାର୍ଯ୍ୟକ୍ରମର ସମାପନ ପ୍ୟାରେଡ଼ ସମ୍ପନ୍ନ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ:ପି: ଶ୍ରୀ ସୁନିଲ କାନ୍ତ ମହାନ୍ତି ଓ ଏସଡିପିଓ: ଶ୍ରୀ ମାଧବା ନନ୍ଦ ନାୟକଙ୍କ ସମେତ ବହୁ ପୋଲିସ ଅଧିକାରୀ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ବହୁ ସଂଖ୍ୟାରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ୟାରେଡ଼ କାର୍ଯ୍ୟକ୍ରମକୁ ପୋଲିସ ଆର:ଆଇ: ତଥା ପ୍ୟାରେଡ଼ କମାଣ୍ଡର ଶ୍ରୀ ନିରଞ୍ଜନ ନାୟକ ଏବଂ ସରଜେଣ୍ଟ ତଥା ସେକେଣ୍ଡ ପ୍ୟାରେଡ଼ କମାଣ୍ଡର ଶ୍ରୀ ଖୁସିରାମ ଭୋଇ ପ୍ରମୁଖ ପରିଚାଳନା କରିଥିଲେ ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
——————————————-+